‘କରୋନା ଭାଇରସ’ ଆତଙ୍କ; ଝାରସୁଗୁଡ଼ା ଓ ଭୁବନେଶ୍ବର ବିମାନ ବନ୍ଦରରେ ଯାଞ୍ଚ କଡାକଡି

ଭୁବନେଶ୍ବର: ଚୀନରୁ ସୃଷ୍ଟି ହୋଇ କ୍ରମଶଃ ଅନ୍ୟ ଦେଶକୁ ବ୍ୟାପୁଥିବା ‘କରୋନା ଭାଇରସ’ ସଂକ୍ରମଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି ହୋଇଛି। କରୋନାଭାଇରସ ଚିହ୍ନଟ ଓ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରମୁଖ ଡାକ୍ତରଖାନାକୁ ଚିଠି ପଠାଇଛି।

ନିର୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ଝାରସୁଗୁଡ଼ା ଓ ଭୁବନେଶ୍ବର ବିମାନ ବନ୍ଦରରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ବିମାନବନ୍ଦରରେ ସନ୍ଦିଗ୍ଧଙ୍କୁ ଆକ୍ରାନ୍ତ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ଝାରସୁଗୁଡା ବିମାନବନ୍ଦର ଦେଇ ସିଧାସଳଖ କଲକାତା ଓ ନୂଆଦିଲ୍ଲୀକୁ ବିମାନ ଚଳାଚଳ କରୁଥିବା ଯୋଗୁଁ ଚୀନ, ହଂକଂ ଓ ଥାଇଲାଣ୍ଡ ପ୍ରମୁଖ ଅଞ୍ଚଳରୁ ଆସୁଥିବା ଯାତ୍ରୀଙ୍କ ଠାରେ ସନ୍ଦିଗ୍ଧ ଭୂତାଣୁ ବିହ୍ନଟ ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦରରେ ହିଁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି। ଏହାସହ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ସ୍ୱତନ୍ତ୍ର ସେଲ ଖୋଲା ଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଝାରସୁଗୁଡା ବିମାନ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ସମସ୍ତ ପ୍ରକାର ସହଯୋଗ କରାଯାଉଥିବା ଭାରପ୍ରାପ୍ତ ବିମାନ ବନ୍ଦର ନିର୍ଦ୍ଦେଶକ ପି. କରୁଣାକରନ କହିଛନ୍ତି। ସେହିପରି ଭୁବନେଶ୍ବର ବିମାନ ବନ୍ଦରରେ ମଧ୍ୟ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି। ଥର୍ମାଲ ସ୍କାନରରେ ସମସ୍ତ ଯାତ୍ରୀଙ୍କ ଚେକିଂ କରାଯାଉଛି। ବିମାନବନ୍ଦର ପରିସରରେ ଏକ ସ୍ଵତନ୍ତ୍ର ୨୪ ଘଣ୍ଟିଆ ଏମଆଇ ମେଡ଼ିକାଲ ଇନସପେକ୍ସନ ରୁମ ଖୋଲାଯାଇଛି। ଯେଉଁ ଯାତ୍ରୀଙ୍କଠାରେ ଥଣ୍ଡା, କାସ, ଛିଙ୍କ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଚିକିତ୍ସା କରାଯାଉଛି।

Comments are closed.