ମନରେଗା ଯୋଜନାରେ ଅନିୟମିତତା ନେଇ ପୁଣି ଚର୍ଚ୍ଚାରେ ଡଁରା ଗ୍ରାମ ପଞ୍ଚାୟତ: ରାତିରେ ଚାଲିଛି ଖେଳପଡିଆ ଉନ୍ନତିକରଣ କାମ

ଦେବଗଡ଼ : ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା) ଯୋଜନାରେ ଗୁରୁତର ଅନିୟମିିତା ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ବାରକୋଟ ବ୍ଲକର ଡଁରା ଗ୍ରାମ ପଞ୍ଚାୟତ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି। ତେବେ ଏଥର ଆଉ ଦ୍ୱିନ ଦ୍ୱି ପ୍ରହରେ ମ୍ୟାସିନ ସାହାଯ୍ୟରେ କାମ କରି କିମ୍ବା ଫଲସ୍ ବଲ କରି ନୁହେଁ, ଏଥର ରାତ୍ରୀ ସମୟରେ ମ୍ୟାସିନ୍‌ ସହାୟତାରେ ଖେଳପଡ଼ିଆ ଉନ୍ନତିକରଣ କାମ କରିବାନେଇ ଚର୍ଚ୍ଚାକୁ ଆସିଛି।
ରାଜ୍ୟ ସରକାର ଡଁରା ଗ୍ରାମ ପଞ୍ଚାୟତର ତୁଲିପୋଶି ଖେଳ ପଡିଆର ଉନ୍ନତିକରଣ ନିମନ୍ତେ ମନରେଗା ଯୋଜନାରୁ ୩ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମନରେଗା ଯୋଜନାର ନିୟମ ଅନୁଯାୟୀ ଉକ୍ତ ଖେଳ ପଡିଆର ଉନ୍ନତି କରଣ କାର୍ଯ୍ୟ ଶ୍ରମିକ ମାନଙ୍କ ହାୟତାରେ ହେବା କଥା। ମାତ୍ର ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଗନ କରି ଶ୍ରମିକ ବଦଳରେ ରାତ୍ରୀରେ ଜେସିବି ମ୍ୟାସିନ ସହାୟତାରେ ଉକ୍ତ ଖେଳ ପଡିଆର ଉନ୍ନତିକରଣ ଚାଲିଛି। ଫଳରେ କାମ ଧନ୍ଦା ଅଭାବରୁ ହାତବାନ୍ଧି ବସି ରହିଥିବା ବହୁ ଶ୍ରମିକ ପୁଣିଥରେ ନିରାଶ ହୋଇଥିବା ଜଣାପଡିଛି। ଡଁରା ଗ୍ରାମ ପଞ୍ଚାୟତର ସରପଞ୍ଚ ହରିହର ସାହୁଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇ ପ୍ରଶ୍ନକୁ ଏଡାଇଯାଇଥିଲେ। ଅପରପକ୍ଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନୀଳକଣ୍ଠ ପ୍ରଧାନ, ଜିଆର୍ଏସ୍ ସୁରେଶ ସାହୁ ସମେତ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ବେହେରା ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାସହ ଶ୍ରମିକ ମାନଙ୍କୁ ଶ୍ରମକାର୍ଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Comments are closed.