www.samajalive.in
Saturday, December 6, 2025
15.1 C
Bhubaneswar

୨୭ ବର୍ଷର ବନବାସ ଶେଷ: ବିଜେପିର ଦିଲ୍ଲୀ ଦଖଲ

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରି ସରକାର ଗଠନ କରିବାକୁ ଦାବିଦାର ହୋଇଛି। ଦୀର୍ଘ ୨୭ବର୍ଷ ଧରି କ୍ଷମତାରୁ ଦୂରେଇ ରହିଥିବା ବିଜେପି ଦିଲ୍ଲୀରେ ସରକାର ଗଠନ କରିବାକୁ ଯାଉଛି। ବିଧାନସଭାର ୭୦ଟି ଆସନରୁ ବିଜେପି ୪୮ଟିରେ ବିଜୟୀ ହୋଇଥିବାବେଳେ ଆପ୍ ୨୨ଟି ଆସନ ପାଇଛି। କଂଗ୍ରେସ କ୍ରମାଗତ ତିନିଥର ବିଧାନସଭାରେ ଶୂନ ଆସନ ପାଇଛି। ବିଜେପିର ଏହି ବିଜୟର ଶ୍ରେୟ ଦଳର ଶୀର୍ଷ ନେତୃବୃନ୍ଦଙ୍କ ନିକଟକୁ ଯାଉଥିଲେ ମଧ୍ୟ ଏହା ପଛରେ ଅନେକ କାରଣ ରହିଛି। ଦିଲ୍ଲୀ ନିର୍ବାଚନ ପୂର୍ବରୁ ଫେବୃଆରୀ ୧ରେ କେନ୍ଦ୍ର ସରକାର ସଂସଦରେ ଉପସ୍ଥାପନ କରିଥିବା ବଜେଟ୍‌ ଭୋଟରଙ୍କୁ ବେଶ ପ୍ରଭାବିତ କରିଥିଲା। ବଜେଟ୍‌ରେ ସରକାର ମଧ୍ୟବିତ୍ତଙ୍କୁ ଖୁସି କରାଇବା ଭଳି ଅନେକ ଘୋଷଣା କରିଥିଲେ। ବିଶେଷକରି ଦିଲ୍ଲୀର ସରକାରୀ ଚାକିରିଆଙ୍କୁ ଖୁସି କରିବା ଲାଗି ସରକାର ଆୟକର ଛାଡ ସୀମାକୁ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଦ୍ବିତୀୟରେ ବିଜେପି ଏହାର ନିର୍ବାଚନ ଇସ୍ତାହାରରେ ମଧ୍ୟବିତ୍ତଙ୍କ ପାଇଁ ଅନେକ ଯୋଜନା ଘୋଷଣା କରିଛି। ଦଳ କ୍ଷମତାକୁ ଆସିଲେ ଦିଲ୍ଲୀର ପ୍ରତି ଗରିବ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଭତ୍ତା, ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ସିଲିଣ୍ଡର, ହୋଲି ଓ ଦୀପାବଳିରେ ଗୋଟିଏ ଲେଖାଏଁ ଏଲପିଜି ସିଲିଣ୍ଡର ମାଗଣାରେ ଦିଆଯିବା ସହିତ ଅନ୍ୟାନ୍ୟ ସୁବିଧାସୁଯୋଗ ମାଗଣାରେ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। ଆପ୍‌ ଏହାର ଶାସନ କାଳରେ ନିଜର ପ୍ରତିଟି ବିଫଳତା ପାଇଁ କେନ୍ଦ୍ର ସରକାରକୁ ଦାୟୀ କରୁଥିବାବେଳେ ଏଥର ଡବଲ ଇଞ୍ଜିନ ସରକାର ବାଛିବା ଲାଗି ଦିଲ୍ଲୀବାସୀ ପସନ୍ଦ କରିଲେ। କାରଣ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଲେ ସେମାନେ ଉତ୍ତମ ସୁବିଧାସୁଯୋଗ ପାଇପାରିବେ ବୋଲି ଆଶା ପ୍ରକାଶ କରିଥିଲେ।
ବିଜେପି ବିଜୟ ପଛରେ କଂଗ୍ରେସର ବଡ ଭୂମିକା ରହିଥିବା କୁହାଯାଉଛି। କାରଣ ଏହି ନିର୍ବାଚନରେ କଂଗ୍ରେସ ଓ ଆପ୍ ମଧ୍ୟରେ ମେଣ୍ଟ ହୋଇ ନଥିଲା। ଉଭୟ ଅଲଗା ହୋଇ ଲଢିବା ସହିତ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ କରିଲେ। କେଜରିୱାଲଙ୍କୁ ସମାଲୋଚନା କରି ରାହୁଲ ଗାନ୍ଧୀ କହିଥିଲେ ଯେ କେଜରିୱାଲ ୱାଗନ ଆର୍‌ କାର୍‌ରେ ସ୍ବେଟର ପିନ୍ଧିକି ଆସିଥିଲେ। ଇଲେକ୍ଟ୍ରି ଖମ୍ବରେ ଚଢି ଓହ୍ଲାଇବା ପରେ ସିଧା ଶିଶ ମହଲରେ ଯାଇ ପ୍ରବେଶ କରିଥିଲେ। ଦୁଇ ଦଳ ଅଲଗା ହୋଇ ନିର୍ବାଚନ ଲଢିବାରୁ ବିରୋଧୀଙ୍କ ଭୋଟ ବ୍ୟାଙ୍କରେ ବିଭାଜନ ହେଲା। ଯାହା ପରୋକ୍ଷରେ ବିଜେପିକୁ ବଡ ଫାଇଦା ହେଲା। ବିଜେପି ବିଜୟର ଅନ୍ୟତମ କାରଣ ହେଉଛି ଆପ୍‌ ବିରୋଧରେ ଦୁର୍ନୀତି ଅଭିଯୋଗ। ମଦ ନୀତିରେ ଦୁର୍ନୀତି ଯୋଗୁଁ କେଜରିୱାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂହ ପ୍ରମୁଖ ଜେଲ୍‌ ଯିବା ଦ୍ବାରା ଦଳ ବଦ୍‌ନାମ ହୋଇପଡିଥିଲା। ଦିଲ୍ଲୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଜେପିର ତାରକା ପ୍ରଚାରକ ଭାବେ ଉଭା ହୋଇଥିଲେ। ଦିଲ୍ଲୀର ଆପ୍ ସରକାରକୁ ସେ ଆପ୍‌-ଦା ସରକାର ଓ କେଜରିୱାଲଙ୍କୁ ‘ଫର୍ଜିୱାଲା’ କହି ସମାଲୋଚନା କରିଥିଲେ। ଯାହା ଭୋଟରଙ୍କୁ ପ୍ରଭାବିତ କରିଥିଲା। ମୋଦୀ ବିଜେପି ପାଇଁ ମୁଖ୍ୟ ଚେହେରା ହୋଇଥିଲେ। ମୋଦୀଙ୍କ ଉପରେ ଭରସା କରି ଦିଲ୍ଲୀବାସୀ ବିଜେପିକୁ ଭୋଟ ଦେଇଥିବା କୁହାଯାଉଛି। ନିର୍ବାଚନ ଫଳ ​‌ଘୋଷଣା ପରେ ମୋଦୀ ଭୋଟରଙ୍କୁ ଧନ୍ୟବାଦ ​ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories