www.samajalive.in
Saturday, December 6, 2025
14.1 C
Bhubaneswar

ଆଇପିଏଲ-୨୦୨୦ : ସନରାଇଜର୍ସକୁ ହରାଇ ଫାଇନାଲରେ ଦିଲ୍ଲୀ; ମୁମ୍ବାଇ ସହ ହେବ ମୁକାବିଲା

ଆବୁଧାବି : ଆଇପିଏଲ-୧୩ର ଫାଇନାଲରେ ମୁମ୍ବଇ ଇଣ୍ଡିଆନ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମୁକାବିଲା ହେବ। ମଙ୍ଗଳବାର ଏହି ଫାଇନାଲ ମ୍ୟାଚ୍‌ ଖେଳାଯିବ। ପୂର୍ବରୁ ୪ ଥର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ରବିବାର କ୍ବାଲିଫାୟର-୨ରେ ବିଜୟୀ ହୋଇ ଦିଲ୍ଲୀ ପ୍ରଥମଥର ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦରାବାଦକୁ ୧୭ ରନ୍‌ରେ ଦିଲ୍ଲୀ ପରାସ୍ତ କରିଛି। ଶିଖର ଧାୱନଙ୍କ ଅର୍ଦ୍ଧଶତକ ଏବଂ ମାର୍କସ ଷ୍ଟୋଇନିସ୍ ଓ ସିମ୍ରନ୍ ହେତ୍‌ମେୟରଙ୍କ ଆକ୍ରମଣାତ୍ମକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ ୨୦ ଓଭରରେ ୩ ୱିକେଟ ହରାଇ ୧୮୯ ରନ୍ କରିଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ କେନ୍ ୱିଲିୟମ୍‌ସନଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ବେ ସନ୍‌ରାଇଜର୍ସ ୮ ୱିକେଟ ହରାଇ ୧୭୨ ରନ୍ କରି ପାରିଥିଲା।
ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଏହାର ନୂଆ ଓପ୍‌ନିଂ ଯୋଡ଼ି ଶିଖର ଧାୱନ୍ ଓ ମାର୍କସ ଷ୍ଟୋଇନିସ୍ ଆକ୍ରମଣ କରି ଆରମ୍ଭରୁ ଓଭର ପିଛା ୧୦ ରନ୍‌ରୁ ଅଧିକ ଗତିରେ ରନ୍ ସ୍କୋର୍‌ କରିଥିଲେ। ଫଳରେ ପ୍ରଥମ ୬ ଓଭରର ପାୱରପ୍ଲେ ଶେଷରେ ଦିଲ୍ଲୀ ୬୫ ରନ୍ କରିଥିଲା। ୮୬ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ୯ମ ଓଭରରେ ଯୋଡ଼ି ଭାଙ୍ଗିଥିଲା। ଅଷ୍ଟ୍ରେଲୀୟ ଷ୍ଟୋଇନିସ୍ ୨୭ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୮ ରନ୍‌କରି ଆଉଟ ହୋଇଥିଲେ। ବାମହାତି ଶିଖର ଧାୱନ୍ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ ଜାରିରଖି ୨୬ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ପରେ ଅଧିନାୟକ ଶ୍ରେୟାସ ଆୟରଙ୍କ ସହ ଧାୱନ୍ ୨ୟ ୱିକେଟ ପାଇଁ ୪୦ ରନ୍‌ର ଭାଗିଦାରୀ କରିଥିଲେ। ଆୟର ୨୦ ବଲ୍‌ରୁ ଗୋଟିଏ ଚୌକା ସହ ୨୧ ରନ୍‌କରି ଆଉଟ ହୋଇଥିଲେ। ସିମ୍ରନ୍ ହେତ୍‌ମେୟର ଆସି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ହେତ୍‌ମେୟରଙ୍କ ସହ ୪.୩ ଓଭରରେ ୫୨ ରନ୍‌ର ଭାଗିଦାରୀ ପରେ ଧାୱନ ଆଉଟ ହୋଇଥିଲେ। ୧୯ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ଧାୱନ ୫୦ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୭୮ ରନ୍ କରିଥିଲେ। ଶେଷ ୨ ଓଭରରୁ ଦିଲ୍ଲୀ କ୍ୟାପିଟାଲ୍‌ସ ମାତ୍ର ୧୩ ରନ୍ ନେଇ ପାରିଥିଲା। ବାମହାତି ହେତ୍‌ମେୟର ୨୨ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୪ ରନ୍‌କରି ଅପରାଜିତ ରହିଥିଲେ।

Image Source : Cric buzz.com

୧୯୦ ରନ୍‌ ବିଜୟ ଲକ୍ଷ୍ୟର ପିଛା କରିବା ପାଇଁ ଓହ୍ଲାଇଥିବା ସନ୍‌ରାଇଜର୍ସ ହାଇଦରାବାଦକୁ ୨ୟ ଓଭରରେ ହିଁ ଶକ୍ତ ଝଟ୍‌କା ଲାଗିଥିଲା। ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ୨ ରନ୍‌କରି ବୋଲ୍‌ଡ ହୋଇଥିଲେ। ଯୁବ ଓପ୍‌ନର ପ୍ରିୟମ୍ ଗର୍ଗ ଓ ମନୀଷ ପାଣ୍ଡେ ସ୍କୋର୍‌କୁ ୪୩ ରନ୍‌ରେ ପହଞ୍ଚାଇବା ପରେ ଗୋଟିଏ ଓଭରରେ ଦୁହେଁ ଆଉଟ ହୋଇଥିଲେ। ମାର୍କସ ଷ୍ଟୋଇନିସ୍‌ଙ୍କ ଏହି ଓଭର ନିର୍ଣ୍ଣାୟକ ହୋଇଥିଲା। ଗର୍ଗ ୧୨ ବଲ୍‌ରୁ ୨ଟି ଛକା ସହ ୧୭ ରନ୍‌ କରିଥିଲେ। ୨ଟି ବଲ୍‌ ପରେ ମନୀଷ ପାଣ୍ଡେ ଆଉଟ୍‌ ହୋଇଥିଲେ। ପାଣ୍ଡେ ୧୪ ବଲ୍‌ରୁ ୩ଟି ଚୌକା ସହ ୨୧ ରନ୍‌ କରିଥିଲେ। ୪୪ ରନ୍‌ରେ ୩ଟି ୱିକେଟ ହରାଇ ଦିଲ୍ଲୀ ଦୟନୀୟ ସ୍ଥିତିରେ ଥିଲା। ପରେ କ୍ରିଜ୍‌ରେ ଏକାଠି ହୋଇଥିଲେ ଗତ ମ୍ୟାଚ୍‌ର ହିରୋ କେନ୍ ୱିଲିୟମ୍‌ସନ ଓ ଜେସନ୍ ହୋଲ୍‌ଡର। ୪ର୍ଥ ୱିକେଟ ପାଇଁ ୪୬ ରନ୍‌ର ଭାଗିଦାରୀ ପରେ ୧୧ ରନ୍‌କରି ହୋଲ୍‌ଡର ଆଉଟ ହୋଇଥିଲେ। ଯୁବ ବ୍ୟାଟ୍‌ସମ୍ୟାନ୍ ଅବ୍‌ଦୁଲ ସମାଦ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଶେଷ ୪ ଓଭରରୁ ୫୧ ରନ୍ ଆବଶ୍ୟକ ଥିଲା। ୫ ଓଭରରେ ୫୭ ରନ୍‌ର ଭାଗିଦାରୀ ପରେ ୱିଲିୟମ୍‌ସନ ଆଉଟ ହେବା ମ୍ୟାଚ୍‌ର ମଙ୍ଗ ଦିଲ୍ଲୀ ଆଡ଼କୁ ମୋଡ଼ିଥିଲା। ୪୫ ବଲ୍‌ରୁ ୪ଟି ଛକା ଓ ୫ଟି ଚୌକା ସହ ୱିଲିୟମ୍‌ସନ ଦର୍ଶନୀୟ ୬୭ ରନ୍ କରିଥିଲେ। ୧୯ଶ ଓଭରରେ କାଗିସୋ ରାବାଡ଼ା ୩ଟି ୱିକେଟ ନେଇ ଦିଲ୍ଲୀର ବିଜୟ ନିଶ୍ଚିତ କରିଥିଲେ। ରାବାଡ଼ା ୩ଟି ବଲ୍‌ରେ ୩ଟି ୱିକେଟ ନେଇଥିଲେ ହେଁ ମଝିରେ ଏକ ୱାଇଡ୍‌ ବଲ୍‌ ଥିବାରୁ ଏହା ହ୍ୟାଟ୍ରିକ୍‌ ଭାବେ ପରିଗଣିତ ହୋଇନଥିଲା। ସମାଦ୍ ସାହସିକ ବ୍ୟାଟିଂକରି ୧୬ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୩ ରନ୍‌କରି ଆଉଟ ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ ଆଉଟ୍‌ ହୋଇଥିବା ରସିଦ୍ ଖାଁ ୧୧ ରନ୍ କରିଥିଲେ। ରାବାଡ଼ା ୪ଟି ଓ ମାର୍କସ ଷ୍ଟୋଇନିସ୍ ୩ଟି ୱିକେଟ ନେଇଥିଲେ। ଷ୍ଟୋଇନିସ୍ ପ୍ଳେୟର ଅଫ୍ ଦି ମ୍ୟାଚ୍‌ ଘୋଷିତ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories