ଭୁବନେଶ୍ବର: ସଦ୍ୟ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚିତ୍ର ‘ଦମନ’ ବିଚ୍ଛିନ୍ନାଞ୍ଚଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଘନ ଅନ୍ଧାର ଭିତରେ ଆଶାର ଆଲୋକ ସଞ୍ଚାର କରିଛି। ସିନେମାଟି ବାସ୍ତବଧର୍ମୀ କାହାଣୀ ଉପରେ ଆଧାରିତ ହୋଇଥିବାରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମାଗଣାରେ ବରିଷ୍ଠ ଅଧିକାରୀଙ୍କୁ ଦେଖାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଏ ସଂକ୍ରାନ୍ତରେ ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁ ସବୁ ବିଭାଗକୁ ପତ୍ର ଲେଖି ଅବଗତ କରାଇଛନ୍ତି ଯେ ଯୁଗ୍ମସଚିବ ପାହ୍ୟାଠାରୁ ଊର୍ଦ୍ଧ୍ବ ବରିଷ୍ଠ ଅଧିକାରୀମାନଙ୍କ ପାଇଁ ରବିବାର ଲୋକସେବା ଭବନ ପ୍ରେକ୍ଷାଳୟରେ ସନ୍ଧ୍ୟା ୫ଟାରେ ଫିଲ୍ମଟି ପ୍ରଦର୍ଶନ କରାଯିବ। ଚଳଚିତ୍ରଟିର କଥାବସ୍ତୁ, ଚିତ୍ରାୟଣ, ପ୍ରତିଟି ଚରିତ୍ରର ଅଭିନୟ ଓ ସମ୍ପାଦନା ଜୀବନ୍ତ ହୋଇଥିବାରୁ ଅଧିକାରୀଗଣଙ୍କୁ ବାସ୍ତବକ୍ଷେତ୍ରରେ ପ୍ରେରଣା ଯୋଗାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।



