ଠକେଇ ଓ ଜାଲିଆତି ମାମଲାରେ ଜିନ୍ଦଲ ମୋଟର୍ସର ମାଲିକ ଗିରଫ

ଦେବଗଡ: ଗାଡି କିଣାବିକା ଆଳରେ ଠକେଇ ଏବଂ ଜାଲିଆତି ମାମଲାରେ ଦେବଗଡ ଥାନା ପୁଲିସ ଆଜି ସ୍ଥାନୀୟ ଜିନ୍ଦଲ ମୋଟର୍ସର ମାଲିକ ଉମେଶ ଅଗ୍ରୱାଲା ଓ ସେଲ୍ସ ଏକଜିକ୍ୟୁଟିଭ ଚନ୍ଦନ ଦାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଜିନ୍ଦଲ ମୋଟର୍ସର ମାଲିକ ଉମଶେ ଅଗ୍ରୱାଲା ଓ ସେଲ୍ସ ଏକଜିକ୍ୟୁଟିଭ ଚନ୍ଦନ ଦାଶ ଦେବଗଡ ଥାନା ଅନ୍ତର୍ଗତ ଆମ୍ବୁଲପାଣି ଗ୍ରାମର ଦୁଃଖୁ କିଣ୍ଡୋ ନାମକ ଜଣେ ଯୁବକଙ୍କୁ ଏକ ପୁରୁଣା ବାଇକ ବିକ୍ରୀକରି ଏବାବଦକୁ ୩୦ ହଜାର ଟଙ୍କା ଆଦାୟ କରିଥିଲେ। ମାତ୍ର ଏବାବଦକୁ ପ୍ରଦାନ କରାଯାଇଥିବା ରସିଦ ଜାଲ ବୋଲି ଜାଣିବା ପରେ ଦୁଃଖୁ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇ ଗତ ୧୦ ତାରିଖ ଦିନ ନ୍ୟାୟ ପାଇଁ ଦେବଗଡ ଥାନାର ଦ୍ବସରସ୍ତ ହୋଇଥିଲେ।

ଅଭିଯୋଗ ଆଧାରରେ ଦେବଗଡ ଆଦର୍ଶ ଥାନା ପୁଲିସ ଜିନ୍ଦଲ ମୋଟର୍ସର ମାଲିକ ଉମେଶ ଓ ସେକ୍ସ ଏକଜିକ୍ୟୁଟିଭ ଚନ୍ଦନ ବିରୁଦ୍ଧରେ ଠକେଇ ଓ ଜାଲିଆତି ମାମଲା ଋଜୁ କରିବା ସହ ଉଭୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗୁରୁତ୍ୱ ପୂର୍ଣ୍ଣ ବିଷୟ ଏହା ଯେ,ଉମେଶ ଏକାଧିକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ସହଯୋଗରେ ନିରୀହ ଲୋକଙ୍କୁ କିସ୍ତି ସୂତ୍ରରେ ନୂଅାଁ ଗାଡି କିଣିବା ନାମରେ ଠକେଇ କରିଆସୁଥିଲେ। ଏହି କ୍ରମରେ ସେ ଗ୍ରାହକ ମାନଙ୍କ ଠାରୁ ଡାଉନ ପେମେଂଟ ଓ କିସ୍ତି ଆଦାୟ କରୁଥିଲେ ହେଁ ଗ୍ରାହକ ମାନଙ୍କ ନାମରେ ଗାଡିର ରେଜଷ୍ଟ୍ରେସନ ନକରି ନିଜ ନାମରେ ରେଜିଷ୍ଟ୍ରସନ କରୁଥିଲେ। ଏହିଭଳି ସେ ପ୍ରାୟ ୫୦ରୁ ୬୦ଟି ଗାଡି ନିଜ ନାମରେ ରେଜିଷ୍ଟ୍ରେସନ କରିଥିବା ଏବଂ ଉକ୍ତ ସମସ୍ତ ଗାଡି ଉମେଶଙ୍କ ମାଲିକାନାରେ ରହିଥିବା ପୁଲିସ ଅନୁସନ୍ଧାନ ସମୟରେ ଜାଣିବାକୁ ପାଇଛି। ଏହି କ୍ରମରେ ଉମେଶ ଗତ ୨୦୧୯ ମସିହା ମଇ ମାସରେ ସ୍ଥାନୀୟ ଲାଲୁସାହିର ଚନ୍ଦ୍ରଶେଖର ସାହୁଙ୍କ ଠାରୁ ଡାଉନ ପେମେଂଟ ବାବଦରେ ୩୦ ହଜାର ଟଙ୍କା ଆଦାୟ କରିଥିଲେ ହେଁ ନିଜ ନାମରେ ଉକ୍ତ ଗାଡିର ରେଗଷ୍ଟ୍ରେସନ କରାଇଥିଲେ।

