ମୋହନା : ରାଜ୍ୟ ସରକାର ବିଭିନ୍ନ ସମୟରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକର ଉନ୍ନତି ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତିି । ହେଲେ ଏମିତି କିଛି ଅଞ୍ଚଳ ମୋହନା ବ୍ଲକରେ ରହିଛି ତାହାର ବାସ୍ତବ ସ୍ଥିତି ଓଲଟା। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚୁଡଙ୍ଗପୁର, ପଞ୍ଚାୟତ ଅଧିନ ଝରଣପୁର ଗାଁ ନିକଟରେ ଥିବା ଗାଜେଲ ନାଳର ଦୃଶ୍ୟ କହିଲେ ନସରେ । ଚୁଢଙ୍ଗପୁର ପଞ୍ଚାୟତ ଅଧିନ ଶିଆଳିଲଟି, ଝରଣପୁର ଠାରୁ ରାଇପଙ୍କା ପଞ୍ଚାୟତକୁ ସଂଲଗ୍ନ କରୁଥିବା ଏହି ନାଳ ଉପର ରାସ୍ତା ଦେଇ ୩ଟି ପଞ୍ଚାୟତର ୨୦ରୁ ଉର୍ଦ୍ଧ୍ବ ଗାଁର ହଜାର ହଜାର ଲୋକ ନିର୍ଭରଶୀଳ ଅଟନ୍ତି । ପୋଲ ଉପରେ ଛାତ ପଡ଼ିଛି ହେଲେ ରାସ୍ତା ସଂଯୋଗ ହୋଇନି କି ନାଳର ଉଭୟ ପାର୍ଶ୍ଵରେ ଗାର୍ଡ ୱ।ର୍ଲ ନିର୍ମାଣ ହୋଇନି ।
ଯାହାଫଳରେ ସ୍କୁଲ, କଲେଜ, ହାଟ, ବଜାର, ସ୍ଵାସ୍ଥ୍ୟକେନ୍ଦ୍ର ସମେତ ସମସ୍ତ ସରକାରୀ କାମରେ କାର୍ଯ୍ୟାଳୟକୁ ଯାତାୟତ ପାଇଁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି । ହେଲେ ଏହି ନାଳ ଉପରେ ପୋଲ ନିର୍ମାଣ ଅଧପନ୍ତରିଆ ହୋଇ ପଡ଼ି ରହିଛି । ଏହି ନାଳ ନିକଟରୁ ରାଇପଙ୍କା ଗ୍ରାମ ମାତ୍ର ୮କିମି ଏବଂ ରାୟଗଡ଼ା ଜିଲ୍ଲାର ପଦ୍ମପୁର ମୂଖ୍ୟ ବଜାର ୧୪କିମି । ଭଲ ରାସ୍ତା ଖଣ୍ଡେ ନାହିଁ । ମାଟି ରାସ୍ତା ଓ ତିନୋଟି ନାଳ ଦେଇ ଯାତାୟାତ କରନ୍ତି ଅନେକ ଗ୍ରାମର ଲୋକେ । ଅନ୍ୟ ଜିଲ୍ଲାର ବ୍ୟବସାୟୀମାନେ ବର୍ଷା ଦିନେ ଏଭଳି ରାସ୍ତା ଓ ପୋଲ ଯୋଗୁଁ ଲୋକେ ଭରା ନାଳକୁ ବହୁ କଷ୍ଟରେ ପାର ହେଉଥିବା ଦେଖା ଦେଇଛି । ଖାଲି ସେତିକି ନୁହେଁ ଜରୁରୀକାଳୀନ ଚିକିତ୍ସା ପାଇଁ ରୋଗୀଙ୍କୁ ଚୁଡଙ୍ଗପୂର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ମୋହନା ମେଡିକାଲକୁ ଆଣିବାକୁ ହେଲେ ଗ୍ରାମବାସୀ ଦୋଳା କରି ବୋହି ଆଣନ୍ତି । ଏଭଳି ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ ,ଗର୍ଭବତୀ ମହିଳା, ବରିଷ୍ଠ ନାଗରିକ ଓ ଛାତ୍ର ଛାତ୍ରୀ ।
ତେଣୁ ତୁରନ୍ତ ଏହି ପୋଲ ନିର୍ମାଣ କାମ ଶେଷ କରିବା ସହ ରାସ୍ତା ନିର୍ମାଣ ଓ ଗାର୍ଡ ୱାଲ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଏ ସଂପର୍କରେ ଶୁକ୍ରବାର ଦିନ ମୋହନା ପରିଦର୍ଶନରେ ଆସିଥିବା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ସମସ୍ୟା ବିଷୟରେ ପଚାରିବାରୁ ସେ କହିଛନ୍ତି ତୁରନ୍ତ ବ୍ଲକ୍ ପ୍ରଶାସନ ପକ୍ଷରୁ ଏହି ପୋଲର ଉଭୟ ପାର୍ଶ୍ୱ ରାସ୍ତା ଓ ଗାର୍ଡ ୱ।ର୍ଲ ନିର୍ମାଣ କରାଯିବ ଏବଂ ବିଶେଷ କରି ମୋହନା ବ୍ଲକର ବିଭିନ୍ନ ପଞ୍ଚାୟତର ଉନ୍ନତିକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ।
Comments are closed.