ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାର ନାମ ‘ୟାସ୍’ ରହିବ। ଓମାନ୍ ପକ୍ଷରୁ ଏହି ବାତ୍ୟାର ନାମ କରଣ କରାଯାଇଛି। ୟାସ୍ ଅର୍ଥ ହେଉଛି ‘ନିରାଶ।’। ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟି ହେଉଥିବା ବାତ୍ୟାଗୁଡିକର ନାମକରଣ ପାଇଁ ଏକ ରାଷ୍ଟ୍ରଗୋଷ୍ଠୀ ରହିଛି। ଏହି ରାଷ୍ଟ୍ରଗୋଷ୍ଠୀରେ ବାଂଲାଦେଶ, ଭାରତ, ମିଆଁମାର, ମାଳଦ୍ବୀପ, ଇରାନ, ଓମାନ, ପାକିସ୍ତାନ, କାତାର, ସାଉଦିଆରବ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ୟୁଏଇ ଓ ୟେମେନ ରହିଛନ୍ତି। ବିଶ୍ବ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ଅଧୀନ ଆଞ୍ଚଳିକ ସ୍ବତନ୍ତ୍ର ପାଣିପାଗ କେନ୍ଦ୍ର (ଆରଏସ୍ଏମସି) ଓ ସାମୁଦ୍ରିକ ବାତ୍ୟା ସତର୍କ କେନ୍ଦ୍ର (ଟିସିଡବ୍ଲ୍ୟୁସି) ଦ୍ବାରା ବାତ୍ୟାଗୁଡିକର ନାମକରଣ କରାଯାଇଥାଏ।
ଆରଏସ୍ଏମସି ଓ ଟିସିଡବ୍ଲ୍ୟୁସି ଆଞ୍ଚଳିକ ଭିତ୍ତିରେ ବିଭିନ୍ନ ସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ପାଇଁ ରାଷ୍ଟ୍ର ଗୋଷ୍ଠୀ ଗଠନ କରିଛନ୍ତି। ଆରଏମ୍ଆରସି ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟ ବଙ୍ଗୋପସାଗର ଓ ଆରବ ସାଗରର ବାତ୍ୟା ଗୁଡିକର ନାମକରଣ କରିଥାଏ। ଏଥିପାଇଁ ଗଠିତ ରାଷ୍ଟ୍ରଗୋଷ୍ଠୀ ସୁପାରିସ କରିଥିବା ନାମଗୁଡିକୁ କ୍ରମ ଅନୁଯାୟୀ ଅନୁମୋଦନ କରାଯାଇଥାଏ। ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ନାମକରଣ ମ୍ୟଁାମାରର ନାମ ଅନୁସାରେ ତୌତେ ରଖାଯାଇଥିଲା। ଯାହାର ଅର୍ଥ ଝିଟିପିଟି। ଏବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାର ନାମ ଓମାନ୍ର ନାମ ଅନୁଯାୟୀ ‘ୟସ୍’ ରହିବ।
ଏହା ପରେ ଆରବ ସାଗର କିମ୍ବା ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ନାମ ‘ଗୁଲାବ’ ରହିବ। ଏହାକୁ ପାକିସ୍ତାନ ନାମକରଣ କରିଛି। ଏହି କ୍ରମରେ ବାତ୍ୟାର ନାମ ସାହିନ (କାତାର), ଜୋୱାଦ (ସାଉଦି ଆରବ) ଆଦି ରହିବ। ଏହିସବୁ ରାଷ୍ଟ୍ର ୧୬୯ଟି ନାମ ପ୍ରସ୍ତାବିତ ହୋଇଛି। ଉପରୋକ୍ତ ୧୩ଟି ରାଷ୍ଟ୍ର ୧୩ଟି ଲେଖାଏଁ ନାମ ପ୍ରସ୍ତାବ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ବାତ୍ୟା ଆସୁଛି, ଏହା ମେ’ ୨୬ରେ ଉପକୂଳ ମୁହାଁଇବ। ମେ’ ୨୨ରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ।



