www.samajalive.in
Saturday, December 6, 2025
17.1 C
Bhubaneswar

ମାଗଣା ନୁହେଁ, ନିଯୁକ୍ତି ସୃଷ୍ଟି କରନ୍ତୁ ସରକାର

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ଆକର୍ଷିତ ତଥା ପ୍ରଭାବିତ କରିବାକୁ ବିଭିନ୍ନ ମାଗଣା ସୁବିଧା, ସୁଯୋଗ ଓ ଉପହାର ଆଦି ଘୋଷଣା କରୁଛନ୍ତି। ଏଭଳି ଧାରା ଏବେ ଅଧିକରୁ ଅଧିକ ଦେଖିବାକୁ ମିଳୁଛି। ରାଷ୍ଟ୍ରର ଅର୍ଥନୀତିକୁ ସମୃଦ୍ଧ କରିବା ପରିବର୍ତ୍ତେ ଏହା ସେମାନଙ୍କ ନିର୍ଭରଶୀଳତା ବଢ଼ାଉଛି। ପ୍ରାୟ ସବୁ କିଛି ମାଗଣାରେ ଉପଲବ୍ଧ ହେଉଥିବାରୁ ଲୋକମାନେ ଆଉ କୌଣସି କାମ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଏଭଳି ମାଗଣା ବଣ୍ଟନ ଯୋଗୁଁ ଆମେ ଏକ ଅଳସୁଆ ତଥା ପରଜୀବୀ (ପାରାସାଇଟ୍‌) ଶ୍ରେଣୀ ବା ବର୍ଗ ସମାଜରେ ସୃଷ୍ଟି କରୁନାହେଁ କି ? ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ବିଚାରପତି ବି.ଆର୍‌. ଗଭାଇ ଓ ବିଚାରପତି ଅଗଷ୍ଟାଇନ୍‌ ଜର୍ଜ ମାସୀ ନିର୍ବାଚନ ପୂର୍ବ ପ୍ରତିଶ୍ରୁତି ଓ ପରବର୍ତ୍ତୀ ସମୟରେ ଏହାର ପ୍ରଭାବକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଅନେକ ବ୍ୟକ୍ତି ମାଗଣା ରେସନ ଓ ଆର୍ଥିକ ସହାୟତା ପାଉଥିବାରୁ ସେମାନେ ଆଉ କୌଣସି କାମ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହି ବର୍ଗର ଲୋକମାନଙ୍କୁ ଆମେ ସମାଜର ବିକାଶମୂଳକ କାର୍ଯ୍ୟରେ ନିଜର ସହଯୋଗ ରଖିବା ଲାଗି ପ୍ରବର୍ତ୍ତାଇବା ତଥା ପ୍ରୋତ୍ସାହନ ଦେବା ପରିବର୍ତ୍ତେ ସମାଜରେ ଏକ ପରଜୀବୀ ଶ୍ରେଣୀ ସୃଷ୍ଟି କରୁନେ କି ବୋଲି ବିଚାରପତି ଗଭାଇ ମନ୍ତବ୍ୟ ଦେଇଛନ୍ତି। ସହରାଞ୍ଚଳରେ ଗୃହଶୂନ୍ୟଙ୍କ ଲାଗି ଆଶ୍ରୟ ଯୋଗାଇବା ଅଧିକାର ସଂକ୍ରାନ୍ତ ଏକ ମାମଲାର ବିଚାର କରି ବିଚାରପତି ଗଭାଇ ଏଭଳି ମାଗଣା ଘୋଷଣାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ‘ଲଡ୍‌କୀ ବହୀନ୍‌’ ଭଳି କେତେକ ଯୋଜନା ସମ୍ପର୍କରେ ଉଲ୍ଲେଖ କରି ଏହା ଲୋକଙ୍କ କର୍ମ ସଂସ୍କୃତିକୁ ନଷ୍ଟ କରୁଥିବା ମନ୍ତବ୍ୟ ରଖିଥିଲେ। ବିନା ନିଯୁକ୍ତି ଓ କର୍ମସଂସ୍ଥାନରେ ସେମାନଙ୍କୁ ଏଭଳି ଆର୍ଥିକ ସହାୟତା ପ୍ରଦାନକୁ ବିଚାରପତି ସମାଲୋଚନା କରିଥିଲେ; ବରଂ ଏହି ଅର୍ଥରେ ସେମାନଙ୍କ ନିଯୁକ୍ତି ଲାଗି ଭିତ୍ତଭୂମି ନିର୍ମାଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହାଦ୍ବାରା ଶ୍ରମ ଶକ୍ତିକୁ ଅଧିକ ସଂଗଠିତ କରାଯାଇପାରିବ ବୋଲି ସେ କହିଥିଲେ। ଉକ୍ତ ଖଣ୍ଡପୀଠ ପ୍ରତିପକ୍ଷଙ୍କୁ କହିଥିଲେ କି, ଆମେ ତୁମ ଉଦ୍‌ବେଗକୁ ଗ୍ରହଣ କରୁଛୁ; କିନ୍ତୁ ଏଭଳି ବ୍ୟବସ୍ଥା ଓ ଘୋଷଣା ସମାଜର ମୁଖ୍ୟ ସ୍ରୋତକୁ ବିକାଶର ଅଭିମୁଖୀ କରିପାରିବ ନାହିଁ। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ଲୋକଙ୍କୁ ମାଗଣା ଯୋଜନା ଅପେକ୍ଷା କର୍ମ ସଂସ୍କୃତି ଲୋଡ଼ା ବୋଲି କହିଥିଲେ। ଦେଶର ଅଧିକାଂଶ ନାଗରିକଙ୍କୁ ସୁଯୋଗ ମିଳିଲେ ସେମାନେ କାର୍ଯ୍ୟ କରିବା ଲାଗି ଆଗ୍ରହ ପ୍ରକାଶ କରନ୍ତି ବୋଲି କହିଥିଲେ। ବିଚାରପତି ଗଭାଇ ଏହା ଉପରେ ମନ୍ତବ୍ୟ ଦେଇ କହିଥିଲେ, ତୁମ ପାଖରେ ଏକପାଖିଆ ଜ୍ଞାନ ରହିଛି। ମୁଁ ଏକ କୃଷକ ପରିବାରରୁ ଆସିଛି। ମହାରାଷ୍ଟ୍ରରେ ଏଭଳି ମାଗଣା ଯୋଜନା ନିର୍ବାଚନ ପୂର୍ବରୁ ଘୋଷଣା କରାଯାଇଥିଲା। କୃଷିବିତ୍‌ମାନେ ଶ୍ରମିକ ନୁହନ୍ତି ବୋଲି ବିଚାରପତି ସ୍ପଷ୍ଟ କହିଥିଲେ। ତେବେ ଏହି ପ୍ରସଙ୍ଗରେ ସେ ବ୍ୟାପକ ବିତର୍କ କରିବାରୁ ବିରତ ରହିଥିଲେ। ଗୃହଶୂନ୍ୟଙ୍କ ପାଇଁ ଆଶ୍ରୟ ଯୋଗାଇବା ଏକ ପ୍ରାଥମିକତା। ଏହା କରାଯିବା ମଧ୍ୟ ଜରୁରୀ। ତେବେ କଲ୍ୟାଣମୂଳକ ଯୋଜନା ଓ ନୀତି କ୍ରିୟାନ୍ବୟନବେଳେ ଏଥିରେ ଭାରସାମ୍ୟ ରହିବା ଗୁରୁତ୍ବପୂର୍ଣ୍ଣ। ସମସ୍ତଙ୍କ ପାଇଁ ଯୋଜନା ଘୋଷଣା ନ କରି ନିର୍ଦିଷ୍ଟ ଦୁର୍ଗତ ଶ୍ରେଣୀ ଲାଗି ବ୍ୟବସ୍ଥା କରାଯିବା ଦ୍ବାରା କଲ୍ୟାଣକାରୀ ଯୋଜନାର ଭାରସାମ୍ୟ ରହିପାରିବ ବୋଲି ସେ କହିଥିଲେ।
ଆଟର୍ଣ୍ଣି ଜେନେରାଲ ଆର୍‌. ଭେଙ୍କଟରମଣୀ କୋର୍ଟଙ୍କୁ କେନ୍ଦ୍ର ସରକାର ଚଳାଇଥିବା ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମିଶନ ସମ୍ପର୍କରେ ଅବଗତ କରାଇଥିଲେ। ଏଥିରେ ଗୃହଶୂନ୍ୟଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା ଥିବା କହିଥିଲେ। ତେବେ ଏହି ଯୋଜନା ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଅନ୍ତର୍ଗତ କରାଯାଉଛି କି ନାହିଁ ଏବଂ ଏହି ଯୋଜନା କେବେ ସୁଦ୍ଧା କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କ​‌ରେ ସମୟସୀମା ଧାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ। ଏପରିକି ସବୁ ରାଜ୍ୟରୁ ତଥ୍ୟ ସଂଗ୍ରହ କରି ଗୃହହୀନଙ୍କ ସମ୍ପର୍କରେ ତଥ୍ୟ ଏକାଠି କରିବାକୁ କେନ୍ଦ୍ରକୁ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଶୁଣାଣିବେଳେ ଜଣେ ଆବେଦନକାରୀ ଭିନ୍ନ ପ୍ରଶ୍ନ କରିଥିଲେ। ସରକାର ଗରିବଙ୍କ ଅପେକ୍ଷା ବିତ୍ତଶାଳୀ ଲୋକଙ୍କୁ ଅଧିକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଖଣ୍ଡପୀଠ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବିଚାରପତି ଗଭାଇ କୋର୍ଟ ରୁମ୍‌କୁ ରାଜନୀତିକ ରଣକ୍ଷେତ୍ରରେ ପରିଣତ ନ କରିବାକୁ ଚେତାବନୀ ଦେଇଥିଲେ। ରାମଲୀଳା ମୈଦାନରେ ଭାଷଣ ଦେଲାଭଳି କୋର୍ଟରେ ଏଭଳି କୁହ ନାହିଁ ବୋଲି ଜଷ୍ଟିସ ଗଭାଇ ଏଠାରେ ରାଜନୀତିକ ଭାଷଣରୁ ଦୂରେଇ ରହିବାକୁ ଆବେଦନକାରୀ ଓକିଲଙ୍କୁ ନିର୍ଦେଶ ଦେଇଥିଲେ।
ପ୍ରଶାନ୍ତ ଭୂଷଣ ଅଦାଲତରେ ତଥ୍ୟ ରଖି କହିଥିଲେ, ୪ ଡିସେମ୍ବର ୨୦୨୪ ସୁଦ୍ଧା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଲାଗି ୨୫୫୭ ଆଶ୍ରୟ ସ୍ଥଳ ମଞ୍ଜୁର ହୋଇଥିବାବେଳେ ସେଥିମଧ୍ୟରୁ ୧୯୯୫ଟି ଆଶ୍ରୟସ୍ଥଳ କାର୍ଯ୍ୟକ୍ଷମ ହୋଇଛି। ଯେଉଁଥିରେ ୧ଲକ୍ଷ ୧୬ହଜାର ଶଯ୍ୟା ରହିଛି। ମାତ୍ର ଏଥିରେ ସହରାଞ୍ଚଳର ଆଶ୍ରୟ ଶର୍ଯ୍ୟା କ୍ଷମତା ମାତ୍ର ୧୭ହଜାର ବୋଲି ଶ୍ରୀ ଭୂଷଣ ତଥ୍ୟ ରଖିଥିଲେ। ତେବେ ଅଦାଲତ ୬ସପ୍ତାହ ଭିତରେ ଏନେଇ ଠିକ୍‌ ତଥ୍ୟ ମନ୍ତ୍ରଣାଳୟରୁ ଅାଣି କୋର୍ଟରେ ଉପଲବ୍ଧ କରାଇବାକୁ ଆଟର୍ଣ୍ଣି ଜେନେରାଲଙ୍କୁ ଖଣ୍ଡପୀଠ ନିର୍ଦେଶ ଦେଇଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories