ନୂଆଦିଲ୍ଲୀ: ଓଡ଼ିଶାକୁ ପୁଣି ଡରାଇଲାଣି ମହାବାତ୍ୟା । ଅକ୍ଟୋବର ୧୮ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ସୁପରସାଇକ୍ଲୋନ ହେବାର ସମ୍ଭାବନା ଥିବା ନେଇ ଆମେରିକାର ପାଣିପାଗ ବିଭାଗ ଜିଏଫଏସ ପକ୍ଷରୁ ପୂର୍ବାନୁମାନ କରାଯାଇଛି । କାନାଡାର ସସ୍କାଚୱାନ ବିଶ୍ୱବିଦ୍ୟାଳୟର ପାଣିପାଗ ଏବଂ ଜଳବାୟୁ ଉପରେ ପିଏଚଡି ଅନୁସନ୍ଧାନକାରୀ ବିଶେଷଜ୍ଞ ମୋସ୍ତାଫା କମଲ ପାଲାଶ ଏହି ବାତ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି, ଅକ୍ଟୋବର ୧୮ ସୁଦ୍ଧା ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହା କ୍ରମଶଃ ଧୀରେଧୀରେ ବାତ୍ୟାର ରୂପ ନେବ । ଏହି ବାତ୍ୟା ନାଁ ‘ସିତରଙ୍ଗ’ ରଖାଯାଇଛି ବୋଲି ସେ କହିଛନ୍ତି । ତାହା ସହ ଏହାର ପବନର ବେଗ ୨୨୦ରୁ ୨୫୦ ମଧ୍ୟରେ ରହିବ ବୋଲି କୁହାଯାଇଛି । ସାଇକ୍ଲୋନନ୍ ଆମ୍ଫାନ୍ ସହିତ ଏହାର ପ୍ରଭାବ ସମାନ ରହିବ ବୋଲି କୁହାଯାଇଛି । ସମୁଦ୍ରରେ ୧୫ରୁ ୨୦ ଫୁଟର ଜୁଆର ଆସିପାରେ ବୋଲି ମଧ୍ୟ କହିଛି ଜିଏଫଏସ ସଂସ୍ଥା ।
ହେଲେ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଆଏମଡି ପକ୍ଷରୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ କୁହାଯାଇନାହିଁ । ଘଟଣାକୁ ନେଇ ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଇଏମଡି ଆଞ୍ଚଳିକ ନିର୍ଦ୍ଦେଶକ ଏଚଆର ବିଶ୍ୱାସ ଓଡିଶା ପାଇଁ କୌଣସି ଘୂର୍ଣ୍ଣିବଳୟ ପୂର୍ବାନୁମାନ କରାଯାଇ ନାହିଁ ବୋଲି କହିଛନ୍ତି ।



