କାବେରୀ ଜଳବିବାଦ: ଅନଶନରେ ବସିବ ଏଆଇଏଡିଏମ୍‌କେ

0

ଚେନ୍ନଇ : ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ କାବେରୀ ପରିଚାଳନା ବୋର୍ଡ ଓ କାବେରୀ ଜଳ ରେଗୁଲେସନ କମିଟି ଗଠନ ଦାବିରେ ତାମିଲନାଡୁର ଶାସକ ଦଳ ଏଆଇଏଡିଏମ୍‌କେ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛି। ସୋମବାର ଠାରୁ ଏହି ଅନଶନ ଆରମ୍ଭ ହେବ ବୋଲି ଏଆଇଏଡିଏମ୍‌କେ ଆବାହକ ତଥା ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭମ୍‌ ଶୁକ୍ରବାର ଘୋଷଣା କରିଛନ୍ତି। ଏଠାରେ ଆୟୋଜିତ ଏକ ଉତ୍ସବରେ ଯୋଗଦେଇ ପନିରସେଲଭମ୍‌ କହିଛନ୍ତି ଯେ ତାମିଲନାଡୁବାସୀଙ୍କର ସ୍ୱାର୍ଥ ରକ୍ଷା ପାଇଁ ଏଆଇଏଡିଏମ୍‌କେ ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ଦଳ ଯେଉଁ ଅନାହାର ଅନଶନ କରିବ ତାହା ଦଳର ପ୍ରତିଶ୍ରୁତିବଦ୍ଧତାକୁ ସୂଚିତ କରିବ। ଏହି ଅନଶନ କେନ୍ଦ୍ର ସରକାରଙ୍କ ଉପରେ ବଡ ପ୍ରଭାବ ପକାଇବ। ତେବେ ବିରୋଧୀ ଡିଏମ୍‌କେ ଅଭିଯୋଗ କରିଛି ଯେ ତାମିଲନାଡୁ ସରକାର ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ଉପଯୁକ୍ତ ଚାପ ପକାଇପାରୁ ନାହାନ୍ତି। ଡିଏମ୍‌କେର ଅଭିଯୋଗକୁ ଖଣ୍ଡନ କରି ମୁଖ୍ୟମନ୍ତ୍ରୀ ଇଡାପାଡ୍ଡି କେ ପଲାନିସ୍ୱାମୀ କହିଛନ୍ତି ଯେ ରାଜ୍ୟର ଦାବି ଉପସ୍ଥାପନ କରିବାକୁ ଯାଇ ଏଆଇଏଡିଏମ୍‌କେ ସାଂସଦମାନେ ୧୭ଦିନ ହେଲା ସଂସଦକୁ ଅଚଳ କରି ରଖିଛନ୍ତି। କାବେରୀ ପରିଚାଳନା ବୋର୍ଡ ଓ ରେଗୁଲେସନ କମିଟି ଗଠନ ଦାବିରେ ଏଆଇଏଡିଏମ୍‌କେ ସାଂସଦମାନେ ସଂସଦ କାର୍ଯ୍ୟକୁ ଅଚଳ କରିରଖିଛନ୍ତି। ପଲାନିସ୍ୱାମୀ କହିଛନ୍ତି ଯେ ୨୦୦୭ରେ କାବେରୀ ଜଳ ବିବାଦ ଟ୍ରିବ୍ୟୁନାଲ (ସିଡବ୍ଲ୍ୟୁଡିଟି) ଗଠନ ପାଇଁ ଘୋଷଣା କରାଯାଇଥିଲା। ମାତ୍ର ସେତେବେଳେ କେନ୍ଦ୍ରର ୟୁପିଏ ସରକାରରେ ଅଂଶୀଦାର ଥିବା ଡିଏମ୍‌କେ ଏହାକୁ କାର୍ଯ୍ୟକାରୀ କରିପାରିଲେ ନାହିଁ। ଡିଏମ୍‌କେ ପାଇଁ ପରିବାର ଓ ପଦବୀ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା କାବେରୀ ନଦୀ ଜଳ ବିବାଦ ଉପରେ ନ୍ୟାୟିକ ଲଢେଇ ଜାରି ରଖିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଅନାହାର ଅନଶନରେ ବିରୋଧୀ ଡିଏମକେକୁ ସାମିଲ କରାଯିବ ନାହିଁ। କାରଣ ରାଜ୍ୟର ସ୍ୱାର୍ଥ ପାଇଁ ମିଳିତ ସ୍ୱର ଉଠାଇବାକୁ ଡିଏମ୍‌କେ ଚିନ୍ତିତ ନୁହେଁ।
କାବେରୀ ପରିଚାଳନା ବୋର୍ଡ (ସିବିଏମ୍‌) ଗଠନରେ ବିଫଳତାକୁ ନେଇ ରାଜ୍ୟ ସରକାର କେନ୍ଦ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବେ କି ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ କହିଛନ୍ତି ଯେ ଆଇନ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପରେ ଏ ବାବଦରେ ଯାହା କିଛି ନିଷ୍ପତ୍ତି ନିଆଯିବ। ଅନ୍ୟପଟେ ରାଜ୍ୟ ମତ୍ସ୍ୟ ବିଭାଗ ମନ୍ତ୍ରୀ ଡି ଜୟକୁମାର କହିଛନ୍ତି ଯେ ସିବିଏମ୍‌ ଗଠନ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବେ। ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ସିବିଏମ୍‌ ଗଠନ ପାଇଁ ସୁପ୍ରିମକୋର୍ଟ ଦେଇଥିବା ୬ ସପ୍ତାହ ସମୟ ସୀମା ଗୁରୁବାର ଶେଷ ହୋଇଥିବାବେଳେ ରାଜ୍ୟ ସରକାର ପରିବର୍ତ୍ତୀ ପଦକ୍ଷେପ ବାବଦରେ ଆଲୋଚନା ପାଇଁ ଏହି ବୈଠକ କରିଥିଲେ। ତେବେ ସୁପ୍ରିମକୋର୍ଟରେ ରାଜ୍ୟ ସରକାର କେଉଁ ପ୍ରକାର ପିଟିସନ ଦାୟର କରିବେ ତାହା ସେ କହିବାକୁ ମନା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏହା ରାଜ୍ୟ ସରକାରଙ୍କ ନୀତି ନିର୍ଦ୍ଧାରଣ ସମ୍ପର୍କିତ ନିଷ୍ପତ୍ତି ତେଣୁ ଏହାକୁ ଏବେ ଘୋଷଣା କରାଯାଇପାରିବ ନାହିଁ। କାବେରୀ ନଦୀ ଜଳକୁ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଏହାର ସମାଧାନ ପାଇଁ ଏକ ବୋର୍ଡ ଓ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଫେବୃଆରୀ ୧୬ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ଅନୁଯାୟୀ କାବେରୀ ନଦୀର ଜଳ ପରିଚାଳନା ପାଇଁ ସିବିଏମ୍‌ ଓ କାବେରୀ ଜଳ ନିୟାମକ କମିଟି (ସିଡବ୍ଲ୍ୟୁଆରସି) ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ୬ ସପ୍ତାହ ସମୟ ଦିଆଯାଇଥିଲା।

Leave A Reply