Patra electronics

ଚକୋଲେଟ୍ ଖାଉଥିଲେ ସାବଧାନ! ଏସବୁ ଚକୋଲେଟରୁ ମିଳିଛି ବିଷାକ୍ତ ଧାତୁ, ନୂଆ ପରୀକ୍ଷାରୁ ଆତଙ୍କ ସୃଷ୍ଟି

ସମାଜ ଡିଜିଟାଲ ଡେସ୍କ: ଚକୋଲେଟ ଖାଇବାକୁ ଭଲ ପାଉଥିବା ଲୋକଙ୍କ ପାଇଁ ଖରାପ ଖବର । ଚକୋଲେଟ ଖାଉଥିଲେ ହୁଅନ୍ତୁ ସାବଧାନ । ପୂର୍ବରୁ ଯେକୌଣସି ଉତ୍ସବ ହେଉ କି ଖୁସି ଖବର ଆସିଲେ ମିଠା ଖାଇବାକୁ ପ୍ରାୟତଃ ସମସ୍ତଙ୍କର ଅଭ୍ୟାସ ଥିଲା । କିନ୍ତୁ ବର୍ତ୍ତମାନ ସମୟ ବଦଳିଛି । ବର୍ତ୍ତମାନ ଖୁସି ସମୟରେ ଲୋକମାନେ ମିଠା ବଦଳରେ ଚକୋଲେଟ ଖାଇବାକୁ ପସନ୍ଦ କରୁଛନ୍ତି । ବଜାରରୁ ଦାମୀ ଚକୋଲେଟ ଆଣି ବାଣ୍ଟୁଛନ୍ତି ମଧ୍ୟ । ଅନେକ ଲୋକ ଚକୋଲେଟକୁ ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ଭାବନ୍ତି, ଫଳରେ ଚକୋଲେଟକୁ ପ୍ରଚୁର ପରିମାଣରେ ଖାଇଥାନ୍ତି । ତେବେ ନିକଟରେ ଆମେରିକାର ବୈଜ୍ଞାନିକଙ୍କ ଦ୍ୱାରା ଏକ ପରୀକ୍ଷଣରୁ ଯାହା ଜଣାପଡିଛି ତାହା ଚକୋଲେଟ ପ୍ରେମୀଙ୍କ ପାଇଁ ଖରାପ ଖବର । ପରୀକ୍ଷଣରୁ ଅନେକ ଚକୋଲେଟରେ ବିଷାକ୍ତ ଧାତୁ ମିଳିଛି । ଯାହାକି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ।
ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ ଆମେରିକାର ୱାଶିଂଟନ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରେ ଅନେକ ଚକୋଲେଟ ଉତ୍ପାଦରେ ଅତ୍ୟଧିକ ପରିମାରଣର ବିଷାକ୍ତ ଧାତୁ ସୀସା (ଲିଡ୍‌) ଏବଂ କ୍ୟାଡମିୟମ୍ ମିଳିଥିଲା । ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ୮ବର୍ଷ ଧରି କୋକୋରୁ ପ୍ରସ୍ତୁତ ୭୨ଟି ଚକୋଲେଟ ଉତ୍ପାଦକୁ ନେଇ ବିଶ୍ଲେଷଣ କରିଥିଲେ । ଯେଉଁଥିରେ ଡାର୍କ ଚକୋଲେଟ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ୪୩ପ୍ରତିଶତ ଚକୋଲେଟ ଉତ୍ପାଦରେ ସୀସା ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମାତ୍ରାରେ ଥିବାବେଳେ ୩୫ ପ୍ରତିଶତ ଦ୍ରବ୍ୟରେ କ୍ୟାଡମିୟମ୍ ପରିମାଣ ଆବଶ୍ୟକତାଠାରୁ ଅଧିକ ଥିଲା । ଚିନ୍ତାର କାରଣ ହେଉଛି ଜୈବିକ ପଦାର୍ଥରେ ଅଧିକ ବିଷାକ୍ତ ଧାତୁ ମିଳିଥିଲା । ଗବେଷକମାନେ କହିଛନ୍ତି ଯେ ଚକୋଲେଟ୍ ଉତ୍ପାଦ ଗୁଡିକରେ ଏହି ଧାତୁ ମାଟିରୁ କିମ୍ବା ଉତ୍ପାଦନ ସମୟରେ ହୋଇପାରେ । ଏହି ପରୀକ୍ଷଣରେ ବିଭିନ୍ନ ବ୍ରାଣ୍ଡର ଚକୋଲେଟ୍ ଏବଂ ବିଭିନ୍ନ ପ୍ରକାରର ଚକୋଲେଟକୁ ନେଇ କରାଯାଇଥିଲା । ଅନେକ ଉତ୍ପାଦରେ ବିଷାକ୍ତ ଧାତୁର ସ୍ତର ଅଧିକ ଥିବା ଜଣାପଡିବା ପରେ ଚିନ୍ତାର କାରଣ ପାଲଟିଛି ।
ସୀସା ଏକ ଅତ୍ୟଧିକ ବିଷାକ୍ତ ଉପାଦାନ, ଯାହା ଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜମା ହୋଇପାରେ । ଏହାର ସଂସ୍ପର୍ଶରେ ଆସିଲେ ସ୍ନାୟୁ ପ୍ରଣାଳୀ, କିଡନୀ ଏବଂ ହାର୍ଟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହି ବିଷାକ୍ତ ପଦାର୍ଥ ପିଲାଙ୍କ ଶରୀରରେ ପହଞ୍ଚିବା ମାତ୍ରେ ମାନସିକ ବିକାଶ ଉପରେ ପ୍ରଭାବ ପକାଇପାରେ । ସେହିପରି କ୍ୟାଡମିୟମ୍ ମଧ୍ୟ ବିଷାକ୍ତ ଧାତୁ ହୋଇଥିବାରୁ କିଡନୀ ଏବଂ ହାଡକୁ ପ୍ରଭାବିତ କରିପାରେ । ଏହା ସଂସ୍ପର୍ଶରେ ଦୀର୍ଘ ସମୟ ଆସିବା ଦ୍ୱାରା ହାଡ ଦୁର୍ବଳ ଏବଂ କିଡନୀ ରୋଗ ସମେତ ଅନେକ ଗମ୍ଭୀର ରୋଗ ହୋଇପାରେ । ଉତ୍ପାଦନ ଏବଂ ପ୍ରକ୍ରିୟାକରଣ ସମୟରେ ଏହି ପଦାର୍ଥର ଉଚ୍ଚସ୍ତର ଚକୋଲେଟରେ ପ୍ରବେଶ କରିପାରେ । କୋକୋ ଉଦ୍ଭିଦ ଗୁଡିକ ଭୂମିରୁ ବିଷାକ୍ତ ଧାତୁ ଗ୍ରହଣ କରି ଚକୋଲେଟରେ ପ୍ରବେଶ କରିଥାନ୍ତି । ଯଦି ଆପଣ କିମ୍ବା ଆପଣଙ୍କ ପିଲାମାନେ ଅତ୍ୟଧିକ ଚକୋଲେଟ୍ ଖାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଚକୋଲେଟ ଖାଇବାର ପରିମାଣକୁ ସୀମିତ କରିବାକୁ ପ୍ରୟାସ କରନ୍ତୁ ।

Comments are closed.