ଦୁଇ ବାମଦଳର ମିଶ୍ରଣ ସୃଷ୍ଟି କରିବ ନୂଆ ରାଜନୈତିକ ସମୀକରଣ: ଡି.ରାଜା

କଟକ: ସିପିଆଇ(ଭାରତୀୟ କମ୍ୟୁନିଷ୍ଟ ପାର୍ଟି)ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ଡି.ରାଜା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତେବେ ସେ ଏମିତି ଏକ ସମୟରେ ଦଳର ମହାସଚିବ ହୋଇଛନ୍ତି ଯେଉଁ ସମୟରେ ଦେଶରେ କମ୍ୟୁନିଷ୍ଟ ଆନ୍ଦୋଳନ ଓ ଦଳର ସ୍ଥିତି ଦୁର୍ବଳ ହେବାରେ ଲାଗୁଛି। କମ୍ୟୁନିଷ୍ଟ ପାର୍ଟିର ୯୫ ବର୍ଷର ଇତିହାସରେ ପ୍ରଥମଥର ଜଣେ ଦଳିତ ବ୍ୟକ୍ତିଙ୍କୁ ଦଳର ମହା ସଚିବ ପଦରେ ନିଯୁକ୍ତ କରାଯାଇଛି। ଚଳିତ ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟିର ପରାଜୟ ପରେ ଡି.ରାଜାଙ୍କୁ ଦଳର ମୁଖିଆ କରାଯାଇଛି। ସାରାଦେଶରେ ବିଜେପିର ବିପୁଳ ବିଜୟ ପରେ ମଧ୍ୟ ଡି.ରାଜା କହିଛନ୍ତି ବାମଦଳର ଭବିଷ୍ୟତ ଉଜ୍ଜଳ।

ଡି.ରାଜାଙ୍କ ଦିର୍ଘ ରାଜନୈତିକ କ୍ୟାରିୟରକୁ ଦେଖିଲେ, ଡି.ରାଜା ୧୯୬୭-୬୮ ମଧ୍ୟରେ ସିପିଆଇର ଛାତ୍ର ସଂଗଠନରେ ଏଆଇଏସଏଫରେ ଯୋଗ ଦେଇଥିଲେ। ୧୯୭୩ ମସିହାରେ ଦଳର ଜିଲା ସଘଂ ପକ୍ଷରୁ ତାଙ୍କୁ ପାଠପଢିବା ପାଇଁ ମୋସ୍କୋ ପଠାଇଥିଲେ। ସେଠାରୁ ଫେରିବାପରେ ୧୯୭୪ରେ ଡି.ରାଜା ପୂର୍ବକାଳିନ କାର୍ଯ୍ୟକର୍ତ୍ତା ହୋଇଥିଲେ। ଡି.ରାଜାଙ୍କୁ ପାର୍ଟି ଯୁବକମାନଙ୍କୁ ସଂଗଠିତ କରିବାର ଦାୟିତ୍ୱ ଦିଆଯାଇଥିଲା ଏବଂ ସେହି ବର୍ଷ ଅର୍ଥାତ ୧୯୭୬ ମସିହାରେ ତାଙ୍କୁ ସର୍ବ ଭାରତୀୟ ଯୁବ ମହାସଂଘର ରାଜ୍ୟଶାଖା ସଚିବ ଭାବେ ଚୟନ କରାଯାଇଥିଲା। ଜଣେ ଯୁବନେତା ଭାବରେ ଡି.ରାଜା ନିଜ ଦକ୍ଷତାକୁ ପ୍ରତିପାଦନ କରିଥିଲେ। ଡି.ରାଜା ୨୦୦୬ ମସିହାରେ ତାମିଲନାଡୁରୁ ରାଜ୍ୟସଭା ସାଂସଦ ହୋଇଥିଲେ। ତାଙ୍କର ରାଜନୈତିକ ଦକ୍ଷତା,ଦୃରଦୃଷ୍ଟି ଏବଂ ସଂସଦୀୟ ରାଜନୀତି କ୍ଷେତ୍ରରେ ଅଭିଜ୍ଞତା ସିପିଆଇକୁ ମିଳିପାରିବ ବୋଲି ତାଙ୍କର ସମର୍ଥକ ମାନେ ଆଶା ରଖିଛନ୍ତି। ଡି.ରାଜା ରାଜ୍ୟ ଶାଖା ସମ୍ମିଳନୀରେ ଭାଗନେବା ପାଇଁ ଓଡିଶା ଗସ୍ତରେ ଆସିଥିଲେ। ଏହି ଅବସରରେ କଟକ ଗୋପବନ୍ଧୁ ଭବନ ସ୍ଥିତ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୃତ୍ତିରେ ମାଲ୍ୟାର୍ପଣ କରିଥିଲେ।

prayash

ଏହି ଅବସରରେ ଦଳ ତଥା ସଂଗଠନକୁ ସୃଦୁଢ କରିବା ସମ୍ପର୍କରେ ମତ ଦେଇଥିଲେ। ସଂଗଠନକୁ ମଜଭୁତ କରିବାପାଇଁ ଏକ ଆହ୍ୱାନ ତାଙ୍କ ସାମ୍ନାରେ ରହିଛି ବୋଲି ଡି.ରାଜା ସ୍ୱିକାର କରିଛନ୍ତି। କିନ୍ତୁ ବର୍ତ୍ତମାନ ମଧ୍ୟ ଲୋକମାନଙ୍କର କମ୍ୟୁନିଷ୍ଟ ପାର୍ଟି ଉପରେ ଭରସା ରଖିଛନ୍ତି ଏବଂ ଦିନ ଆସିବ ଯେବେ ସାରା ଭାରତରେ ଲାଲ୍‍ ଝଣ୍ଡା ଉଡିବ ବୋଲି ଡି.ରାଜା ଦୃଢୋକ୍ତି ପ୍ରକାଶ କରିଛନ୍ତି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦ) ଯଥା ଶିଘ୍ର ମିଶିଯିବାର ସମ୍ଭାବନା ରହିଛି କାରଣ ଦୁଇ ପାର୍ଟିଙ୍କର ବିଚାର ଧାର ସମାନଥିବା ଡି.ରାଜା ପ୍ରକାଶ କରିଛନ୍ତି। ଡି.ରାଜାଙ୍କର ମତରେ ବିଜେପିକୁ ନିର୍ବାଚନରେ ମାତ ଦେବାକୁ ହେଲେ ସମାନ ଚିନ୍ତାଧାରାର ବିପକ୍ଷଦଳକୁ ଏକ ହେବା ଆବଶ୍ୟକ କିନ୍ତୁ ତାହା ହୋଇପାରିନାହିଁ।

କମ୍ୟୁନିଷ୍ଟ ପାର୍ଟିର ଏକତ୍ରିକରଣ ପ୍ରଶ୍ନରେ ଡି.ରାଜା କହିଛନ୍ତି ସିପିଆଇ ଦେଶର ତଳସ୍ତରରୁ ଲୋକମାନଙ୍କୁ ଏକତ୍ର କରୁଛି ଏବଂ ସେ ସମାନ ବିଚାରଧାରା ଆଧାରରେ କମ୍ୟୁନିଷ୍ଟ ଆନ୍ଦୋଳନର ଏକତ୍ରିକରଣ ଚାହୁଁଛନ୍ତି। ଏହି ଦିଗରେ ପ୍ରୟାସ ଜାରି ରହିଛି। ଦେଶର ଅର୍ଥନୀତି ସଙ୍କଟଜନକ ପରିସ୍ଥିତିରେ ଗତି କରୁଛି। ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ କୃଷି, ବସ୍ତ୍ରଶିଳ୍ପ, ପରିବହନ ଶିଳ୍ପ, ନିର୍ମାଣ ଶିଳ୍ପର କ୍ରମ ଅବନତି ଘଟୁଛି। ଏହାର ପ୍ରତିକାର ବଦଳରେ ବହୁଜାତୀୟ କର୍ପୋରେଟ ସଂସ୍ଥା ଓ ପୁଞ୍ଜିପତିଙ୍କୁ କର ଛାଡ଼ କରାଯାଉଛି। ମାନ୍ଦାବସ୍ଥା ଯୋଗୁଁ ଛଟେଇ ହୋଇଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କୁ ପୁନଃନିଯୁକ୍ତି ତଥା କୌଣସି ସହାୟତା ପ୍ରଦାନ କରାଯାଇନାହିଁ। ବରଂ ଲାଭଦାୟକ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ କରି କର୍ପୋରେଟ ସଂସ୍ଥା ହାତକୁ ଟେକି ଦିଆଯାଉଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଥିବା ବେଳେ ଅତ୍ୟଧିକ ଟିକସ ହେତୁ ଭାରତରେ ତୈଳ ଦର ବୃଦ୍ଧି ଜନସାଧାରଣଙ୍କୁ ଭାରାକ୍ରାନ୍ତ କରୁଛି। ଏହାର ପ୍ରତିବାଦରେ ବାମପନ୍ଥୀଙ୍କ ପକ୍ଷରୁ ସମଗ୍ର ଭାରତ ବର୍ଷରେ ଆଗାମୀ ଅକ୍ଟୋବର ୧୦ରୁ ୧୫ ତାରିଖ ପର୍ୟ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡି. ରାଜା।

