ରେଙ୍ଗାଲିକ୍ୟାମ୍ପ : ଶିଶୁମାନେ ହିଁ ଦେଶ ତଥା ବିଶ୍ୱର ଭବିଷ୍ୟତ । ଏଣୁ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଆମର କର୍ତ୍ତବ୍ୟ।ଏହାକୁ ଦୃଷ୍ଟିରେ ରଖି ବୁଧବାର ଅତାବିରା ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକଙ୍କ ସଭାପତିତ୍ବରେ ‘ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତାବିରା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଉର୍ମିଳା ପରିଡ଼ା, ସବ ଇନ୍ସପେକ୍ଟର ଅନିମା ଏକା, ଶିଶୁ କଲ୍ୟାଣ ସମିତିର ସଭ୍ୟ ରାଧା ଅଗ୍ରୱାଲ, ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ୟୁନିଟର ସଭ୍ୟ ବବିତା ରାଉତ, ଜିଲ୍ଲା ସଂଯୋଜକ ତରୁନସେନ୍ ପୃଷେଠ, ଡଃ ରବି ନାରାୟନ ମିଶ୍ର ମଞ୍ଚାସୀନ ରହିଥିଲେ। ଶିଶୁର ବଞ୍ଚିବାର ଅଧିକାର, ଶିକ୍ଷା ଅଧିକାର ଓ ନିଜର ମତାମତ ପ୍ରକାଶ କରିବାର ଅଧିକାର, ନିରାପତ୍ତା ଅଧିକାର ଉପରେ ଗୁରୁତ୍ୱ ଦେବା ସହ ତାକୁ ଏକ ଉତ୍ତମ ନାଗରିକ ରୂପେ ଗଢି ତୋଳିବା ପାଇଁ କି କି ପଦକ୍ଷେପ ନିଆଯାଇ ପାରିବ ସେ ଉପରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥିଲା। ସଂପ୍ରତି ଶିଶୁ ଶ୍ରମିକଙ୍କ ଉପରେ ହେଉଥିବା ନିର୍ଯାତନା ବିରୋଧରେ ଓ ବାଲ୍ୟ ବିବାହ ଉପରେ ସଚେତନତା ସୃଷ୍ଟି କରିବାର ସମୟ । ଶିଶୁ ଶ୍ରମିିକ ନିରୋଧି ଆଇନ ଥାଇ ମଧ୍ୟ ଆମ ଦେଶରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛିି । ଆଇନକୁ ଉଲ୍ଲଂଘନ କରି ଶିଶୁ ଶ୍ରମିକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଉଛି। ଫଳରେ ସେମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି । ସେମାନଙ୍କୁ ବାହାରକୁ ଚାଲାଣ କରାଯାଉଛି। ଅନେକେ ମଧ୍ୟ ଯୌନ ନିର୍ଯାତନାର ଶିକାର ହେଉଛନ୍ତି । ଦାରିଦ୍ର୍ୟ ହିଁ ଜନ୍ମ ଦେଉଛି ଶିଶୁ ଶ୍ରମିକ । ଅର୍ଥାତ୍ ଦାରିଦ୍ର୍ୟ ଦୂର ନ ହେଲେ କୌଣସି ଆଇନ କିମ୍ବା ଯୋଜନାରୁ ସୁଫଳ ମିଳିବ ନାହିଁ । ଦାରିଦ୍ର୍ୟ, କ୍ଷୁଧା ଓ ରୋଗ ଦୂରୀକରଣ ପାଇଁ ଜାତିସଂଘର ସହସ୍ରାବ୍ଦୀ ଲକ୍ଷ୍ୟ ଏଯାବତ ପୂରଣ ହୋଇପାରି ନ ଥିବାରୁ ଶିଶୁ ଶ୍ରମିକକୁ ରୋକିବା କଷ୍ଟକର ହୋଇପଡିଛି । ଦାରିଦ୍ର୍ୟ ଯୋଗୁ ଅନେକ ଶିଶୁ ଅଧାରୁ ପାଠ ଛାଡି ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଶିଶୁ ଶ୍ରମିକ ନିରୋଧ ଆଇନ କାର୍ଯ୍ୟକାରୀ କରିବାରେ ମାନସିକତାର ଅଭାବ ହିଁ ଏହାର ମୁଖ୍ୟ କାରଣ। ସମ୍ପ୍ରତି ଚିନ୍ତା କରିବାର ସମୟ ଆସିଛି। ବିଶେଷକରି ମହାମାରୀ କରୋନା ଯୋଗୁ ଦାରିଦ୍ର୍ୟ ବୃଦ୍ଧି ପାଇବା ସହ ଲକ୍ଷ ଲକ୍ଷ ଅସହାୟ ଶିଶୁ ଶ୍ରମିକ ପାଲଟି ଯାଇଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେଣୁ ଏହା ଉପରେ ବିଶେଷ ଗୁରୁତ୍ବ ଦେବା ର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ପରିଡ଼ା କହିଥିଲେ। ଏହା ଉପରେ ଆସନ୍ତା ତିନି ମାସ ମଧ୍ୟରେ କି କି ପଦକ୍ଷେପ ନିଆଯିବ ତାର ଏକ କାର୍ଯ୍ୟସୂଚୀ ତାଲିକା ମଧ୍ୟ ସଭାରେ ପ୍ରସ୍ତୁତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ, ଆଇସିଡିଏସର କର୍ମକର୍ତ୍ତା, ସୁପର ଭାଇଜର କର୍ମୀ,ସମାଜ ସେବୀ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.