ମେ ୨୧ରେ ସିୟୁଇଟି (ୟୁଜି) ପରୀକ୍ଷା

ଭୁବନେଶ୍ବର: ଦେଶର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଅନ୍ୟାନ୍ୟ ବିଶ୍ବବିଦ୍ୟାଳୟ ଏବଂ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ସ୍ନାତକ (ୟୁଜି) ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଚଳିତ ବର୍ଷ ମେ ୨୧ରେ ଏକକ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି, ୟୁଜି) ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ଜାତୀୟ ପରୀକ୍ଷଣ ସଂସ୍ଥାନ(ଏନଟିଏ)ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଛାତ୍ରଛାତ୍ରୀ ଫେବୃଆରୀ ୯ରୁ ମାର୍ଚ୍ଚ ୧୨ ମଧ୍ୟରେ ୱେବସାଇଟ୍‌ (nta.ac.in/www.cuet.samarth.ac.in)କୁ ଲଗଇନ କରି ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ସମୟରେ କୌଣସି ତ୍ରୁଟିଥିଲେ ଏହାକୁ ଆବେଦନକାରୀ ସୁଧାରି ପାରିବେ। ମାର୍ଚ୍ଚ ୧୫ରୁ ୧୮ ତାରିଖ ମଧ୍ୟରେ ତ୍ରୁଟି ସଂଶୋଧନ କରିବାକୁ ସମୟ ଦିଆଯାଇଛି। ଏପ୍ରିଲ ୩୦ରେ ଏନଟିଏ ପକ୍ଷରୁ ପରୀକ୍ଷା କେନ୍ଦ୍ର ହେବାକୁ ଥିବା ସହରର ନାମ ଘୋଷଣା କରାଯିବାକୁ ଥିବାବେଳେ ମେ ଦ୍ବିତୀୟ ସପ୍ତାହରୁ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଡାଉନ ଲୋଡ କରିପାରିବେ। ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ପଦ୍ଧତିରେ କରାଯିବ। ଚଳିତ ବର୍ଷ ହିନ୍ଦୀ ଓ ଇଂରାଜୀ ସହ ଆସାମୀ, ବେଙ୍ଗଲୀ, ଗୁଜରାଟି, କନ୍ନଡ, ମାଲାୟାଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦୁ ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର ଆସିବ।

Comments are closed.