କଟକସ୍ଥିତ ବାରବାଟୀ ଷ୍ଟାଡିୟମ ପରିସରରେ ଚାଲିଥିବା ଦୁଇଦିନିଆ ରାଜ୍ୟ ସାଂଗଠନିକ ସମ୍ମିଳନୀ ଅବସରରେ ରବିବାର ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡି. ରାଜା କହିଲେ, ବିଜେପି ସରକାର ତରବରିଆ ଭାବେ କାଶ୍ମୀରରୁ ୩୭୦ ଓ ୩୫ଏ ଧାରାକୁ ଅଗଣତାନ୍ତ୍ରିକ ଭାବେ ଉଚ୍ଛେଦ କରି କାଶ୍ମୀରବାସୀଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି। କାଶ୍ମୀରବାସୀଙ୍କ ସ୍ୱାଭିମାନ, ସାମାଜିକତା ଓ ସଭ୍ୟତା ପ୍ରତି କେନ୍ଦ୍ର ସରକାର ଅପମାନଜନକ କାର୍ୟ୍ୟ କରିଛନ୍ତି। ଏକ ଦେଶ, ଏକ ଭାଷା, ଏକ ଧର୍ମ ଓ ଏକ ନେତାର ଆହ୍ୱାନ ଦେଇ ବିବିଧତା ମଧ୍ୟରେ ଏକତା ଉପରେ ଆକ୍ରମଣ କରାଯାଇଛି। ଗଣଦୁଷ୍କର୍ମ, ଆକ୍ରମଣ ଆଦି ଚାଲିଥିବା ବେଳେ ମୋଦୀ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ସେଥିପାଇଁ ଆଗାମୀ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ୭ ତାରିଖ ପର୍ୟ୍ୟନ୍ତ ସିପିଆଇ ପକ୍ଷରୁ ସାମ୍ପ୍ରଦାୟିକ ସଂପ୍ରୀତିର ସୁରକ୍ଷା ପାଇଁ ଦେଶବ୍ୟାପୀ ଅଭିଯାନ କରାଯିବ। ଏଥିସହ ସିପିଆଇ ସହ ସହ ଅନ୍ୟ ୪ଟି ବାମପନ୍ଥୀ ଦଳ ମିଳିତ ହୋଇ ଅକ୍ଟୋବର ୧୦ରୁ ୧୫ ତାରିଖ ପର୍ୟ୍ୟନ୍ତ ବ୍ୟାପକ ଗଣ ଆନ୍ଦୋଳନ କରାଯିବାକୁ ସ୍ଥିର ହୋଇଛି ବୋଲି ଡି. ରାଜା କହିଛନ୍ତି।

kalyan agarbati

Comments are closed.