ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟାରେ ଉପକୂଳ ଛୁଇଁବ। ଗୁଜରାଟର କଚ୍ଛ ଜିଲାର ଜାଖୌ ବନ୍ଦର ନିକଟରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ଏହା ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଏହି ସମୟରେ ଘଣ୍ଟାପ୍ରତି ୧୫୦ କିମି ବେଗରେ ପବନ ବହିବ। ସ୍ଥଳଭାଗ ଛୁଇଁବା ପରେ ଏହା ଉତ୍ତର ଓ ଉତ୍ତର-ପୂର୍ବ ଦିଗ ପାକିସ୍ତାନ ଆଡକୁ ଗତି କରିବ। ତେଣୁ ଏହାର ପ୍ରଭାବ ପାକିସ୍ତାନର କରାଚି ଉପରେ ପଡିବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ପୂର୍ବରୁ ବାତ୍ୟାର ପ୍ରଭାବ ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ବୁଧବାର ଅନୁଭୂତ ହୋଇଛି।
ଏଠାରେ ବର୍ଷା ସହିତ ପବନ ଆରମ୍ଭ ହୋଇଛି। କଚ୍ଛ, ଦ୍ବାରକା, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ ଓ ଗିର-ସୋମନାଥ ଜିଲାରେ ୬୫ରୁ ୭୫ କିମି ବେଗରେ ପବନ ବହିଛି। ଆଇଏମଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ବୁଧବାର ମଧ୍ୟାହ୍ନ ବେଳକୁ ବାତ୍ୟା ‘ବିପର୍ଯ୍ୟୟ’ ଜାଖୌ ବନ୍ଦରର ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମକୁ ୨୮୦ କିମି ଦୂରରେ ରହିଥିଲା। ଏହା ଘଣ୍ଟା ପ୍ରତି ୭ରୁ୮ କିମି ବେଗରେ ଗତି କରୁଥିବା ପୂର୍ବାନୁମାନ କରାଯାଇଛି। ବତ୍ୟା ଯୋଗଁୁ ଗୁଜରାଟ ସହିତ କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୋଆ, ଡାମନ ଡିୟୁ, ଲାକ୍ଷାଦ୍ବୀପ ଓ ଦାଦ୍ରା ନଗର ହାବେଳିରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ବାତ୍ୟାକୁ ମୁକାବିଲା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଏହି ବାତ୍ୟାର ସାମ୍ଭାବ୍ୟ କ୍ଷୟକ୍ଷତିର ମୁକାବିଲା ନିମନ୍ତେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଅନେକ ପ୍ରସ୍ତୁତି କରାଯାଇଥିବା ଜଣାଯାଇଛି।
ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟର ଉପକୂଳ ଜିଲାରୁ ୫୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସୌରାଷ୍ଟ୍ର, ଦ୍ବାରକା ଓ କଚ୍ଛ ଜିଲାକୁ ଆଇଏମଡି ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି। ବାତ୍ୟା ସମୟରେ ଆବଶ୍ୟକ ଉଦ୍ଧାର କାର୍ଯ୍ୟ ନିମନ୍ତେ ସେନାକୁ ସଜାଗ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାର ତିନି ବାହିନୀ ମୁଖ୍ୟଙ୍କ ସହିତ କଥା ହୋଇ ଉଦ୍ଧାର କାର୍ଯ୍ୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଉଦ୍ଧାର କାର୍ଯ୍ୟ ନିମନ୍ତେ ନୌସେନାକୁ ବିଶେଷ ସଜାଗ କରାଯାଇଛି। ନୌସେନା ଯୁଦ୍ଧ ଜାହାଜ ସହିତ ହେଲିକପ୍ଟର ଓ ରିଲିଫ ଦଳକୁ ପ୍ରସ୍ତୁତ କରି ରଖାଯାଇଛି। ବାତ୍ୟା ପାଇଁ ୱେଷ୍ଟର୍ଣ୍ଣ ରେଲୱେ ଏହାର ୯୦ଟି ଟ୍ରେନ ଚଳାଚଳକୁ ବାତିଲ କରିଛି। ବାତ୍ୟା ପରବର୍ତ୍ତୀ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଲାଗି ଏନଡିଆରଏଫ୍ ଓ ଏସଡିଆରଏଫ ବାହିନୀକୁ ସଜାଗ ରଖାଯାଇଛି। ସେହିପରି ଉପକୂଳ ଜିଲାଗୁଡିକରେ ବିଭିନ୍ନ ଡାକ୍ତରଖାନାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ନେତୃତ୍ବରେ କଚ୍ଛ ଅଞ୍ଚଳରେ ଡାକ୍ତରଖାନାଗୁଡିକରେ ଶଯ୍ୟା ସହିତ ଭେଣ୍ଟିଲେଟର ଓ ଅକ୍ସିଜେନ୍ ପ୍ରସ୍ତୁତ ରଖାଯାଇଛି। ଭୁଜ୍ ବିମାନବନ୍ଦର ଟର୍ମିନାଲକୁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଏଠାରେ ବିମାନ ଉଡାଣ ଓ ଅବତରଣକୁ ନିଷିଦ୍ଧ କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ତେଲଙ୍ଗାନା ଗସ୍ତକୁ ବାତିଲ କରାଯାଇଛି।
ଆଜି ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’
Popular Categories



