www.samajalive.in
Wednesday, December 10, 2025
16.1 C
Bhubaneswar

ଗୋଲ୍ଡେନ୍ ଟ୍ରାଇଙ୍ଗଲ ସାଇକେଲିଂ ଚମ୍ପିଆନସିପ୍‌‌; ପଞ୍ଜାବର ମନଜିତଙ୍କୁ ୧ଲକ୍ଷ ଓ ମହାରାଷ୍ଟ୍ରର ହନୁମାନଙ୍କୁ ୫୦ହଜାର ଟଙ୍କା ପୁରସ୍କାର

ପିପିଲି: ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡ୍‌‌ଭେଞ୍ଚର କ୍ଲବ(ବିସିଏସି) ପକ୍ଷରୁ ୬ଷ୍ଠ ଗୋଲ୍‌‌ଡେନ୍‌‌ ଟ୍ରାଙ୍ଗେଲ ସାଇକେଲିଂ ଚମ୍ପିଆନସିପ୍‌‌-୨୦୨୪ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ପଞ୍ଜାବ, ହରିଆନା, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟର ଶହେରୁ ଊର୍ଦ୍ଧ୍ବ ବୃତ୍ତିଗତ ସାଇକେଲ୍‌‌ ଚାଳକ ପ୍ରତିଯୋଗୀଙ୍କ ସମେତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ଦୁଇଜଣ ବିଦେଶୀ ପ୍ରତିଯୋଗୀ ଭାଗ ନେଇଥିଲେ।