ଚନ୍ଦ୍ରଶେଖର ଉକ୍ତ ଗାଡି ବାବଦୀୟ ଆରସି ବିକ ଏବଂ ଅନ୍ୟାନ୍ୟ କାଗଜପତ୍ର ଦାବୀ କରିବାରୁ ଉମେଶ ତାଙ୍କୁ ଏହା ପ୍ରଦାନ ନକରି ଦୀର୍ଘ ଏକବର୍ଷ ପର୍ଯ୍ୟନ୍ତ ଦିନ ଗଡାଇଚାଲିଥିଲେ। ତେବେ ଗତ ୨୮ ତାରିଖ ଦିନ ଜିନ୍ଦଲ ମୋଟର୍ସର ସେଲ୍ସ ଏକଜିକ୍ୟୁଟିଭ ଚନ୍ଦନ ଚନ୍ଦ୍ରଶେଖରଙ୍କ ଘରକୁ ଯାଇ ତାଙ୍କୁ ଏକ ନୂଆ ବାଇକ ପ୍ରଦାନ କରିବାର ପ୍ରଲୋଭନ ଦେଖାଇ ଉକ୍ତ ପୁରୁଣା ବାଇକଟିକୁ ନିଜ ସାଥୀରେ ନେଇ ଆସିଥିଲେ। ଏଣେ ଏକ ପୁରୁଣା ବାଇକ ଯୋଗାଇଦେବାକୁ କହି ଆମ୍ବୁଲପାଣି ଗ୍ରାମର ଦୁଃଖୁ କିଣ୍ଡୋ ନାମକ ଜଣେ ଯୁବକଙ୍କ ଠାରୁ ୩୦ ହଜାର ଟଙ୍କା ଆଦାୟ କରି ଉକ୍ତ ବାଇକଟି ପ୍ରଦାନ କରିବାସହ ତାଙ୍କୁ ଜାଲ ରସିଦ ପ୍ରଦାନ କରିଥିଲେ। ଉକ୍ତ ରସିଦଟି ଜାଲ ବୋଲି ଜଣାପଡିବା ପରେ ଦୂଃଖୁ ଗତ ୧୦ ତାରିଖ ଦିନ ଏନେଇ ଦେବଗଡ ଆଦର୍ଶ ଥାନାରେ ଲିଖୀତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଉକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବାସହ ସମ୍ପୃକ୍ତ ବାଇକଟିକୁ ମଧ୍ୟ ଜବତ କରିଛି। ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତ ଉମେଶ ୨୦୧୫ ମସିହା ପର୍ଯ୍ୟନ୍ତ ସମ୍ବଲପୁର ଜିଲାର କୁଚିଣ୍ଡାଠାରେ କୋଣାର୍କ ଅଟୋସପ ନାମରେ ଏକ ଶୋରୁମ ଚଳାଇଥିଲେ। ସେହି ସମୟରେ ତାଙ୍କ ବିରୁଦ୍ଧରେ ବହୁ ଠକେଇ ଅଭିଯୋଗ ଆସିଥିଲା ଓ ସେ ଦେବଗଡରେ ଜିନ୍ଦଲ ମୋଟର୍ସ ନାମରେ ଅନ୍ୟଏକ ବାଇକ ଶୋରୁମ ଚଳାଇ ଅସୁଥିବା ପୁଲିସ ସୂତ୍ରରୁ ଜଣାପଡିଛି।

Comments are closed.