www.samajalive.in
Saturday, December 6, 2025
17.1 C
Bhubaneswar

ବହୁଚର୍ଚ୍ଚିତ ପ୍ରମୋଦ ହତ୍ୟା ମାମଲା: ଅଭିଯୁକ୍ତ ମିଲନକୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧ ସହରର ବାଘଗୁଡା ଛକରେ ଥିବା ଏକ ମୋବାଇଲ ଦୋକାନ ମାଲିକ ପ୍ରମୋଦ ପ୍ରସାଦ(ରାଜା) ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ଜିଲାଜଜ୍ ଅଦାଲତ ମାମଲାର ମୁଖ୍ୟ ଅଭିଯୁକ୍ତ ମିଲନ ପାତ୍ରକୁ ଆଜୀବନ କାରାଦଣ୍ଡାଦେଶ ଦେବାସହ ୨୦ ହଜାର ଟଙ୍କା ଜୋରିମୋନା ଆଦେଶ ଦେଇଛନ୍ତି। ପ୍ରମାଣ ଅଭାବରୁ ଅନ୍ୟତମ ଅଭିଯୁକ୍ତ ଅଭିଷେକ ସାହାଣୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ୨୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଦାଲତ ଏହି ରାୟ ଶୁଣାଇଛନ୍ତି।

ସୁଚନା ମୁତବାକ, ୨୦୨୦ ଅକ୍ଟୋବର ୧୩ରେ ବୌଦ୍ଧ ସହରର ହନୁମାନ ଘାଟରେ ଏକ ଦରପୋଡା ମଣିଷ କଙ୍କାଳ ପଡ଼ିଥିବାବେଳେ ତାହାକୁ କିଛି କାଉ ଓ କୁକୁର ଟାଣୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏ ସଂପର୍କରେ ସୂଚନା ପାଇ ବୌଦ୍ଧ ପୋଲିସ ସେଠାରେ ପହଞ୍ଚି କଙ୍କାଳକୁ ଜବତ କରିବା ସହ ଏଫଏମଟି ପରୀକ୍ଷା ପାଇଁ ବୁର୍ଲା ମେଡିକାଲ ପଠାଇଥିଲା ଏବଂ ଏକ ଅପମୃତ୍ୟୁ ମାମଲା( ୨୫/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

- Advertisement -

୧୨ ତାରିଖ ଦିନ ବୌଦ୍ଧ ପୋଡାପଡ଼ାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଗୋପାଲଜୀ ପ୍ରସାଦ ତାଙ୍କ ପୁଅ ପ୍ରମୋଦ ପ୍ରସାଦ (ରାଜା) ୧୧ ତାରିଖ ସନ୍ଧ୍ୟାରୁ ଘରୁ ଯାଇ ଆଉ ଫେରି ନ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଫଳରେ ପୁଲିସକୁ ତଦନ୍ତରେ ଖିଅ ମିଳିଥିଲା। ରାଜା ନିଖୋଜ ହେବା ଘଟଣାର ତଦନ୍ତ କରୁଥିବାବେଳେ ବୁର୍ଲା ପଠାଯାଇଥିବା ନରକଙ୍କାଳର ଏଫଏମଟି ରିପୋର୍ଟ ପହଞ୍ଚିଥିଲା। ସନ୍ଦେହଜନକ ଅବସ୍ଥାରେ ମିଳିଥିବା କଙ୍କାଳଟି ଯୁବ ବ୍ୟବସାୟୀ ପ୍ରମୋଦଙ୍କର ଜଣାପଡ଼ିବା ପରେ ପୁଲିସ ତଦନ୍ତର ଦିଗ ବଦଳି ଯାଇଥିଲା। ସିସିଟିଭି ରିପୋର୍ଟ ଓ ବିଭିନ୍ନ ତଥ୍ୟକୁ ଆଧାର କରି ପୁଲିସ ପ୍ରମୋଦଙ୍କ ହତ୍ୟା ମାମଲାରେ ପୋଡାପଡ଼ାର ମିଲନ ପାତ୍ର ଓ ଅଭିଷେକ ସହାଣୀଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲା। ସେମାନେ ପୁଲିସ ଆଗରେ ହତ୍ୟାକାଣ୍ଡରେ ନିଜର ସଂପୃକ୍ତି ନେଇ ସ୍ୱୀକାର କରିବା ପରେ ଏକ ହତ୍ୟା ମାମଲା(୨୭୫/୨୦) ରୁଜୁ କରି ପୁଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା।

