www.samajalive.in
Saturday, December 6, 2025
15.1 C
Bhubaneswar

ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟେଷ୍ଟ

ରୁସୌ (ଡମିନିକା): ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତହେବା ପରେ ଭାରତୀୟ ଟେଷ୍ଟ ଦଳ ବୁଧବାରଠାରୁ ପୁଣି ଟେଷ୍ଟମ୍ୟାଚ୍‌ ଖେଳିବାକୁ ଯାଉଛି। ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ୱିଣ୍ଡ୍‌ସୋର ପାର୍କରେ ଖେଳାଯିବ। ୨୦୦୨ରୁ ୨୦୧୯ ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ କ୍ରମାଗତ ୮ଟି ଟେଷ୍ଟ ଶୃଙ୍ଖଳା ଜିତିପାରିଛି। କ୍ରମାଗତ ୯ମ ଶୃଙ୍ଖଳା ଜିତିବା ପାଇଁ ଭାରତ ବଡ଼ ଦାବିଦାର।​‌ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଏବେ ଖରାପ ସମୟ ଦେଇ ଗତିକରୁଛି। ୨ ଥର ବିଶ୍ବ ଚମ୍ପିଆନ୍ ୱେଷ୍ଟଇଣ୍ଡିଜ୍‌ ଚଳିତବର୍ଷର ବିଶ୍ବକପ୍‌ ପାଇଁ ​ଯୋଗ୍ୟତା ଅର୍ଜନ କରି ପାରିନାହିଁ। ଏହି ଟେଷ୍ଟ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରି କିଛି ସମ୍ମାନ ଫେରି ପାଇବାର ପ୍ରୟାସ ୱେଷ୍ଟଇଣ୍ଡିଜ୍‌ ଦଳ କରିବ। ତେବେ ଶକ୍ତିଶାଳୀ ଭାରତୀୟ ଦଳକୁ ପରାସ୍ତ କରିବାକୁ ହେଲେ ଗତବର୍ଷ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟମ୍ୟାଚ୍ ପରି ପ୍ରଦର୍ଶନ କରିବାକୁ ପଡ଼ିବ। ଉକ୍ତ ଟେଷ୍ଟରେ ଇଂଲଣ୍ଡକୁ ୧୦ ୱିକେଟରେ ୱେଷ୍ଟଇଣ୍ଡିଜ୍‌ ପରାସ୍ତ କରିଥିଲା।

