www.samajalive.in
Friday, December 5, 2025
20.1 C
Bhubaneswar

ଆମେରିକା ବିଶେଷଜ୍ଞଙ୍କ ଚେତାବନୀ, ଆସିପାରେ ‘କୋଭିଡ-୨୬, ୩୨’ ଭଳି ମହାମାରୀ

ୱାଶିଂଟନ: ବିଶ୍ବରେ ହାହାକାର ସୃଷ୍ଟି କରିଥିବା କୋଭିଡ-୧୯ ଭୂତାଣୁର ଉତ୍ପତ୍ତି କିପରି ହୋଇଛି ଓ ଏହା କିପରି ମଣିଷକୁ ବ୍ୟାପିଲା ତାର ସନ୍ଧାନ ଏବେ ଅପରିହାର୍ଯ୍ୟ ହୋଇପଡିଛି। ଯଦି ଏହି ଭୂତାଣୁ ଉତ୍ପତ୍ତିର ଉପଯୁକ୍ତ ସନ୍ଧାନ କରା ନଯାଏ ତେବେ ବିଶ୍ବରେ ଏପରି ଅନେକ ମହାମାରୀ ଦେଖାଯିବ ବୋଲି ଆମେରିକାର ଦୁଇଜଣ ବରିଷ୍ଠ ରୋଗ ବିଶେଷଜ୍ଞ ଚେତାଇ ଦେଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ କୋଭିଡ-୧୯ ଉତ୍ପତ୍ତିର ସନ୍ଧାନ ପୂର୍ବକ ଏହାର ସମାଧାନ କରା ନଗଲେ ଭବିଷ୍ୟତରେ ବିଶ୍ବରେ କୋଭିଡ-୨୬ ଓ କୋଭିଡ-୩୨ ଭଳି ମହାମାରୀ ଦେଖାଯିବ। କୋଭିଡ-୧୯ ଭୂତାଣୁ ଉତ୍ପତ୍ତିର ସନ୍ଧାନ ନିମନ୍ତେ ଏହି ଦୁଇ ବିଶେଷଜ୍ଞ ଚୀନର ସହଯୋଗ ଲୋଡିଛନ୍ତି। ସେମାନେ କହିଛନ୍ତି ଯେ କୋଭିଡ-୧୯ ଉତ୍ପତ୍ତିର ସନ୍ଧାନ ନିମନ୍ତେ ସାରା ବିଶ୍ବ ଏବେ ଚୀନର ସହଯୋଗ ଲୋଡୁଛି। ତେଣୁ ଚୀନ ଏଥିରେ ସମୂର୍ଣ୍ଣ ସହଯୋଗ କରିବା ଦରକାର। ଭବିଷ୍ୟତରେ ବୈଶ୍ବିକ ମହାମାରୀ ସମ୍ପର୍କରେ ପୂର୍ବାନୁମାନ କରିଥିବା ଆମେରିକାର ଦୁଇ ବିଶେଷଜ୍ଞ ହେଉଛନ୍ତି ସ୍କଟ ଗୋଟଲିବ୍ ଓ ପିଟର ହଟେଜ୍। ଗୋଟଲିବ୍‌ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ସମୟରେ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରେସନ୍‌ (ଏଫଡିଏ)ର କମିସନର ଥିଲେ। ଏବେ ସେ ଫାଇଜର୍‌ କମ୍ପାନୀର ବୋର୍ଡ ସଦସ୍ୟ ଅଛନ୍ତି। ସେହିପରି ପିଟର ହଟେଜ୍ ଏବେ ‘ଟେକ୍ସାସ୍ ଚିଲ୍‌ଡ୍ରେନ୍‌ସ୍‌ ହସ୍ପିଟାଲ୍‌ ସେଣ୍ଟର୍‌ ଫର୍‌ ଭ୍ୟାକ୍ସିନ୍‌ ଡେଭଲପମେଣ୍ଟ’ର ସହ-ନିର୍ଦେଶକ ଅଛନ୍ତି।

ସିବିଏସ୍‌ ନ୍ୟୁଜ୍‌କୁ ଗୋଟଲିବ୍‌ କହିଛନ୍ତି ଯେ ସାର୍ସ-ସିଓଭି-୨ ଭୂତାଣୁ ଚୀନର ଉହାନ ପରୀକ୍ଷାଗାରରୁ ଉତ୍ପତ୍ତି ହୋଇଥିବା ନେଇ ଅନେକ ପ୍ରମାଣ ମିଳିଛି। ତେବେ ଏହାକୁ ଚୀନ ଅଗ୍ରାହ୍ୟ କରିଥିବାବେଳେ ଏ ସମ୍ପର୍କରେ ପ୍ରମାଣ ଦେଇ ନାହିଁ। ସେହିପରି ଏହି ଭୂତାଣୁ ପଶୁଙ୍କ ଠାରୁ ମଣିଷକୁ ବ୍ୟାପିଥିବା ଅଭିଯୋଗର ତଥ୍ୟ ପ୍ରମାଣ ମିଳିପାରି ନାହିଁ। ଅନ୍ୟଏକ ସାକ୍ଷାତକାରରେ ହଟେଜ୍ କହିଛନ୍ତି ଯେ କରୋନା ଭୂତାଣୁର ଉତ୍ପତ୍ତିର ସତ୍ୟତା ଯଦି ଉନ୍ମୋଚନ କରା ନଯାଏ ତେବେ ବିଶ୍ବ ଭବିଷ୍ୟତରେ ଏପରି ମହାମାରୀର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଭବିଷ୍ୟତରେ ବିଶ୍ବକୁ କୋଭିଡ-୨୬ ଓ କୋଭିଡ-୩୨ ଭଳି ମହାମାରୀ ଦେଖାଯିବ। କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ଦେଢବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏହାର ଉତ୍ପତ୍ତିର ଉତ୍ସ ପ୍ରମାଣିତ ହୋଇପାରି ନାହିଁ। ଏହି ଭୂତାଣୁ ପ୍ରଥମେ ଉହାନର ମାଛ ବଜାରରୁ ଏହା ମଣିଷକୁ ବ୍ୟାପିଥିବା କୁହାଯାଉଛି। ଆଉ ମଧ୍ୟ ଏହା ଉହାନର ପରୀକ୍ଷାଗାରରୁ ବ୍ୟାପିଥିବା କୁହାଯାଉଛି। ତେଣୁ ଏହି ଭୂତାଣୁ ଉତ୍ପତ୍ତିର ବାସ୍ତବତା ପ୍ରମାଣିତ ହୋଇପାରି ନାହିଁ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ ନିମନ୍ତେ ଗୁଇନ୍ଦା ବିଭାଗକୁ ନିର୍ଦେଶ ଦେଇଛନ୍ତି। ଏପରିକି ୯୦ ଦିନ ମଧ୍ୟରେ ଏହି ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ କହିଛନ୍ତି। ତେବେ ଭୂତାଣୁ ଉତ୍ପତ୍ତିର ସତ୍ୟାସତ୍ୟ ଜଣାପଡିବା ଜରୁରୀ। ନଚେତ ବିଶ୍ବ ଆହୁରି ଅନେକ ମହାମାରୀର ସମ୍ମୁଖୀନ ହେବ ବୋଲି ହଟେଜ୍ କହିଚନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories