ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଆଉ କିଛି ସମୟ ପରେ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ଜରୁରୀକାଳୀନ ଶୁଣାଣି କରିବେ। ଗତକାଲି ପଟିଆଲା ହାଉସ କୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଦୋଷୀଙ୍କ ଡେଥ ୱାରଣ୍ଟ ରଦ୍ଦ କରିବା ସହ ସେମାନଙ୍କ ଫାଶୀ ତାରିଖ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସେହି ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶ୍ରମର ରାଜକ୍ଷମା ଆବେଦନ ଖାରଜ କରିଦେବା ପରେ ଅନ୍ୟ ଅଭିଯୁକ୍ତ ଅକ୍ଷୟ ଠାକୁର ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି।
ଅକ୍ଷୟ ତାର ରାଜକ୍ଷମା ଆବେଦନରେ ଦର୍ଶାଇଛି ଯେ ମହିଳାଙ୍କ ବିରୋଧରେ ହିଂସା ଉପରେ ସାଧାରଣ ଜନତାଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି କୋର୍ଟ ତାଙ୍କୁ ଫାଶୀ ଦଣ୍ଡ ଦେଇଛନ୍ତି। ସେ କହିଛି ଯେ ପୂର୍ବରୁ ୧୭ଟି ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ତିନି ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଫାଶୀ ଦଣ୍ଡକୁ ପରିବର୍ତ୍ତନ କରି ଆଜୀବନ କାରାଦଣ୍ଡ ଦେଇଥିଲେ।