୨୧ ବର୍ଷ ହେଲା ଭାରତ ବିପକ୍ଷରେ ଶୃଙ୍ଖଳା ଛାଡ଼ନ୍ତୁ; ଏକ ଟେଷ୍ଟମ୍ୟାଚ୍‌ ମଧ୍ୟ ୱେଷ୍ଟଇଣ୍ଡିଜ୍‌ ଜିତି ପାରିନାହିଁ। ୨୦୦୨ରେ ଘରୋଇ ଶୃଙ୍ଖଳାରେ ଭାରତକୁ ୨-୧ରେ ୱେଷ୍ଟଇଣ୍ଡିଜ୍‌ ପରାସ୍ତ କରିଥିଲା। ପ୍ରଥମ ଟେଷ୍ଟରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଓ ୱେଷ୍ଟଇଣ୍ଡିଜ୍‌ ପେସ୍ ବୋଲରଙ୍କ ମଧ୍ୟରେ ମୁକାବିଲା ହେବ। ଜୀବନର ଶ୍ରେଷ୍ଠ ଫର୍ମରେ ଥିବା ଶୁବ୍‌ମାନ ଗିଲ୍‌ଙ୍କ ସହ ଅଧିନାୟକ ରୋହିତ ଶର୍ମା ଇନିଂସ ଓପନ୍ କରିବେ। ଚେତେଶ୍ବର ପୂଜାରାଙ୍କ ୩ନଂ ସ୍ଥାନ ଯୁବ ବ୍ୟାଟ୍‌ସମ୍ୟାନ୍ ଯଶସ୍ବୀ ଜୟସୱାଲ କିମ୍ବା ଋତୁରାଜ ଗାଏକ୍‌ୱାଡ୍‌ ନେବେ। ବ୍ୟାଟିଂ ମହାରଥୀ ବିରାଟ କୋହଲି ଘରୋଇ ବୋଲରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟି ପାରନ୍ତି। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲରେ ଭାରତର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ ଅଜିଙ୍କ୍ୟ ରାହାଣେଙ୍କ ତାଙ୍କ ଫର୍ମ ବଜାୟ ରଖିବାକୁ ଚାହିଁବେ। ୱିକେଟ ରକ୍ଷକ ଶ୍ରୀକର ଭରତଙ୍କ ସହ ଦୁଇ ସ୍ପିନର ରବୀନ୍ଦ୍ର ଜାଡ଼େଜା ଓ ଆର୍. ଅଶ୍ବିନ ବେଶ୍ ଉପଯୋଗୀ ବ୍ୟାଟ୍‌ସମ୍ୟାନ୍। ପେସ୍ ବୋଲର ଭାବେ ମହମ୍ମଦ ସିରାଜ୍ ଓ ସାର୍ଦୁଳ ଠାକୁର ଖେଳିବା ନିଶ୍ଚିତ। ନବଦୀପ ସୈନି ଓ ଜୟଦେବ ଉନାଦ୍‌କତଙ୍କ ମଧ୍ୟରୁ ଜଣେ ଖେଳିବେ। ମୁକେଶ କୁମାରଙ୍କ ଖେଳିବା ସମ୍ଭାବନା କମ୍। ତେଣୁ ଭାରତୀୟ ଏକାଦଶର ୧୦ ସ୍ଥିର ହୋଇଥିବା ବେଳେ ୧୧ଶ ଖେଳାଳି ବା ୩ୟ ପେସର୍‌ଙ୍କୁ ନେଇ ଅନିଶ୍ଚିତତା ରହିଛି। ଅଧିନାୟକ କ୍ରେଗ୍‌ ବ୍ରାଥ୍‌ୱେଟ୍‌ ୱେଷ୍ଟଇଣ୍ଡିଜ୍‌ର ମୁଖ୍ୟ ବ୍ୟାଟ୍‌ସମ୍ୟାନ। ଏହି ଓପ୍‌ନର ୮୫ଟି ଟେଷ୍ଟ ଖେଳି ୩୫ ଆଭ୍‌ରେଜରେ ସ୍କୋର୍ କରିଛନ୍ତି। ଉପଅଧିନାୟକ ଜର୍ମେନ୍ ବ୍ଲାକ୍‌ଉଡ୍‌ ମଧ୍ୟ ଭଲ ବ୍ୟାଟ୍‌ସମ୍ୟାନ୍। ତେବେ ଶିବନାରାୟଣ ଚନ୍ଦ୍ରପଲଙ୍କ ସୁପୁତ୍ର ତ୍ୟାଗନାରାୟଣ ଚନ୍ଦ୍ରପଲ କିପରି ପ୍ରଦର୍ଶନ କରୁଛନ୍ତି; ତାହା ଉପରେ ସମସ୍ତଙ୍କ ନଜର ରହିବ। ତେବେ ଆହତ ବ୍ୟାଟିଂ ଅଲ୍‌ରାଉଣ୍ଡର ଓ ପ୍ରମୁଖ ସ୍ପିନର ଗୁଡାକେଶ ମୋତିଙ୍କ ଅନୁପସ୍ଥିତି ଇଣ୍ଡିଜ୍‌ ଅନୁଭବ କରିବ। ଆହତ କାଏଲ୍‌ ମେୟର୍ସଙ୍କ ସ୍ଥାନରେ ନବାଗତ ବ୍ୟାଟ୍‌ସମ୍ୟାନ୍‌ ଆଲିକ୍ ଆଥାନାଜେ ଖେଳିପାରନ୍ତି। ବ୍ୟାଟ୍‌ସମ୍ୟାନ୍‌ କର୍କ ମ୍ୟାକେଞ୍ଜିଙ୍କୁ ମଧ୍ୟ ସୁଯୋଗ ମିଳିପାରେ। ବିଶେଷଜ୍ଞ ସ୍ପିନର ଭାବେ ରାହ୍‌କିମ୍ କର୍ନୱାଲ ଓ ଜୋମେଲ ୱାରିକାନ୍ ଖେଳିପାରନ୍ତି। ଅଲ୍‌ରାଉଣ୍ଡର ଦାୟିତ୍ବ ତୁଲାଇବେ ଜେସନ୍ ହୋଲ୍‌ଡର। କିମାର ରୋଚ୍, ସାନନ୍ ଗାବ୍ରିଏଲ୍‌ ଓ ଆଲ୍‌ଜାରି ଜୋସେଫ୍ ପେସ୍ ବୋଲିଂ ଦାୟିତ୍ବ ସମ୍ଭାଳିବେ। ୱିଣ୍ଡ୍‌ସୋର ପାର୍କର ପିଚ୍‌ ପ୍ରଥମ ୨ ଦିନ ପେସ୍ ବୋଲରଙ୍କ ପାଇଁ ସହାୟକ ହେବ। ପରେ ପିଚ୍‌ରେ ବଲ୍‌ ସ୍ପିନ୍ କରିପାରେ। ତେଣୁ ଦୁଇ ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡ଼େଜା ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ୱେ​‌ଷ୍ଟଇଣ୍ଡିଜ୍‌ ବ୍ୟାଟ୍‌ସମ୍ୟାନ୍ କିପରି ମୁକାବିଲା କରୁଛନ୍ତି; ତାହା ଶୃଙ୍ଖଳା​‌େ​‌ର ନିର୍ଣ୍ଣାୟକ ହୋଇପାରେ। କିଛି ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଭାରତୀୟ ଖେଳାଳିଙ୍କ ପାଇଁ ଏହି ଶୃଙ୍ଖଳା ବଡ଼ ସୁଯୋଗ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories