କ୍ଷତିପୂରଣ ଦାବିରେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ଠିକା ବିଦ୍ୟୁତ୍‌‌ କର୍ମଚାରୀଙ୍କ ମୃତ୍ୟୁ

ଆଠଗଡ :  ଆଠଗଡ ବିଦ୍ୟୁତ ବିଭାଗର ନୂଆପାଟଣା ସେକ୍ସନରେ କାର୍ଯ୍ୟରତ ଜଣେ ବିଦ୍ୟୁତ କର୍ମଚାରୀଙ୍କର କର୍ତ୍ତବ୍ୟରତ (ଡ୍ୟୁଟି)ରେ ଥିବା ସମୟରେ ଅସୁସ୍ଥ ହେବା ଏବଂ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଗତ ୭ତାରିଖ ଦିନ ଠିକା କର୍ମଚାରୀ ଲାଇନ ମ୍ୟାନ ଆନନ୍ଦ ବେହେରା ମାଣିଆବନ୍ଧ ଅଞ୍ଚଳରେ ଡ୍ୟୁଟିରେ ଥିବା ସମୟରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ମାଣିଆବନ୍ଧ ଡାକ୍ତରଖାନା ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜ ହାସପାତାଳରେ ଭର୍ତ୍ତି କରାଯାଇଥିଲା। ସୋମବାର ଦିନ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କ ମୃତ ଦେହକୁ ଆଠଗଡ ଅଣାଯାଇ କର୍ମଚାରୀ ସଂଘ ପକ୍ଷରୁ କ୍ଷତିପୂରଣ ଦାବିରେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ଧାରଣା ଦିଆଯାଇଥିଲା। ତାଙ୍କ ପୁଅକୁ ନିଯୁକ୍ତି ସହିତ ତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଠିକା କର୍ମଚାରୀ ସଂଘ ପକ୍ଷରୁ ସେଠାରେ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା । ଏହି ସମୟରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୁମାର ବିଶି ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାସୁୁଝା କରିଥିଲେ । ପରେ ଠିକାସଂସ୍ଥା ପକ୍ଷରୁ କ୍ଷତିପୂରଣ ବାବଦରେ ୫୦ହଜାର ଟଙ୍କା ଓ ଉପଜିଲ୍ଲାପାଳଙ୍କ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରାଯିବା ସହ ଜିଲ୍ଲାପାଳଙ୍କ ରେଡକ୍ରସ ପାଣ୍ଠିରୁ ଆଉ କିଛି ଆର୍ଥିକ ସହାୟତା ପ୍ରଦାନ ପାଇଁ ଉଦ୍ୟମ କରିବେ ବୋଲି ଏସଡିପିଓ ଶ୍ରୀ ବିଶି କହିଥିଲେ । ଏହା ସହ ତାଙ୍କ ପୁଅକୁ ଠିକା ସଂସ୍ଥାରେ ସହାୟକ ପଦବୀରେ ଚାକିରୀ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Comments are closed.