ପୁଲିସର ତଦନ୍ତ ଓ ଘଟଣାର ପୃଷ୍ଠଭୂମି:
ଅଭିଯୁକ୍ତ ମିଲନ ପାତ୍ର ଓ ହତ୍ୟାର ଶିକାର ହୋଇଥିବା ପ୍ରମୋଦଙ୍କ ମଧ୍ୟରେ ବନ୍ଧୁତା ରହିଥିଲା। ଉଭୟ ଗୋଟିଏ ସାହିର ବାସିନ୍ଦା ହୋଇଥିବାବେଳେ ପ୍ରମୋଦ ବୌଦ୍ଧ ବାଘଗୁଡା ଛକରେ ଏକ ମୋବାଇଲ ଦୋକାନ ଖୋଲିଥିଲେ। ମିଲନ ପୋଡାପଡ଼ାର ସନ୍ତୋଷୀ ମା’ ମନ୍ଦିର ନିକଟରେ ଏକ ଜିମ ଖୋଲି ତାହାର ପରିଚାଳନା କରୁଥିଲେ। ଅନ୍ୟତମ ଅଭିଯୁକ୍ତ ଅଭିଷେକ ଜିମ୍କୁ ଆସି ମିଲନ ସହିତ ବନ୍ଧୁତା ହୋଇଥିଲା। ଘଟଣା ଦିନ ତା.୧୧.୧୦.୨୦୨୦ ରିଖ ସନ୍ଧ୍ୟାରେ ମିଲନ ଅଭିଷେକର ମୋବାଇଲରୁ ଫୋନ କରି ଏକ ଜରୁରୀ ଆଲୋଚନା ପାଇଁ ପ୍ରମୋଦକୁ ଜିମ୍ ଆସିବାକୁ କହିଥିଲା। ପ୍ରମୋଦ ସୂଚନା ପାଇ ଘରୁ ଚାଲି ଚାଲି ସାହି ଭିତରେ ଥିବା ଜିମ୍କୁ ଯାଉଥିବାବେଳେ ମିଲନ ରାସ୍ତାରୁ ତାକୁ ଏକ ପଲସର ବାଇକ୍ରେ ବସାଇ ଜିମକୁ ନେଇଥିଲା। ସେଠାରେ ପ୍ରମୋଦକୁ ହତ୍ୟା କରିବା ପାଇଁ ମିଲନ ସମସ୍ତ ଯୋଜନା ପ୍ରସ୍ତୁତ କରି ରଖିଥିଲା। ଘରର ତଳ ମହଲାରେ ଜିମ ଚାଲୁଥିବାବେଳେ ଉପର ମହଲା ନିର୍ମାଣାଧୀନ ଥିଲା। ମିଲନ କଥା ହେବା ବାହାନାରେ ପ୍ରମୋଦକୁ ଘରର ନିର୍ମାଣାଧୀନ ଛାତ ଉପରକୁ ନେଇଗଲା। ପୂର୍ବରୁ ମିଲନ ଏକ ମାଉଜର ପାଇଁ ୩୫ ହଜାର ଟଙ୍କା ପ୍ରମୋଦକୁ କିସ୍ତି ଆକାରରେ ପ୍ରଦାନ କରିଥିଲା। ମାଉଜରର ଫୋଟ ଦେଖାଇ ପ୍ରମୋଦ ମିଲନଠାରୁ ୩୫ ହଜାର ଟଙ୍କା ନେଇଥିଲା ଏବଂ ମାଉଜର ଦେଇ ନ ଥିଲା। ଏହାକୁ କେନ୍ଦ୍ରକରି ମିଲନ ଓ ପ୍ରମୋଦ ମଧ୍ୟରେ ଜିମ୍ ଛାତ ଉପରେ କିଛି ଆଲୋଚନା ହେବା ପରେ ହଠାତ୍ ମିଲନ ଏକ ଛୁରିରେ ପ୍ରମୋଦଙ୍କ ପେଟକୁ ଆକ୍ରମଣ କରିଥିଲା। ପ୍ରମୋଦ ତଳେ ପଡ଼ିଯିବା ପରେ ମିଲନ ତାଙ୍କ ଗଳା ଓ ପାଟିକୁ ଚାପି ହତ୍ୟା କରିଥିଲା। ପ୍ରମୋଦକୁ ହତ୍ୟା କରିବାପରେ ତାର ପକେଟରୁ ମୋବାଇଲ ବାହାର କରି ମିଲନ ତଳେ ଅପେକ୍ଷା କରିଥିବା ଅଭିଷେକକୁ ଦେଇ ଦୂରରେ ଫିଙ୍ଗି ଦେବାକୁ କହିଥିଲା। ମୋବାଇଲକୁ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ସରସରା ଓ ବାମଣ୍ଡା ମଝିରେ ଏକ ବିଲକୁ ଫିଙ୍ଗି ଅଭିଷେକ କିଛି ସମୟ ମଧ୍ୟରେ ଫେରିଆସିଥିଲା। ପରେ ମିଲନ ଓ ଅଭିଷେକ ପ୍ରମୋଦର ଶବକୁ ଘରର ଛାତ ଉପରୁ ନଦୀ ଭିତରକୁ ପକାଇ ଦେଇଥିଲେ। ସେହିଦିନ ରାତ୍ରିରେ ମହାନଦୀ ଘାଟ ଶୁନଶାନ ହୋଇଯିବା ପରେ ମିଲନ ଓ ଅଭିଷେକ ପକାଇଥିବା ସ୍ଥାନରୁ ପ୍ରମୋଦର ଶବକୁ ଏକ ଜରିରେ ବାନ୍ଧି ପ୍ରାୟ ୫୦ ମିଟର ବୋହି ନେଇଥିଲେ ଏବଂ ପୂର୍ବରୁ ଖୋଳାଯାଇଥିବା ଏକ ଗାତରେ ପକାଇ ନିଆଁ ଲଗାଇଦେଇଥିଲେ। ପରେ ଦରପୋଡା କଙ୍କାଳକୁ ମହାନଦୀରେ ଭସାଇ ଦେଇଥିଲେ। ଏହି ହତ୍ୟାକାଣ୍ଡ ପରେ ମିଲନ ଓ ଅଭିଷେକ ଭୁବନେଶ୍ୱର ଚାଲି ଯାଇଥିଲେ। ଗତ ତା. ୧୩.୧୦.୨୦୨୦ ରିଖରେ ବୌଦ୍ଧର ହନୁମାନ ମନ୍ଦିର ଘାଟ ନିକଟରୁ ପ୍ରମୋଦଙ୍କ ଶବକୁ ପୁଲିସ ଜବତ କରିବା ସହ ତଦନ୍ତ ଆଧାରରେ ଘଟଣାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories