www.samajalive.in
Saturday, December 6, 2025
17.1 C
Bhubaneswar

ସମ୍ଭାବ୍ୟ ତୃତୀୟ ଲହର ପାଇଁ ଦିଲ୍ଲୀ ସରକାରଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ତୃତୀୟ ଲହର ବ୍ୟାପିବା ସମ୍ଭାବନା ରହିଥିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇବା ପରେ ଦିଲ୍ଲୀ ସରକାର ସେଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପରିସ୍ଥିତିର ମୁକାବିଲା କରିବାକୁ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଇତିମଧ୍ୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ୧୩ ସଦସ୍ୟ ବିଶିଷ୍ଟ ଏକ ମଣ୍ଡଳୀ ଗଠନ କରାଯାଇଛି। ଏସିଏସ-ପାୱାର ସତ୍ୟ ଗୋପାଳ ଏହି ମଣ୍ଡଳୀର ନେତୃତ୍ୱ ନେବେ। ତାହାସହିତ ଅମ୍ଳଜାନ ଅଭାବ ଜନିତ ମୃତ୍ୟୁ ଘଟଣା ଅନୁଧ୍ୟାନ କରିବାକୁ ଆଉ ଏକ ୬ ସଦସ୍ୟ ବିଶିଷ୍ଟ ମଣ୍ଡଳୀ ଗଠନ କରାଯାଇଛି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି ଏକ ଆଦେଶନାମା ଅନୁଯାୟୀ ୧୩ ସଦସ୍ୟ ବିଶିଷ୍ଟ ମଣ୍ଡଳୀ ବର୍ତ୍ତମାନ ସ୍ଥିତିର ଆକଳନ କରିବା ସହିତ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିଭିନ୍ନ ଦିଗ, ଯେପରିକି ଅମ୍ଳଜାନ ଉତ୍ପାଦନ ୟୁନିଟ, ଔଷଧ ଯୋଗାଣ ଆଦି କେତେ ପରିମାଣରେ ଆବଶ୍ୟକ ତାହାର ଆକଳନ କରିବେ ଏବଂ ତୃତୀୟ ଲହର ମୁକାବିଲା ପାଇଁ ଏକ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରିବେ।
ଏହି ମଣ୍ଡଳୀ ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳ ପରିଚାଳନା ପ୍ରତି ମଧ୍ୟ ଦୃଷ୍ଟିଦେବେ। ବିଶେଷକରି ଅମ୍ଳଜାନ ଏବଂ ଚିକିତ୍ସା ନିମନ୍ତେ ଆବଶ୍ୟକ ଔଷଧୀୟ ସାମଗ୍ରୀର ଯୋଗାଣ ଉପରେ ସେମାନେ ନଜର ରଖିବେ। ମଣ୍ଡଳୀକୁ ନ୍ୟସ୍ତ କରାଯାଇଥିବା ଅନ୍ୟାନ୍ୟ ଦାୟିତ୍ୱ ମଧ୍ୟରେ ୧୦ହଜାର ତାଲିମପ୍ରାପ୍ତ ପାରାମେଡିକାଲ ସ୍ୱେଚ୍ଛାସେବୀ କ୍ୟାଡର ସୃଷ୍ଟି, କ୍ରାୟୋଜେନିକ ଟ୍ୟାଙ୍କର ସଂଗ୍ରହ ପାଇଁ ପରିବହନ ଯାନ, ତଥ୍ୟଗୁଡିକର ବିଶ୍ଳେଷଣ, ଅନ୍ୟାନ୍ୟ ସହରରୁ ଅନୁଭୂତି ସଂଗ୍ରହ, ସ୍ୱତନ୍ତ୍ର ଭାବରେ ପିଲାଙ୍କ ଆବଶ୍ୟକତା ମୁତାବକ ପ୍ରସ୍ତୁତି ଏବଂ ଦିଲ୍ଲୀରେ ହସପିଟାଲ ଭିତ୍ତିଭୂମିକୁ କ୍ରିୟାଶୀଳ କରିବାକୁ ଏକ କ୍ରମବର୍ଦ୍ଧନଶୀଳ ଜବାବୀ ଯୋଜନା ଆଦି ଅନ୍ତର୍ଭୁକ୍ତ। ୬ ସଦସ୍ୟ ବିଶିଷ୍ଟ ମଣ୍ଡଳୀ ଅମ୍ଳଜାନ ଅଭାବ ଜନିତ ମୃତ୍ୟୁ ସମ୍ପର୍କିତ ଅଭିଯୋଗଗୁଡିକ ଗୋଟି ଗୋଟି କରି ଅନୁଧ୍ୟାନ କରି ସେ କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତା ଯୋଜନା ପ୍ରସ୍ତୁତ କରିବେ ଏବଂ ଉକ୍ତ ସହାୟତା ରାଶି ପ୍ରତ୍ୟେକ କ୍ଷେତ୍ରରେ ସର୍ବାଧିକ ୫ ଲକ୍ଷ ଟଙ୍କା ହେବ। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ୧୩ ସଦସ୍ୟ ବିଶିଷ୍ଟ ମଣ୍ଡଳୀ ସ୍ଥାନୀୟ ଅଞ୍ଚଳଗୁଡିକରେ ହସପିଟାଲରେ ଚିକିତ୍ସା ବ୍ୟବସ୍ଥାର ଏକ ଡିଜାଇନ ପ୍ରସ୍ତୁତ କରିବେ ଏବଂ ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ପ୍ରସ୍ତୁତି ତଥା ତାଲାବନ୍ଦ କିପରି ଏବଂ କେବେ ଲାଗୁ କରାଯିବ, ତାହା ଉପରେ ବିଚାର ବିମର୍ଷ କରିବେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories