କଲମପୁର/ମୁଖିଗୁଡା: ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଧାମନଗୁଡା ପଲସାପଡା ନିକଟରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୃଦ୍ଧାଙ୍କ ନାମ ହୀରାମଣୀ ସୌରା ଏବଂ ତାଙ୍କ ଘର ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଫଟାଗୁଡ଼ା ଗ୍ରାମରେ।
ସୂଚନା ଅନୁସାରେ, ମୁଖିଗୁଡା ଓଡିଶା ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟାଲୟର ଅବସରପ୍ରାପ୍ତ କର୍ମଚାରୀ ଚନ୍ଦ୍ର ସୌରାଙ୍କ ମୃତ୍ୟୁ ପରେ ପତ୍ନୀ ହୀରାମଣି ଗତ ଗୁରୁବାର ଦିନ ପେନସନଜନିତ କାଗଜପତ୍ର ପାଇଁ ମୁଖିଗୁଡା ଆସିଥିଲେ । ଏଠାରେ ରାଣୀବାହାଲ ଗୋଜିଆପଡାଠାରେ ଥିବା ନିଜ ସମ୍ପର୍କୀୟଙ୍କ ଘରେ ରହିଥିଲେ । ଗତ ସୋମବାର ସଂଧ୍ୟାରେ ହୀରାମଣି କେନାଲ ଆଡକୁ ଯାଇ ନିଖୋଜ ହେଇଯାଇଥିଲେ । ପରିବାର ଲୋକ ଖୋଜା ଖୋଜି କରିଥିଲେ ମଧ୍ୟ ବୃଦ୍ଧାଙ୍କ କୌଣସି ସନ୍ଧାନ ପାଇ ନ ଥିଲେ । ବୁଧବାର ସକାଳେ କେନାଲରେ ମୃତଦେହ ଭାସୁଥିବା ସୂଚନା ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଂଚି ହୀରାମଣିଙ୍କୁ ଚିହ୍ନଟ କରିଥିଲେ । ଖବରପାଇ ଜୟପାଟଣା ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।



