କେନ୍ଦ୍ରୀୟ ଚୁକ୍ତିଭୁକ୍ତ ଖେଳାଳିଙ୍କୁ ପାଉଣା ପ୍ରଦାନ କଲା ବିସିସିଆଇ
ଅକ୍ଟୋବର-ନଭେମ୍ବରରେ ଆଇପିଏଲ ଆୟୋଜନ ଲକ୍ଷ୍ୟ
ନୂଆଦିଲ୍ଲୀ : କରୋନା ମହାମାରୀ ଦେଶର ଆର୍ଥିକ ଓ ସାମାଜିକ ସ୍ଥିତି ଉପରେ ପ୍ରଭାବ ପକାଇଥିଲେ ମଧ୍ୟ ବିସିସିଆଇ ନିଜର ଦାୟିତ୍ବରେ କୌଣସି ଅବହେଳା କରିନାହିଁ। କେନ୍ଦ୍ରୀୟ ଚୁକ୍ତିଭୁକ୍ତ ସମସ୍ତ ଖେଳାଳିଙ୍କୁ ବିସିସିଆଇ ତ୍ରୟୋମାସିକ ପାଉଣା ପ୍ରଦାନ କରିଛି। ଦେଶର ଏଭଳି କଷ୍ଟକର ସମୟରେ କୌଣସି ଖେଳାଳିଙ୍କୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। କରୋନା ଭୂତାଣୁ ଯୋଗୁ ସାରା ବିଶ୍ବରେ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଖେଳାଳିମାନଙ୍କ ପାଉଣା କାଟିବା ନେଇ ସୂଚନା ଦେଇଥିବାବେଳେ ବିସିସିଆଇ କିନ୍ତୁ ଖେଳାଳିମାନଙ୍କ ସମସ୍ତ ପାଉଣାକୁ ପ୍ରଦାନ କରିଛି। ମାର୍ଚ୍ଚ ୨୪ରୁ ସାରା ଦେଶରେ ଲକ୍ଡାଉନ୍ ଚାଲିଛି। ଏଭଳି ଏକ ସମୟରେ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ଅଛୁ। ଏହି ସମୟରେ ଯେଉଁ ଖେଳାଳିମାନେ ଭାରତ ଓ ଭାରତ-ଏ ପାଇଁ ଖେଳିଛନ୍ତି ସେମାନଙ୍କ ପାଉଣା ମଧ୍ୟ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପ୍ରଦାନ କରାଯାଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଅଷ୍ଟ୍ରେଲିଆରେ କେନ୍ଦ୍ରୀୟ ଚୁକ୍ତି ନେଇ ଘୋଷଣାକୁ ସ୍ଥଗିତ ରଖାଯାଇଛି। ଅନ୍ୟ ଦେଶର ବୋର୍ଡମାନେ ଏଭଳି ସମୟରେ ସଂଘର୍ଷ କରୁଥିବାବେଳେ ବିସିସିଆଇ ଆର୍ଥିକ ସ୍ଥିରତା ପାଇଁ ନିଜ ଖେଳାଳିଙ୍କ କଷ୍ଠକର ପରିସ୍ଥିତିରେ ସାହାଯ୍ୟ କରିବାର କ୍ଷମତା ରହିଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଖେଳାଳିମାନଙ୍କ ପାଉଣା କାଟିବା ନେଇ ସବୁଆଡେ ଆଲୋଚନା ଚାଲିଛି। ଏଭଳି ସ୍ଥଳେ ବିସିସିଆଇ ନିଜ ଖେଳାଳିମାନଙ୍କୁ ଉପଯୁକ୍ତ ପାଉଣା ଦେବା ନେଇ ସକ୍ଷମ ରହିଛି। ଅନ୍ତର୍ଜାତୀୟ ଖେଳାଳିଙ୍କ ସମେତ ଘରୋଇ ଖେଳାଳିମାନେ ଯେପରି ସମସ୍ୟାରେ ନପଡ଼ିବେ ସେ ନେଇ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ଯୋଗୁ ଆର୍ଥିକ କ୍ଷତି ହୋଇଛି। ଏଭଳି ସ୍ଥଳେ ଆଇପିଏଲ ଆୟୋଜନ ହେବା ଏକାନ୍ତ ଜରୁରୀ ହୋଇପଡ଼ିଛି। ଏସିଆ କପ୍ ଏବଂ ଇଂଲଣ୍ଡ ବିପକ୍ଷ ସିରିଜ୍ ଓ ଅକ୍ଟୋବରରେ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ ଖେଳାଯିବାର ଥିବାରୁ ଆଇପିଏଲ ଆୟୋଜନ ଅସମ୍ଭବ ହୋଇପଡ଼ିଛି। ପରିସ୍ଥିତି କେବେ ସ୍ବାଭାବିକ ହେବ ସେ ନେଇ କିଛି କହିହେବ ନାହିଁ। ଏଭଳି ସ୍ଥିତିରେ ଆଇପିଏଲ କାର୍ୟ୍ୟସୂଚୀ ନେଇ କିଛି କହିବା ଅସମ୍ଭବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଘରୋଇ କାର୍ୟ୍ୟସୂଚୀକୁ ନେଇ ଏବେ ବଡ ଚିନ୍ତା ଘାରିଛି। ଘରୋଇ କ୍ରିକେଟ ଓ ଆଇପିଏଲ ଏକ ସଙ୍ଗରେ ଆୟୋଜିତ ନହେବା ନେଇ ନିୟମ ରହିଛି। ଅକ୍ଟୋବର କିମ୍ବା ନଭେମ୍ବରରେ ଆଇପିଏଲ ଆୟୋଜିତ ହେଲେ ଘରୋଇ କ୍ରିକେଟ କାର୍ୟ୍ୟସୂଚୀରେ ପରିବର୍ତ୍ତନ ହେବ। ଘରୋଇ କ୍ରିକେଟ ସବୁବେଳେ ଅଗଷ୍ଟରୁ ଆରମ୍ଭ ହୋଇଥାଏ। ତେବେ ଆଇପିଏଲ ଉପରେ ସବୁକିଛି ନିର୍ଭର କରୁଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।
Comments are closed.