ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଉପାଧ୍ୟକ୍ଷ ଓ ୬ ପାରିଷଦଙ୍କ ସ୍ମାରକପତ୍ର ପ୍ରଦାନ
ପୌର ପରିଷଦ ମହା ଦୁର୍ନୀତିରେ ସମ୍ପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି
ଦେବଗଡ଼:ଦେବଗଡ ପୌର ପରିଷଦରେ ହୋଇଥିବା ମହାଦୁର୍ନୀତି ଓ ଅବସରପ୍ରାପ୍ତ ପୌର କର୍ମଚାରୀ ଜଗବନ୍ଧୁ ମୁଣ୍ଡାଙ୍କ ଅର୍ଥ ହଡପ ଘଟଣା ଜିଲା ବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହେବାର ଇତି ମଧ୍ୟରେ ଏକ ସପ୍ତାହ ପୁରିବାକୁ ବସିଥିଲେ ହେଁ ଅର୍ଥ ହଡପ ଘଟଣାରେ ସମ୍ପୃକ୍ତ ଆକାଉଣ୍ଟାଣ୍ଟ ବିନୋଦ ନାଗ ଓ ଅନ୍ୟ ମାନଙ୍କୁ ପୁଲିସ ଗିରଫ କରିବାରେ ଅଦ୍ୟାବଧି ଗିରଫ କରିବାରେ ସଫଳ ହୋଇନାହିଁ। ଅନ୍ୟପକ୍ଷରେ ଏ ଘଟଣାରେ ଦେବଗଡ ପୌର ପରିଷଦ ନିର୍ବାହୀ ଅଧିକାରୀଣି ଅତସୀ ପରିଡା, ମୂଖ୍ୟ କିରାଣି ଅଶ୍ୱିନୀ ବେହେରା ଓ ତତ୍କାଳୀନ ପୌର ପ୍ରଶାସକ ତଥା ଦେବଗଡ ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ସମ୍ପୃକ୍ତି ଥିବା ନେଇ ଅବସର ପ୍ରାପ୍ତ ପୌର କର୍ମଚାରୀ ଜଗବନ୍ଧୁ ମୁଣ୍ଡା ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ବର୍ତମାନ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଏନେଇ ଜିଲାର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେହିପରି ଆଜି ଦେବଗଡ ପୌର ପରିଷଦର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜଙ୍କ ସମେତ ୭ ଜଣ କାଉନଶିଲର ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଠକେଇର ଶିକାର ହୋଇଥିବା ଜଗବନ୍ଧୁ ମୁଣ୍ଡାଙ୍କ ଏତଲା ଅନୁଯାୟୀ ନିର୍ବାହୀ ଅଧିକାରୀଣି ଶ୍ରୀମତି ପରିଡା, ମୁଖ୍ୟ କିରାଣି ଶ୍ରୀ ବେହେରା ଏବଂ ବେଆଇନ ଭାବେ ଅର୍ଥ ଗ୍ରହଣ କରିଥିବା ଭୁବନ ମୋହନ ନାଏକ ଓ ଅମୃତି ସାହୁଙ୍କୁ ତଦନ୍ତ ପରିସର ଭୁକ୍ତ କରିବାସହ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଏକ ସ୍ମାରକପତ୍ର ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରିଥିଲେ। ଆଜି ପୂର୍ବାହ୍ନରେ ପୌର ଉପାଧ୍ୟକ୍ଷ ଶ୍ରୀ ଭୋଜଙ୍କ ସମେତ ସ୍ୱାଧିନ କାଉନଶିଲର ଧର୍ମେନ୍ଦ୍ର କୁମାର ଦେବତା , ବିଜେପି କାଉନଶିଲର ମଧୁ ସୂଦନ ବାଘ, ପିଙ୍କି ସାହୁ, ସରୋଜିନୀ ମୁଣ୍ଡା, ଈତିଶ୍ରୀ ମିଶ୍ର ଓ କାର୍ତ୍ତିକ ମହାକୁଳ ପ୍ରମୁଖ ସଦଳବଳେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଆରକ୍ଷୀ ଅଧିକ୍ଷକ ରାଜକିଶୋର ପାଇକରାୟଙ୍କ ସହ ଆଲୋଚନା କରିବାସହ ଉକ୍ତ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ସହ ଅବସରପ୍ରାପ୍ତ ପୌର କର୍ମଚାରୀ ଶ୍ରୀ ମୁଣ୍ଡା ଓ ବହୁ ଜନସାଧାରଣ ମଧ୍ୟ ସାମିଲ ହୋଇଥିଲେ।
Comments are closed.