ଭାରତରେ ଆଦିବାସୀଙ୍କ ବିକାଶ ପାଇଁ ହାତ ମିଳେଇଲେ କାର୍ଡ ଓ ଆଇ ଆଇ ଟି ମାଡ୍ରାସ

ଭୁବନେଶ୍ୱର : ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ (କାର୍ଡ) ଓଡିଶା ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ମାଡ୍ରାସ ମଧ୍ୟରେ ଏକ ପାଞ୍ଚ ବର୍ଷିଆ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । କାର୍ଡର ନିର୍ଦେଶକ ଡ଼ ବିକ୍ରମ କେଶୋରୀ ଜେନା ଓ ଆଇ ଆଇ ଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି .କମକୋତ୍ତି ଙ୍କ ଦ୍ଵାରା ଏହି ଚୁକ୍ତି ଆଇ ଆଇ ଟି ମାଡ୍ରାସର ସମ୍ମିଳନୀ କକ୍ଷରେ ଉଭୟ ପକ୍ଷର କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ଭାରତର ୮.୬ ପ୍ରତିଶତ ଆଦିବାସୀ ମାନଙ୍କ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ ବୋଲି କାର୍ଡର ନିର୍ଦେଶକ ଡ଼ ଜେନା କହିଛନ୍ତି ।
ନିରବଚ୍ଛିନ୍ନ ଭାବେ ବିଲୁପ୍ତ ହେବାକୁ ବସିଥିବା ବିଭିନ୍ନ ଆଦିବାସୀ ଭାଷା ,ସଂସ୍କୃତି, ଖାଦ୍ୟ, ପୋଷାକ ଯାହା ଆମ ଇତିହାସ ଓ ପରମ୍ପରାକୁ ସମୃଦ୍ଧ କରିଥିଲା , ସେ ସବୁର ପୁନଃ ଜାଗରଣ କରିବା ସହିତ ଆଦିବାସୀ ମାନଙ୍କୁ ବିଶ୍ୱ ସହିତ ଯୋଡିବା କ୍ଷେତ୍ରରେ ଏହି ସହଭାଗିତା କାର୍ୟ୍ୟକ୍ରମ ମାନ ନିର୍ଧାରଣ କରିବ ବୋଲି ଡ଼ ଜେନା ଆଶା ପୋଷଣ କରିଥିବା ବେଳେ, ଆଦିବାସୀ ମାନଙ୍କର ରାଜନୈତିକ ,ସାମାଜିକ , ଆର୍ଥିକ, ଧାର୍ମିକ , ସାଂସ୍କୃତିକ ଜୀବନରେ ଅଗ୍ରଗତି ହେବା ସହ ବୈଷୟିକ ଓ ପ୍ରଯୁକ୍ତିଗତ ଜ୍ଞାନ କୌଶଳ ସହିତ ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଅନୁଷ୍ଠାନ ମିଶି କାମ କରିବେ ବୋଲି ପ୍ରଫେସର କାମକୋତ୍ତି ଆଶା ପୋଷଣ କରିଛନ୍ତି ।

ଏହି ଚୁକ୍ତି ଫଳରେ କାର୍ଡ ଓଡ଼ିଶା ଓ ତାମିଲନାଡୁ ମଧ୍ୟରେ ଥିବା ସମସ୍ତ ଆଦିବାସୀ ବହୁଳ ଅଞ୍ଚଳରେ ଶିକ୍ଷା , ଉଚ୍ଚଶିକ୍ଷା ପାଇଁ ପ୍ରେରଣା ଓ ମେଧା ଅନ୍ୱେଷଣ କାର୍ୟ୍ୟକ୍ରମ ମାନ ଆରମ୍ଭ କରି ଉଭୟ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ଶିକ୍ଷାର ବିକାଶ କ୍ଷେତ୍ରରେ କାର୍ୟ୍ୟ କରିବ । ଗବେଷଣା ଶିକ୍ଷାର ଏକ ପ୍ରମୁଖ ଅଂଶ ହୋଇଥିବାରୁ ଏହିପ୍ରତି ଵିଶେଷ ଗୁରୁତ୍ୱ ଦିଆଯିବ ବୋଲି କାର୍ଡ ର ପ୍ରମୁଖ ଉପଦେଷ୍ଟା ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଆଶା ପ୍ରକାଶ କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।
କାର୍ଡର ଅନ୍ୟତନ ଉପଦେଷ୍ଟା ପ୍ରଫେସର ଶ୍ରୀନିବାସୁଲୁ ଏହି ଚୁକ୍ତିକୁ ଆଦିବାସୀ ବିକାଶ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି । ସୂଚନା ଥାଉ କି ଦେଶ ର ପ୍ରଥମ ଆଇ ଆଇ ଟି ଭାବରେ ଖଡ଼ଗପୁର କାର୍ଡ ସହ ଚୁକ୍ତି କରିଥିଲା , ଅଦ୍ୟାବଧି ଆଇ ଆଇ ଏମ ସମ୍ବଲପୁର , ସେଣ୍ଟ୍ରାଲ ୟୁନୁଭରସିଟି ଅଫ ଓଡ଼ିଶା, ଏନ ୟୁ ଜେ ଏସ କୋଲକାତା , ନେସନାଲ ଲ ୟୁନୁଭରସିଟି କଟକ , ଶ୍ରୀ ଶ୍ରୀ ୟୁନୁଭରସିଟି କଟକ , ଭଳି ଅନେକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସହିତ ମିଶି କାର୍ଡ କାମ କରିଚାଲିଛି । ଏହି ଚୁକ୍ତି ଫଳରେ ଆଦିବାସୀ ମାନଙ୍କ ବୈଷୟିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କାର୍ଡ ର କାର୍ୟ୍ୟନିର୍ବାହୀ ନିର୍ଦେଶକ ରୁଦ୍ରନାରାୟଣ ଦାଶ କହିଛନ୍ତି।
ଏହି ଚୁକ୍ତି କୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି ଓ ସମାଜରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ କାର୍ଡ ର ଉଦ୍ୟମ କୁ ପ୍ରସଂଶା କରାଯାଇଛି । ନିରବଚ୍ଛିନ୍ନ ଭାବେ କାର୍ଡ ଦ୍ୱାରା ଜାରିରହିଥିବା ସେମିନାର ଓ ୱେବିନାର ଗୁଡିକ ପାଇଁ ବିଦେଶରେ ରେ କାର୍ଡ ଏକ ଅଗ୍ରଣୀ ଗବେଷଣା ସଂସ୍ଥା ଭାବରେ ଖ୍ୟାତି ଅର୍ଜନ କରିଛି ।

କାର୍ଡ ର ସମସ୍ତ ଉପଦେଷ୍ଟା , ସଦସ୍ୟ ଓ କର୍ମକର୍ତ୍ତା ଏବଂ ଆଇ ଆଇ ଟି ମାଡ୍ରାସ ର ସମସ୍ତ ପ୍ରାଧ୍ୟାପକ ପ୍ରାଧ୍ୟାପିକା , ପ୍ରଶାସନିକ କର୍ମଚାରୀ ମାନେ ଏହି ଚୁକ୍ତି ଫଳରେ ପରସ୍ପର ନିକଟତର ହୋଇ ପରସ୍ପରକୁ ଶୁଭେଚ୍ଛା ପ୍ରଦାନ କରିଥିଲେ। କାର୍ଡ ର ଅନ୍ୟତମ ଉପଦେଷ୍ଟା ଶୁଭମ ଦାଶ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ହେବ ବୋଲି ଘୋଷଣା କରିଥିଲେ।

Comments are closed.