ରବିବାର ପ୍ରାତଃ ସାଢେ ୬ଟା ସମୟରେ ଶାନ୍ତିସ୍ତୁପ ଧଉଳିର ପାଦଦେଶ ଠାରେ ଏହି ପ୍ରତିଯୋଗିତାକୁ ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡ୍‌‌ଭେଞ୍ଚର କ୍ଲବ ର ଅଧ୍ୟକ୍ଷ ତଥା କଟକ-ଭୁବନେଶ୍ୱର ଟ୍ୱିନ୍‌‌ ସିଟିର ପୁଲିସ କମିଶନର ସଞ୍ଜୀବ ପଣ୍ଡା ଓ ଏଚ୍‌‌ଡିଏଫ୍‌‌ସି ବ୍ୟାଙ୍କର ଉପାଧ୍ୟକ୍ଷ ଅନନ୍ତ ପଟ୍ଟନାୟକ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପ୍ରତିଯୋଗୀମାନେ ଧଉଳି ଠାରୁ ଉତ୍ତରା, ଗୁଡିଆପୋଖରୀ, ଜଇସପାଟଣା, ପିପିଲି, ସାକ୍ଷୀଗୋପାଳ, ଚନ୍ଦନପୁର, ମାଳତିପାଟପୁର, ବାଟଗାଁ, ମଙ୍ଗଳାଘାଟ ଦେଇ ପୁରୀ ନିଉ ମେରାଇନ୍‌‌ ଡ୍ରାଇଭ୍‌‌ ପର୍ଯ୍ୟନ୍ତ ଯାଇ ପୁନର୍ବାର ସେଠାରୁ ଧଉଳିକୁ ଫେରିଥିଲେ। ସମସ୍ତ ସାଇକେଲ୍‌‌ ଚାଳକ ପ୍ରତିଯୋଗୀମାନେ ଜାତୀୟ ରାଜପଥ ଉପରେ ୪୦ରୁ ୫୦ କିଲୋମିଟର ବେଗରେ ସେମାନଙ୍କ ସାଇକେଲ୍‌‌କୁ ଚଳାଉଥିବା ବେଳେ ଏହି ପ୍ରତିଯୋଗିତାକୁ ଦେଖିବା ପାଇଁ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ଦର୍ଶକ ଓ କ୍ରୀଡାବିତ୍‌‌ ମାନେ ଠିଆ ହୋଇ ତାଳିମାରି ସେମାନଙ୍କୁ ଉତ୍ସାହିତ କରିଥିଲେ। ଟ୍ରାଫିକ୍‌‌ ନିୟନ୍ତ୍ରଣ ଓ ପ୍ରତିଯୋଗୀଙ୍କ ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ଜାତୀୟ ରାଜପଥରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ୧୧୪ କିଲୋମିଟର ରାସ୍ତାକୁ ପଞ୍ଜାବର ମନଜିତ୍‌‌ ସିଂହ ମାତ୍ର ୨ଘଣ୍ଟା ୪୪ ମିନିଟ୍‌‌ ୩୨ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହାରାଷ୍ଟ୍ରର ହନୁମାନ ଯଶୱନ୍ତ ଚୋପାଡେ ୨ଘଣ୍ଟା ୪୪ ମିନିଟ୍‌‌ ୪୦ ସେକେଣ୍ଡରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ଓ ପଞ୍ଜାବର କ୍ରୀଷ୍ଣା ନାୟକୋଡି ମାତ୍ର ୨ଘଣ୍ଟା ୪୪ ମିନିଟ୍‌‌ ୪୧ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡ୍‌‌ଭେଞ୍ଚର କ୍ଲବ ର ଅଧ୍ୟକ୍ଷ ତଥା କଟକ-ଭୁବନେଶ୍ୱର ଟ୍ୱିନ୍‌‌ ସିଟିର ପୁଲିସ କମିଶନର ସଞ୍ଜୀବ ପଣ୍ଡା ଓ ଏଚ୍‌‌ଡିଏଫ୍‌‌ସି ବ୍ୟାଙ୍କର ଉପାଧ୍ୟକ୍ଷ ଅନନ୍ତ ପଟ୍ଟନାୟକ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ମନଜିତ୍‌‌ଙ୍କୁ ଟ୍ରଫି ସମେତ ନଗଦ ଏକଲକ୍ଷ ଟଙ୍କା, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ହନୁମାନ ଯଶୱନ୍ତଙ୍କୁ ଟ୍ରଫି ସମେତ ୫୦ ହଜାର ଟଙ୍କା ଓ ତୃତୀୟ ସ୍ଥାନ ଅଧିକାର କରିଥିବା କ୍ରୀଷ୍ଣାଙ୍କୁ ଟ୍ରଫି ସମେତ ନଗଦ ୨୫ ହଜାର ଟଙ୍କା ଅର୍ଥରାଶି ପୁରସ୍କାର ଦିଆଯାଇଥିଲା।

- Advertisement -

ସେହିପରି ଅନ୍ୟ ୪ଜଣ ପ୍ରତିଯୋଗୀଙ୍କୁ ନଗଦ ୩ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ବୟସ ବର୍ଗର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ନିଜ ଶରୀରକୁ ସୁସ୍ଥ ରଖିବା ଦିଗରେ ସାଇକେଲିଂର ଉପକାରିତା ସଂପର୍କରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଆଲୋକପାତ କରିବା ସହ ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡ୍‌‌ଭେଞ୍ଚର କ୍ଲବ ପକ୍ଷରୁ ଏହା ପୂର୍ବରୁ ଭିଏତନାମାରୁ କାମ୍ବୋଡିଆ, ଭୁବନେଶ୍ୱରରୁ ଭୁଟାନ, କଟକରୁ କାଠମାଣ୍ଡୁ, ମନାଲିରୁ ହିମାଳୟର ଖାରଦୁଙ୍ଗ ଲା ପର୍ଯ୍ୟନ୍ତ ମେଗା ସାଇକେଲିଂ ଇଭେଣ୍ଟର ଆୟୋଜନ କରାଯାଇଥିବା ସଂପର୍କରେ ସେ ସୂଚନା ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବିସିଏସିର ଅଜୟ ନନ୍ଦ, ଶିବାଶିଷ ମହାନ୍ତି, ସନ୍ତୋଷ ରାଉତଙ୍କ ସମେତ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories