www.samajalive.in
Sunday, December 7, 2025
26.1 C
Bhubaneswar

ଧାନ ରିଆତି ଅଣଧାନ୍ୟ ଫସଲକୁ ରୁଗ୍ଣ କରିବ ?

ଭୁବନେଶ୍ଵର:  ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ସମୁଦ୍ର ପତନଠୁ ମାଳଭୂମି ଏବଂ ଉଷ୍ମ ଆର୍ଦ୍ରଠୁ ଦାରିଙ୍ଗବାଡିର ଥଣ୍ଡା ଜଳବାୟୁ ସହିତ ପ୍ରକୃତି ଆମ ରାଜ୍ୟକୁ ଜଳବାୟୁ ବିବିଧତାରେ ଭରିଦେଇଛି। ଫଳରେ ଆମର ତିନି ପ୍ରକାର ଉତ୍ପାଦନ ଋତୁ ଯଥା ଖରିଫ (ବର୍ଷା), ରବି (ଶୀତ ଋତୁ) ଓ ଗ୍ରୀଷ୍ମ ଅଛି। ଜଳବାୟୁ ଓ ମୃତ୍ତିକା ବିବିଧତା ସହିତ ପ୍ରଚୁର ବର୍ଷା ମିଶି, ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ପାଇଁ ପ୍ରକୃଷ୍ଟ ପରିସଂସ୍ଥା ତିଆରି କରିଛି। ଫଳରେ ବିଭିନ୍ନ ପ୍ରକାର ଖାଦ୍ୟ ଶସ୍ୟ, ଡାଲି ଜାତୀୟ ଫସଲ, ତୈଳ ବୀଜ, ଅର୍ଥକରୀ ଫସଲ, ବିଭିନ୍ନ ପ୍ରକାର ପନିପରିବା, ଫଳ ମୂଳ, ଫୁଲ, ମସଲା ପ୍ରଭୃତି ଅତି ଆରାମରେ ଓଡ଼ିଶାରେ ଚାଷ ହୋଇପାରୁଛି। ଓଡ଼ିଶାର ଯେତେ ପ୍ରକାର ଶାଗ ଚାଷ କରାଯାଏ ଓ ଖିଆଯାଏ, କେବଳ ତାକୁ ଗଣିଲେ ଆମ ଦେଶ ଭାରତ କ’ଣ ସମଗ୍ର ପୃଥିବୀରେ ମଧ୍ୟ ମିଳି ନ ପାରେ। କେବଳ ବ୍ୟଞ୍ଜନ ଦ୍ବାଦଶୀରେ ପୁରୀରେ ପ୍ରସ୍ତୁତ ହେଉଥିବା ଶାକାହାରୀ ଖାଦ୍ୟକୁ ହିସାବକୁ ନେଲେ ଏହା ୮୭୫ ରେ ପହଞ୍ଚିଛି ଓ ଗିନିଜ ବୁକ ଅଫ ରେକର୍ଡସରେ ସ୍ଥାନିତ ହୋଇଛି। ମାତ୍ର ଦୁଃଖର କଥା ସମଗ୍ର ଦେଶରେ ମାସିକ କୃଷି ଆୟରେ ବୃଦ୍ଧି ପରିଲକ୍ଷିତ ହେଉଥିବା ସ୍ଥଳେ, ଓଡ଼ିଶାର ମାସିକ ଚାଷୀ ଆୟ ବୃଦ୍ଧି ପରିବର୍ତ୍ତେ ହ୍ରାସ ପାଉଛି। ବର୍ତ୍ତମାନ ଦେଶର ହାରାହାରି ମାସିକ କୃଷି ଆୟ ଟ ୧୦୨୧୯ଙ୍କା ଥିବା ବେଳେ ଓଡ଼ିଶାର ମାସିକ କୃଷି ଆୟ ୫୧୧୨ଟଙ୍କା। ଖଣିଜ ସମ୍ପଦ ନ ଥିବା ଓ କୃଷି ଉପରେ ପ୍ରାଧାନ୍ୟ ଦେଉଥିବା ଦୁଇ ରାଜ୍ୟ ଯଥା ପଞ୍ଜାବ ଓ ହରିୟାଣାର ଚାଷୀଙ୍କର ମାସିକ ଆୟ ଯଥାକ୍ରମେ ୨୬୭୦୧ ଟଙ୍କା ଏବଂ ୨୨୮୪୧ ଟଙ୍କା। ଏକ ଉଚ୍ଚ ସ୍ତରୀୟ କମିଟି ସ୍ଥାପନ କରି ବିଶ୍ଳେଷଣ କରିବାର ଆବଶ୍ୟକତା ଅଛି ଯେ, ସମଗ୍ର ଦେଶରେ କୃଷି ଆୟ ଆଶାନୁରୂପ ବୃଦ୍ଧି ହୋଇପାରୁଥିବା ସ୍ଥଳେ ଓଡ଼ିଶାରେ କାହିଁକି ହୋଇପାରୁ ନାହିଁ ? ସେହି ଅନୁସାରେ ଆମକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ହେବ।
ଆମର ବିଭିନ୍ନ ଫସଲ ମଧ୍ୟରୁ ଧାନ ଚାଷ ହେଉଛି ପ୍ରଧାନ ଫସଲ। କେନ୍ଦ୍ର ସରକାର ଧାନ ଉତ୍ପାଦନରେ ବିନିଯୋଗ ହେଉଥିବା ପୁଞ୍ଜିକୁ ହିସାବକୁ ନେଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୩୦୦ ଟଙ୍କା ନିର୍ଦ୍ଧାରଣ କରିଥିଲେ। ମାତ୍ର ଏଥିରେ ଆମର ଲାଭ ନ ହେବାରୁ, ଓଡିଶା ସରକାର ଇନ୍‌ପୁଟ ସବସିଡି ଜରିଆରେ କ୍ବିଣ୍ଟାଲ ପିଛା ୮୦୦ ଟଙ୍କା ଚାଷୀମାନଙ୍କୁ ପ୍ରଦାନ କରୁଛନ୍ତି। ଅର୍ଥାତ୍‌ ଆମେ ଟଙ୍କା ଦେଇ ଚାଷୀର ଲାଭ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି, ମାତ୍ର ଚାଷୀର ଚାଷରୁ କିପରି ଲାଭ ବାହାରିବ ସେ ବିଷୟରେ ଚିନ୍ତା କରୁନାହାନ୍ତି। ଆଗରୁ ଆମେ ତିନି ଓଳି ଭାତ କିମ୍ବା ଚାଉଳ ଉତ୍ପାଦ ଖାଉଥିଲେ; କିନ୍ତୁ ବର୍ତ୍ତମାନ ଓଡ଼ିଶାର ଲୋକ ୩ ଓଳିରୁ ଦୁଇ ଓଳି ଭାତ ନ ଖାଇ ରୁଟି କିମ୍ବା ଗହମଜାତ ପଦାର୍ଥ ଖାଉଛନ୍ତି। ସେଥିପାଇଁ ଓଡ଼ିଶାରେ ଧାନ ବିକ୍ରି ହୋଇ ପାରୁନାହିଁ। ଅର୍ଥାତ୍‌ ଆମେ ଖାଉଛୁ ଗହମ ଏବଂ ଚଷୁଚୁ ଧାନ। ସାଧାରଣତଃ ଆମେ ଆମର ଚାହିଦା ମୁତାବକ ଉତ୍ପାଦନ କରିବା କଥା; କିନ୍ତୁ ସେପରି କରୁନାହାନ୍ତି। କୁଇଣ୍ଟାଲ ପିଛା ୮୦୦ ଟଙ୍କା ଅଧିକ ମିଳୁଥିବାରୁ ଚାଷୀମାନେ ଏ ବର୍ଷ ଧାନ ଚାଷକୁ ଡେଇଁଲେଣି। ଅନ୍ୟ ଫସଲର କ୍ଷେତ୍ରଫଳ ହ୍ରାସ ପାଇ ଧାନ ଉତ୍ପାଦନ କ୍ଷେତ୍ର ବୃଦ୍ଧି ହେଲାଣି। ଅତ୍ୟଧିକ ଧାନ ଉତ୍ପାଦନ ହେଲେ ପୁଣି ତାର ବିକ୍ରିବଟା ସମସ୍ୟା ଆସିବ। ବର୍ତ୍ତମାନ ଓଡ଼ିଶାରେ ୪୦ ଲକ୍ଷ ହେକ୍ଟର ଧାନ ଚାଷ ହୋଇ ବାର୍ଷିକ ୧୩୮ ଲକ୍ଷ ଟନ ଧାନ ଉତ୍ପାଦନ ହେଉଛି। ମାତ୍ର ଖାଦ୍ୟ ରୁଚିରେ ପରିବର୍ତ୍ତନ ହେବାରୁ ଲୋକେ ଭାତ ନ ଖାଇ ରୁଟି ଖାଉଛନ୍ତି। ଅର୍ଥାତ ଖାଇବୁ ରୁଟି, ଚଷିବୁ ଧାନ, କିଣିବ କିଏ ?
ନିତି ଆୟୋଗର ରିପୋର୍ଟ ଅନୁସାରେ ସବୁଠୁ କମ ଲାଭ ମିଳେ ଧାନ ଚାଷରୁ। ତା ଠୁ ଟିକେ ଅଧିକ ଲାଭ ମିଳେ ଡାଲି ଜାତୀୟ ଓ ତୈଳବୀଜ ଚାଷରୁ। ତାଠୁ ଟିକେ ଅଧିକ ଲାଭ ମିଳେ ବିଭିନ୍ନ ଅର୍ଥକରୀ ଫସଲରୁ। ତାଠୁ ଟିକେ ଅଧିକ ଲାଭ ମିଳେ ପନିପରିବା ଓ ଫଳ, ଫୁଲ ଚାଷରୁ। ତାଠୁ ଟିକେ ଅଧିକ ଲାଭ ମିଳେ ମାଛ ଚାଷରୁ। ସର୍ବାଧିକ ଲାଭ ମିଳେ ପଶୁପାଳନରୁ। ଓଡ଼ିଶାରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା ସତ୍ତ୍ୱେ, ଆମେ ଡାଲି ଜାତୀୟ (ହରଡ, ବିରି, ମୁଗ, ମସୁର, ସୋଲା ପ୍ରଭୃତି) ଓ ତୈଳବୀଜ (ସୋରିଷ, ସୋୟାବିନ, ସୂର୍ଯ୍ୟମୁଖୀ, ଚିନାବାଦାମ ଇତ୍ୟାଦି) ଆମଦାନୀ କରି ବଞ୍ଚିବା ଆଦୌ ଗ୍ରହଣୀୟ ନୁହେଁ। ଆମେ ଇନପୁଟ ସବସିଡି ଏହି ସବୁ ଫସଲ ଚାଷ ପାଇଁ ଦେଇଥିଲେ ଭଲ ହୋଇଥାନ୍ତା। ଡାଲି ଫସଲରେ ଯବକ୍ଷାରଜାନ ବିବନ୍ଧନ ହେତୁ ଜମିର ଉର୍ବରତା ଶକ୍ତି ବଜାୟ ରହିଥାନ୍ତା ଆଉ କମ ଜଳ, ସାର, କୀଟନାଶକ ପ୍ରୟୋଗରୁ ପରିସଂସ୍ଥା ପ୍ରଦୂଷଣ ମୁକ୍ତ ହୋଇପାରିଥାନ୍ତା। ଆମ ରାଜ୍ୟରେ ଉତ୍ପାଦନ ଅଭାବରୁ, ଡାଲିଜାତୀୟ ଫସଲର ଅହେତୁକ ଦର ବୃଦ୍ଧି ହେଉଛି ଓ ଗରିବଗୁରୁବା ଶରୀର ପାଇଁ ଆବଶ୍ୟକ ପ୍ରୋଟିନ ପାଇପାରୁନାହାନ୍ତି ଓ ଅପପୁଷ୍ଟିର ଶିକାର ହେଉଛନ୍ତି। ମସଲା ଚାଷ ଯଥା ଧନିଆ, ଜିରା, ପାନମଧୁରୀ, ମେଥି ଇତ୍ୟାଦି ଚାଷକୁ ପ୍ରୋତ୍ସାହନ ଦେଇଥିଲେ ଭଲ ହୋଇଥାନ୍ତା। ଆମର ପ୍ରାୟ ପାଖାପାଖି ୨ ରୁ ୩ ଲକ୍ଷ ହେକ୍ଟର ଜମିରେ ଗହମ ଚାଷ ହୋଇପାରିବ। ତାର ପ୍ରୋତ୍ସାହନ ପାଇଁ ଇନପୁଟ ସବସିଡି ଦେଇଥିଲେ ଗହମ ଚାଷ ବୃଦ୍ଧି ହୋଇଥାନ୍ତା। ଜମିର ଉର୍ବର ଶକ୍ତି ଓ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଫସଲ ଚକ୍ର (ଖରିଫରେ ଏକ ଫସଲ ଓ ରବିରେ ଅନ୍ୟ ଫସଲ) ନିତାନ୍ତ ଆବଶ୍ୟକ ଥିବା ବେଳେ ଆମେ ଉଭୟ ଋତୁରେ ଇନ୍‌ପୁଟ ସବସିଡି ଦେଇ କମ ଲାଭ ଦେଉଥିବା ଧାନ ଚାଷକୁ ପ୍ରୋତ୍ସାହନ ଦେବା ବୁଦ୍ଧିମତ୍ତାର ପରିଚୟ କି? ସାଧାରଣତଃ ଲାଭଦାୟକ କାର୍ଯ୍ୟରେ ଅଧିକ ପୁଞ୍ଜି ବିନିଯୋଗ କରାଯାଏ। ମାତ୍ର ଆମଠି ଓଲଟା। ବର୍ଷାଦିନେ ଆମେ ଧାନ ଛଡା ଅନ୍ୟାନ୍ୟ ଫସଲ ଅଧିକାଂଶ ଜମିରେ କରିପାରିବା ନାହିଁ, ଅତ୍ୟଧିକ ବର୍ଷା ପାଇଁ। ତେଣୁ ଖରିଫରେ ନିଶ୍ଚୟ ଧାନ ଉତ୍ପାଦନ ହିଁ ହେବ? ଆମକୁ ଡାଳୁଅ ଧାନକୁ ନିରୁତ୍ସାହିତ କରି ତା ଜାଗାରେ ଡାଲି ଜାତୀୟ, ତୈଳବୀଜ, ମସଲା, ଫୁଲ, ଲାଭଦାୟ ପନିପରିବା ଚାଷ ପାଇଁ ପ୍ରୋତ୍ସାହନ ବା ଇନପୁଟ ସବସିଡି ଦେବା କଥା। ବିନା ଇନ୍‌ପୁଟ ସବସିଡିରେ ମଧ୍ୟ ଧାନକୁ ଲାଭଦାୟକ କରାଯାଇ ପାରିବ। ମାତ୍ର ତା ପାଇଁ ସରୁ ଲମ୍ବା ଧାନ ଚାଷ, ଅଣ ବାସନାଯୁକ୍ତ ବାସୁମତି ଧାନ ଚାଷ, ରବର ସେଲର ବ୍ୟବସ୍ଥା, ଓଡ଼ିଶାରେ ଚାଉଳ ରପ୍ତାନି କେନ୍ଦ୍ର ସ୍ଥାପନ, ବଡ ବଡ ପ୍ରକ୍ରିୟାକରଣ ଓ ରପ୍ତାନି କେନ୍ଦ୍ର (ମୁଢି, ଚୁଡା ଇତ୍ୟାଦି ପାଇଁ) କରିବାକୁ ହେବ, ମାତ୍ର ଚାଷୀଙ୍କୁ ଇନପୁଟ ସବସିଡି ଦେଲେ ହେବ ନାହିଁ। ତେଣୁ ରବି ଧାନରେ ଇନ୍‌ପୁଟ ସବସିଡି ନ ଦେଇ ରବି ଋତୁରେ ଚାଷ ହେଉଥିବା ଅନ୍ୟାନ୍ୟ ଫସଲକୁ ଇନପୁଟ ସବସିଡି ଦିଆଯିବା ଦରକାର।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories