www.samajalive.in
Sunday, December 7, 2025
14.1 C
Bhubaneswar

କନ୍ଧମାଳ ହଳଦୀ, ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ, କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ଜିନିଷ କିଣିବାକୁ ଲୋକଙ୍କ ଆଗ୍ରହ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଛି ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪। ଏହି ମେଳାରେ ଓଡ଼ିଶାର ମିଶନ ଶକ୍ତି ମହିଳାମାନଙ୍କ ହାତ ତିଆରି ବିଭିନ୍ନ ଉତ୍ପାଦର ବିଶେଷ ଚାହିଦା ରହିଛି। କନ୍ଧମାଳ ହଳଦୀ ସହିତ ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ‘ଓଡ଼ିଶା ମଣ୍ତପ’ରେ ଲୋକଙ୍କର ଭିଡ଼ ଜମୁଛି।

ନଭେମ୍ବର ୧୪ରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆରମ୍ଭ ହୋଇଛି। ସୋମବାର ଦିନ ସଂସଦୀୟ କମିଟିର (ବାଣିଜ୍ୟ) ପ୍ରତିନିଧିମାନେ ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିଥିଲେ। ଓଡ଼ିଶାର କାରୁକାର୍ଯ୍ୟ, କଳା କାରିଗରିକୁ ଦେଖି ସେମାନେ ପ୍ରଶଂସା କରିଥିଲେ।

- Advertisement -

‘ଓଡ଼ିଶା ମଣ୍ଡପ’ରେ ଏଥର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୨୫ଟି ଷ୍ଟଲ ସ୍ଥାନ ପାଇଛି। ତା’ଭିତରେ ମିଶନ ଶକ୍ତି ବିଭାଗ ପକ୍ଷରୁ ୫ଟି ଷ୍ଟଲ ରହିଛି। ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର (ଏସଏଚଜି) ସଦସ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଆକର୍ଷଣ ସାଜିଛି।

ଯାଜପୁର ଜିଲ୍ଲାର ଜୟ ମା’ ମଙ୍ଗଳା ଏସଏଚଜି, କେନ୍ଦ୍ରାପଡ଼ା ଜିଲ୍ଲାର ସତ୍ୟସାଇ ଉତ୍ପାଦକ ଗୋଷ୍ଠୀ, ବାଲେଶ୍ୱରର ମା’ ସୁଭଦ୍ରା ଏସଏଚଜି, କନ୍ଧମାଳର ଶ୍ରୀୟା ଏସଏଚଜି ଏବଂ ଖୋର୍ଦ୍ଧାର ରାଧାରାଣୀ ଏସଏଚଜି ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଓଡ଼ିଶା ମଣ୍ଡପରେ ପ୍ରଦର୍ଶନ ଓ ବିକ୍ରି କରାଯାଉଛି।

‘‘ପ୍ରଥମ ଥର ପାଇଁ ଆମେ ଦିଲ୍ଲୀରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାକୁ ଆସିଛୁ। ଆମ ଷ୍ଟଲରେ ଜଉ କଣ୍ଢେଇ ଓ ଲାଖ ଚୁଡ଼ି ଭଲ ବିକ୍ରି ହେଉଛି। ଲୋକମାନେ ଆସି ଏହାକୁ ଆଗ୍ରହର ସହିତ କିଣିବା ସହ ଏସବୁ କେମିତି ତିଆରି ହେଉଛି ତାହା ପଚାରି ବୁଝୁଛନ୍ତି’’, କହିଛନ୍ତି ଏସଏଚଜି ସଦସ୍ୟା ଫୁଲମଣି ସୋରେନ୍।

‘‘ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ନେଇ ଆମେ ଦିଲ୍ଲୀ ଆସିଛୁ। ମାଣ୍ଡିଆ ଛତୁଆ, କୁରୁମା, ବିସ୍କୁଟ ଆଦି କିଣିବାକୁ ଲୋକେ ପସନ୍ଦ କରୁଛନ୍ତି। ଆମେ ଭଲ ଦି’ ପଇସା ବ୍ୟବସାୟ ମଧ୍ୟ କରିପାରୁଛୁ,’’ କହିଛନ୍ତି ଏସଏଚଜି ସଦସ୍ୟା ପୂର୍ଣ୍ଣିମା ବେହେରା।

‘ଓଡ଼ିଶା ମଣ୍ଡପ’ରେ ଥିବା ମିଶନ ଶକ୍ତି ଷ୍ଟଲରେ କନ୍ଧମାଳ ହଳଦୀ ସହିତ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ନୁଡୁଲ୍ସ, ମିକ୍ସଚର, କୁରୁମା, ନିମିକି, ସେଉ ଏବଂ ଲଡୁ ଆଦି ରହିଛି। ସେହିପରି ଟସରରୁ ତିଆରି ଆକର୍ଷଣୀୟ ଶାଢ଼ି ଓ ଆଧୁନିକ ପୋଷାକ, ଜଉ କଣ୍ଢେଇ ଓ ଲାଖ ଚୁଡ଼ି, କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ଘର ସାଜସଜ୍ଜା ଜିନିଷ ଏବଂ ବିଭିନ୍ନ ମସଲା ଆଦି ଦର୍ଶକଙ୍କୁ ଆକୃଷ୍ଟ କରୁଛି।

ମିଶନ ଶକ୍ତି ବିଭାଗ ପକ୍ଷରୁ ଖୋଲାଯାଇଥିବା ୫ଟି ଷ୍ଟଲରେ ୧୦ରୁ ଅଧିକ ଏସଏଚଜି ମହିଳା ଅଂଶଗ୍ରହଣ କରିଛନ୍ତି। ଦିଲ୍ଲୀ ବଜାରରେ ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି ଓ ପ୍ରଦର୍ଶନ କରିବାର ସୁଯୋଗ ପାଇଥିବାରୁ ସେମାନେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବାଣିଜ୍ୟ ମେଳା ବୁଲି ଆସୁଥିବା ଲୋକମାନେ ଓଡ଼ିଶା ମଣ୍ଡପରେ ମିଶନ ଶକ୍ତି ଷ୍ଟଲରୁ ମା’ମାନଙ୍କ ହାତ ତିଆରି ଜିନିଷ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଏକ ଅନନ୍ୟ ପଦକ୍ଷେପକୁ ସେମାନେ ପ୍ରସଂଶା କରୁଛନ୍ତି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories