ତିନି ଠାକୁରଙ୍କ ଦଶାବତାର; ଘୋଷଯାତ୍ରାରେ ଜଡ଼ିତ ବିଭିନ୍ନ ସଂଗଠନଙ୍କୁ ସମ୍ବର୍ଦ୍ଧନା

ହରଭଙ୍ଗା : ହରଭଙ୍ଗା ବ୍ଲକ ଠିଡିକାଯୋର ଜଗନ୍ନାଥ ମନ୍ଦିରରୁ ଘୋଷଯାତ୍ରା କରି ମାଉସୀ ମା’ ଘର ଯଥା ଚାରିଛକକୁ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ୯ଦିନ ପାଇଁ ଆସିଛନ୍ତି ବଡ଼ଠାକୁର । ମାଉସୀ ମା’ ଘରେ ଭକ୍ତଙ୍କୁ ଦଶାବତାର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ସନ୍ଧ୍ୟା ହେଲେ ଖୋଳତାଳ ଶଙ୍ଖ ଧ୍ଵନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ପ୍ରଥମ ଦିନ ଠାକୁର ମତ୍ସ୍ୟ ଓ କଛପ ବେଶ, ଦ୍ୱିତୀୟ ଦିନ ବରାହ ନରସିଂହ ଓ ତୃତୀୟ ଦିନ ବାମନ ଓ ପର୍ଶୁରାମ ବେଶରେ ପ୍ରଭୁ ଦର୍ଶନ ଦେଉଛନ୍ତି । ପ୍ରତିଦିନ ମାଉସୀ ମା’ ମନ୍ଦିର ପ୍ରାଙ୍ଗଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଭୁବନେଶ୍ୱରରୁ ଆସିଥିବା ସ୍ୱର ସ୍ୱରିତ ଓ ମହ୍ଲାର ସଙ୍ଗୀତ ମୂର୍ଚ୍ଛନା ଅନୁଷ୍ଠାନ ପକ୍ଷରୁ ଭଜନ ସନ୍ଧ୍ୟା ପରିବଷଣ କରାଯାଉଛି । ଏହି କାର୍ଯ୍ୟକ୍ରମ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ । ମନ୍ଦିର ତଥା ରଥଯାତ୍ରା କମିଟି, ଅଞ୍ଚଳବାସୀ ଓ ବ୍ଲକ ପ୍ରଶାସନକୁ ରଥଯାତ୍ରାର ସୁପରିଚାଳନା ପାଇଁ ସାଧୁବାଦ ଜଣାଇଥିଲେ । ଜଗନ୍ନାଥ ମନ୍ଦିର ନିର୍ମାଣ ଓ ମନ୍ଦିରର ଉନ୍ନତିକରଣ ଦିଗରେ ସାହାଯ୍ୟ ପାଇଁ ବିଧାୟକ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

prayash

ଅନ୍ୟପଟେ ଜଗନ୍ନାଥ ମନ୍ଦିର ତଥା ଘୋଷଯାତ୍ରାର ପ୍ରତିଟି ଖବର ପ୍ରସାରଣ ଓ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ ହରଭଙ୍ଗା ବ୍ଲକ ସାମ୍ବାଦିକ ସଂଘ ଏବଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ରଥଯାତ୍ରା କମିଟି ପକ୍ଷରୁ ଉଭୟ ସଂଘକୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେହିଭଳି ମନ୍ଦିରର ସେବା କ୍ଷେତ୍ରରେ ଜଡିତ ପ୍ରତ୍ୟେକ ସେବକ ଓ ଅନୁଷ୍ଠାନ ଯଥା ମହାବିନାୟକ ୟୁଥ କ୍ଲବ, ରାମସେନା, ଡ୍ରାଇଭର ମହାସଂଘ, ଗ୍ରାମକମିଟି, ବ୍ରାହ୍ମଣ ସମାଜ ଦୁର୍ଗାପୂଜା କମିଟି ସମେତ ପ୍ରଶାସନିକ ଅଧିକାରୀଙ୍କୁ ବିଧାୟକଙ୍କ କରକମଳରେ ମାନପତ୍ର ପ୍ରଦାନ କାରାଯାଇଛି । ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ଯୋଗଦାନ କରିଥିବାବେଳେ ଅନ୍ୟତମ ଅତିଥି ଭାବେ ହରଭଙ୍ଗା ବ୍ଲକ ବିଡ଼ିଓ ଶରତ ସେଠୀ, ପୁରୁଣାକଟକ ଥାନା ଅଧିକାରୀ ସାରଦା ଦାଶ ଓ ବାଣୀଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର ଯୋଗଦାନ କରିଥିଲେ।

Comments are closed.