ଦଶମନ୍ତପୁର : ଝାଡ଼ାବାନ୍ତିରେ ଅକ୍ରାନ୍ତଙ୍କ ସଂଖ୍ୟା ୨୬କୁ ବୃଦ୍ଧି
ଦଶମନ୍ତପୁର : ଦଶମନ୍ତପୁର ବ୍ଲକରେ ଝାଡ଼ାବାନ୍ତିରେ ଅକ୍ରାନ୍ତଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ଗତକାଲି ଝାଡାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ମଙ୍ଗଳବାର ୨୩ ଅକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ବୁଧବାର ଦିନ ଛତାଆମ୍ବ ଗ୍ରାମରେ ଆଉ ୩ ଜଣ ଅକ୍ରାନ୍ତ ହୋଇଥିବା ଜଣାପଡିଛି। ସେ ମଧ୍ୟରୁ ମୃତ ମହିଳାର ତିନିବର୍ଷର ପୁଅ ଜୁଲେସ ଜାନୀ (୨), ଡୋମେନ ଜାନୀଙ୍କ ପୁଅ ହାପି ଜାନୀ (୩) ଓ ଆନନ୍ଦ ମୁଡୁଲିଙ୍କ ସ୍ତ୍ରୀ ଫୁଲମଣି ମୁଦୁଲି (୨୨) ଅଛନ୍ତି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଶ୍ରୀରାମ ପରିଡ଼ାଙ୍କ ନେତୃତ୍ୱରେ ଛତାଆମ୍ବ ଗ୍ରାମ ସଫେଇ କରାଯାଇ ଔଷଧ ପ୍ରଦାନ କରାଯାଇଥିଲା। ସେହିପରି ଦୁମ୍ବାଗୁଡା ପଞ୍ଚାୟତ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମରେ ସ୍ଥିତି ବର୍ତ୍ତମାନ ସ୍ଥିର ରହିଥିବା ବେଳେ ସ୍ଥାନୀୟ ବିଧାୟକ ପ୍ରଭୂ ଜାନୀ,ପୂର୍ବତନ ସାଂସଦ ଝିନ ହିକକା, ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣିମା ଜାନୀ, ମନୋହର ମୁଦୁଲି ପ୍ରମୁଖ ଉକ୍ତ ଗ୍ରାମ ଗୁଡ଼ିକରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆର୍ଥିକ ସାହାଯ୍ୟ କରିଥିଲେ। ବୁଧବାର ଦିନ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅରୁଣ କୁମାର ପାଢୀ ପହଞ୍ଚି ସ୍ଥିତି ଅନଧ୍ୟାନ କରିବାପରେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଥିଲେ। ଏହି ପଞ୍ଚାୟତର ଅଧିକାଂଶ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳର ଅଭାବ ରହିଛି।
କଳାଟି ଗ୍ରାମରେ ୨୦ଲକ୍ଷ ୩୫ ହଜାର ଟଙ୍କାରେ ପାନୀୟ ଜଳ ନିମନ୍ତେ ବସୁଧା ଯୋଜନା କରାଯାଇଥିଲେ ମଧ୍ୟ ଗ୍ରାମର ଲୋକମାନେ ପାଣି ନ ପାଇ ଚୁଆ ପାଣି ବ୍ୟବହାର କରୁଛନ୍ତି। ବ୍ଲକରେ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ବହୁ କୋଟି ଟଙ୍କା ବ୍ୟୟ କରାଯାଇଛି କିନ୍ତୁ ଲୋକେ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ନାଳ ଓ ଚୁଆର ପାଣି ବ୍ୟବହାର କରୁଛନ୍ତି।
ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ। ପାନୀୟ ଜଳର ସ୍ଥାୟୀ ସମାଧାନ କରା ନଗଲେ ସର୍ବଦା ଝାଡ଼ାବାନ୍ତି ଲାଗି ରହିବ ବୋଲି ଚର୍ଚ୍ଚା ହେଉଛି।
Comments are closed.