ପଞ୍ଜାବ ବଢ଼ାଇଲା ତାଲାବନ୍ଦ ଅବଧି

ଚଣ୍ଡିଗଡ଼ : ଓଡ଼ିଶା ପରେ ଦେଶର ଦ୍ବିତୀୟ ପ୍ରଦେଶ ଭାବେ ପଞ୍ଜାବରେ ତାଲାବନ୍ଦ ଅବଧି ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଶୁକ୍ରବାର ସନ୍ଧ୍ୟାରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ପଞ୍ଜାବରେ ଅଦ୍ୟାବଧି ୧୩୨ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ରିପୋର୍ଟ ଭିତ୍ତିରେ ସରକାର ତାଲାବନ୍ଦ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଅମରିନ୍ଦର କହିଛନ୍ତି। ପରିସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟରେ ଜିଲାୱାରୀ ତାଲାବନ୍ଦ କୋହଳ କରାଯିବ ବୋଲି ସେ କହିଛନ୍ତି। ଏହାଦ୍ବାରା କୃଷକମାନେ ରବି ଫସଳ ଅମଳର ସୁଯୋଗ ପାଇବେ। ସରକାର ୧୮୫ଲକ୍ଷ ଟନ୍‌ ଗହମ ଉତ୍ପାଦନ ଲକ୍ଷ୍ୟ ରଖିଥିବାରୁ କୃଷକଙ୍କୁ ସହାୟତା ପ୍ରଦାନ ଜରୁରୀ ବୋଲି ସେ କହିଛନ୍ତି। ଚଣ୍ଡିଗଡ଼ସ୍ଥିତ ‘ପିଜିଆଇଏମ୍‌ଇଆର’ ରିପୋର୍ଟକୁ ଉଦ୍ଧାର କରି ଅମରିନ୍ଦର କହିଛନ୍ତି ଯେ କରୋନାର ପ୍ରଭାବ ସେପ୍ଟେମ୍ବର ଅଧା ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଏହା ପଞ୍ଜାବର ୮୭ ପ୍ରତିଶତ ଜନତା ଓ ଭାରତର ମୋଟ ଜନସଂଖ୍ୟାର ୫୮ପ୍ରତିଶତଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଭୂତାଣୁ ପରୀକ୍ଷା କେନ୍ଦ୍ର ପ୍ରତି​‌ଷ୍ଠା ପାଇଁ ଅମରିନ୍ଦର କେନ୍ଦ୍ର ସରକାରଙ୍କଠାରୁ ୫୫୦କୋଟି ଟଙ୍କାର ସହାୟତା ଲୋଡ଼ିଛନ୍ତି। ଲୁଧିଆନାଠାରେ ୧୭ଜଣ ପୁଲିସ କର୍ମଚାରୀ ଓ ଜଣେ ବିଚାରପତି ସଂକ୍ରମିତ ହୋଇଛନ୍ତି। ଜଣେ ସନ୍ଦିଗ୍ଧ ସଂକ୍ରମିତ ମୋଟର ସାଇକଲ ଚୋରକୁ ଗିରଫ କରିବାକୁ ଯାଇ ତା’ ସଂସ୍ପର୍ଶରେ ଆସିଥିବା ପୁଲିସ କର୍ମଚାରୀ ଓ ବିଚାରପତି ସଂକ୍ରମିତ ହୋଇଥିବା ପ୍ରକାଶ।

Comments are closed.