ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ୫୬୦ କିଲୋଗ୍ରାମ ଓଜନର କୋକେନ ଜବତ କରିଛି। ଯାହାର ମୂଲ୍ୟ ୫୬୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଦିଲ୍ଲୀ ଏବଂ ମୁମ୍ବାଇରେ ଗ୍ରାଣ୍ଡ କନସର୍ଟ ଆୟୋଜନ ହେବାର କିଛିଦିନ ପୂର୍ବରୁ ଏତେ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଥିବାରୁ ଏହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ ତୁଷାର ଗୋୟଲ ନାମକ ନିଶା ମାଫିଆ ସମେତ ୪ ଜଣଙ୍କୁ ଗିରଫ କରିଛି। ଘଟଣା ପଛରେ ଅନ୍ତର୍ଜାତୀୟ ନିଶା ମାଫିଆଙ୍କ ସମ୍ପୃକ୍ତି ରହିଥିବା ସୂଚନା ମିଳିଛି। ଭରତ ନାମକ ବ୍ୟକ୍ତି ୧୫ କିଲୋଗ୍ରାମ କୋକେନ ମୁମ୍ବାଇ ଚାଲାଣ କରି ନେଉଥିବାବେଳେ ପୁଲିସ ତାଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ଏହି ନିଶା କାରବାର ରାକେଟ୍ର ମୁଖ୍ୟ ଅଭିଯୁକ୍ତ ତୁଷାର ଗୋୟଲକୁ ପୁଲିସ ବସନ୍ତ କୁଞ୍ଜରୁ ଗିରଫ କରିଛି। ତୁଷାରଙ୍କ ପରିବାର ପାହାଡ଼ଗଞ୍ଜରେ ପ୍ରକାଶନୀ ବ୍ୟବସାୟ କରୁଛନ୍ତି। ତୁଷାରଙ୍କ ବ୍ୟତୀତ ଅନ୍ୟ ୩ ଅଭିଯୁକ୍ତ ହେଲେ ଭରତ, ହିମାଂଶୁ ଏବଂ ଔରଙ୍ଗଜେବ। ସେମାନଙ୍କୁ ମହିପାଲପୁରରୁ ଗିରଫ କରାଯାଇଛି। ତଦନ୍ତରୁ ଜଣାଯାଇଛି ଯେ, ଗିରଫ ହୋଇଥିବା ନିଶା ମାଫିଆଙ୍କ ସମ୍ପର୍କ ମଧ୍ୟପ୍ରାଚ୍ୟର ନିଶା ମାଫିଆଙ୍କ ସହିତ ରହିଛି। ଭାରତ ସହିତ ଅନ୍ୟାନ୍ୟ ଦେଶକୁ ଏହି ମାଫିଆ ଗ୍ୟାଙ୍ଗ ନିଶାଦ୍ରବ୍ୟ ଚାଲାଣ କରୁଥିବା ଜଣାଯାଇଛି।




