www.samajalive.in
Saturday, December 6, 2025
16.1 C
Bhubaneswar

ପାଣିରେ ପଡିବ ୩ ଲକ୍ଷ ଟଙ୍କା, ଅଧାରେ ଅଟକିଛି ଖେଳ ପଡିଆ ନିର୍ମାଣ କାର୍ଯ୍ୟ

ଦେବଗଡ଼:ଗ୍ରାମାଞ୍ଚଳର ଲୋକଙ୍କ ହିତ ଦୃଷ୍ଟିରୁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ନିମନ୍ତେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଯୋଗାଇ ଦିଆଯାଉଛି। ମାତ୍ର କେତେକ ଅସାଧୁ କର୍ମଚାରୀ ଓ ଯନ୍ତ୍ରୀ ମାନଙ୍କ ଦୁର୍ନିତୀଖୋର ମନୋଭାବ ଓ ଅଦୂରଦର୍ଶୀତା ଯୋଗୁଁ ଏହା ପ୍ରକୃତ ହିତାଧିକାରୀଙ୍କ କାର୍ଯ୍ୟରେ ଆସୁନାହିଁ। କେତେକ କ୍ଷେତ୍ରରେ ଏହି ଟଙ୍କା ସିଧା ଶଳଖ ଭାବେ ଠିକାଦାର ଓ ଯନ୍ତ୍ରୀ ମାନଙ୍କ ପକେଟକୁ ଚାଲିଯାଉଛି। ମୋଟାମୋଟି ଭାବେ କହିବାକୁ ଗଲେ ସରକାରୀ ଅର୍ଥ ଜନସାଧାରଣଙ୍କ ବ୍ୟବହାରରେ ନଆସି ସମ୍ପୁର୍ଣ୍ଣ ଭାବେ ପାଣିରେ ପଡିଯାଉଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି କ୍ରମରେ ଦେବଗଡ ଜିଲାର ସବୁଠାରୁ ଅନୁନ୍ନତ ତଥା ଆଦିବାସୀ ବହୁଳ ତିଲେଇବଣି ବ୍ଲକର କେନ୍ଦେଇଜୁରୀ ଗ୍ରାମ ପଞ୍ଚାୟତ ଅଧୀନରେ କାକୁଡିଆଖମଣ ଗ୍ରାମରେ ମନରେଗା ଯୋଜନାରୁ ନିର୍ମିତ ନୂତନ ଖେଳ ପଡିଆରେ ବ୍ୟୟ ହୋଇଥିବା ୩ଲକ୍ଷ ଟଙ୍କା ପାଣିରେ ପଡିବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ କାକୁଡିଆଖମଣ ଗ୍ରାମରେ ଏକ ଖେଳପଡିଆର ଆବଶ୍ୟକତା ଥିବା ଦୃଷ୍ଟିରୁ ସେଠାରେ ଏକ ଖେଳ ପଡିଆ ନିର୍ମାଣ ନିମନ୍ତେ ସରକାର ମନରେଗା ଯୋଜନା(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)ରୁ ୩ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ମାତ୍ର ଏହାର ନିର୍ମାଣ ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ଯୋଜନା ପ୍ରସ୍ତୁତ କରିନଥିଲେ। ସେହିପରି ଉପଯୁକ୍ତ ସ୍ଥାନ ନିରୂପଣ ନକରି ତରବରିଆ ଭାବେ ଖସଡା ଜଙ୍ଗଲରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ମନରେଗା ଯୋଜନା ସମ୍ପୂର୍ଣ୍ଣ ଭାବେ ଶ୍ରମିକ ଭିତ୍ତିକ କାର୍ଯ୍ୟ ହୋଇଥିବା ବେଳେ ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରାଯାଇ ମାଟିଖୋଳା ମ୍ୟାସିନ ସାହାଯ୍ୟରେ ଏହାର ନିର୍ମାଣ କାର୍ଯ୍ୟ କରାଯିବା ସହ ସେଠାରେ ଥିବା ବହୁ ସଂଖ୍ୟକ ଗଛ ଉପାଡି ଦିଆଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ତିଲେଇବଣି ସେକ୍ସନର ଫରେଷ୍ଟର ସୁଧାଂଶୁ ବେହେରା ନିର୍ମାଣକାରୀଙ୍କୁ ତାଗିଦ କରିବାସହ ସେଠାରୁ ଗଛ ନକାଟିବାକୁ ପରାମର୍ଶ ଦେଇଥିଲେ। ଫଳରେ ନିର୍ମାଣ କାର୍ଯ୍ୟ ଆଉ ଆଗକୁ ବଢିପାରିନଥିଲା।
ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ,ବର୍ତ୍ତମାନ ସୁଦ୍ଧା ଉକ୍ତ ଖେଳ ପଡିଆର ଏକ ତୃତୀୟାଂଶ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିଲେ ହେଁ ଇତି ମଧ୍ୟରେ ଏ ବାବଦୀୟ ପ୍ରାୟ ସମସ୍ତ ବିଲ୍ ହୋଇସାରିଥିବା ସମ୍ପୃକ୍ତ ଅଞ୍ଚଳର ବହୁ ସଚେତନ ନାଗରିକ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏବେ ମଧ୍ୟ ଉକ୍ତ ପଡିଆରେ ୧୫ରୁ ଉଦ୍ଧ୍ୱର୍ ସଂଖ୍ୟକ ବଡବଡ ଗଛ ରହିଥିବାରୁ ସେଠାରେ ଖେଳକୁଦ କରିବା ଆଦୌ ସମ୍ଭବ ନୁହେଁ। ସେହିପରି ସେଠାରୁ ଏକା ବେଳକେ ଏତେ ଗୁଡିଏ ଗଛ କାଟିବା ପାଇଁ ବନ ବିଭାଗ କର୍ତ୍ତୃପକ୍ଷ ଅନୁମତି ଦେବାର ଆଦୌ ସମ୍ଭାବନା ନଥିବାରୁ ଉକ୍ତ ଖେଳ ପଡିଆର ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହେବା ନେଇ ଅଶଙ୍କା ରହିଛି। ଫଳରେ ସରକାର ଯୋଗାଇ ଦେଇଥିବା ୩ ଲକ୍ଷ ଟଙ୍କା କୌଣସି କାମରେ ନଆସି ପାଣିରେ ପଡିବା ଥୟ ବୋଲି ସାଧାରଣରେ ଆଲୋଚନା ହେବା ସହ ଏବାବଦୀୟ ଅର୍ଥ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ଓ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଠାରୁ ଆଦାୟ କରାଯିବାକୁ ସାଦାରଣରେ ମତ ପ୍ରକାଶ ପାଇଛି।
କେନ୍ଦେଇଜୁରୀ ପଞ୍ଚାୟତର ନିର୍ବାହୀ ଅଧିକାରୀ ଅରୁଣ ପଟେଲଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଉକ୍ତ ପଞ୍ଚାୟତରେ ଯୋଗ ଦେବା ପୂର୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଦର୍ଶାଇ ଅଧିକ ସୂଚନା ନିମନ୍ତେ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଟି.ଜି.କେ. ସରାବଙ୍କୁ ପଚାରିବାକୁ ପ୍ରସ୍ତାବ ଦେଇଥିଲେ। ତେ ଏ ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ଟି.ଜି.କେ. ସରାବ କୌଣସି ଉତ୍ତର ଦେଇନାହାନ୍ତି। ତେବେ ସେ ଯାହା ହେଉନା କାହିଁକି ଦେବଗଡ ଜିଲାପାଳ କେଉଁ ପରିସ୍ଥିତିରେ ଓ କେଉଁ ଉଦ୍ଦେଶ୍ୟରେ ଅନୁପଯୁକ୍ତ ସ୍ଥାନରେ ନୂତନ ଖେଳ ପଡିଆ ନିର୍ମାଣ ହେଲା ତାହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

Related Articles

Popular Categories