BJD Bijuli 480×75 Mob

କରୋନା କାୟାରେ ଓଡ଼ିଶାର ୧୦ ଜିଲା : ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ

BJD Bijuli 480×75 Mob

ଦିନକରେ ୧୩ ଚିହ୍ନଟ, -ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୭୪, -କଲକାତା ଲିଙ୍କ୍‌ରୁ ୨୪ ଚିହ୍ନଟ

ଭୁବନେଶ୍ବର : ଲକ୍‌ଡାଉନ୍‌ କଟକଣାରୁ ଆଂଶିକ ମୁକୁଳି କରୋନା ଦୁଃଖକୁ ଭୁଲିବାକୁ ଚେଷ୍ଟା କରୁଥିବା ରାଜ୍ୟବାସୀ ସୋମବାର ଆଉ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଖବରରେ ହତବାକ୍‌ ହୋଇଯାଇଛନ୍ତି । ଭଦ୍ରକ, ଯାଜପୁର, ବାଲେଶ୍ବର ଏବଂ ସୁନ୍ଦରଗଡ଼ ଜିଲାରୁ ଆଜି ଚିହ୍ନଟ ହୋଇଥିବା ୧୩ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି। ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅବଶିଷ୍ଟ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ରାଜ୍ୟର ୧୦ଟି ଜିଲାରେ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଏକ ତୃତୀୟାଂଶ କେବଳ ପଶ୍ଚିମବଙ୍ଗ ଲିଙ୍କ୍‌ରୁ ଉତ୍ପତି। ଏହାକୁ ନେଇ ଓଡ଼ିଶାବାସୀଙ୍କ ଚିନ୍ତା ବଢ଼ିଯାଇଛି। ଆଜି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୨ ଜଣ ଥିବାବେଳେ ଭଦ୍ରକରୁ ୫ ଏବଂ ଯାଜପୁରରୁ ୫ ଜଣ ଲେଖାଏଁ ଓ ସୁନ୍ଦରଗଡ଼ ଜିଲା ବିଶ୍ରାର ଜଣେ ଆକ୍ରାନ୍ତ ଅଛନ୍ତି ।

 ଜିଲାୱାରୀ କରୋନା ସ୍ଥିତି
ଜିଲା       ସଂକ୍ରମିତ    ସୁସ୍ଥ      ମୃତ     ସକ୍ରିୟ
ଖୋର୍ଦ୍ଧା      ୪୬     ୧୭       ୧       ୨୮
ଭଦ୍ରକ         ୮        ୨       ୦        ୬
ଯାଜପୁର     ୭        ୧       ୦        ୬
କଟକ        ୧         ୧       ୦        ୦
ପୁରୀ         ୧         ୧       ୦        ୦
କେନ୍ଦ୍ରାପଡ଼ା   ୨        ୦       ୦        ୨
କଳାହାଣ୍ଡି    ୨        ୧        ୦        ୧
ସୁନ୍ଦରଗଡ଼   ୩        ୧        ୦        ୨
ଢେଙ୍କାନାଳ  ୧       ୦        ୦         ୧
ବାଲେଶ୍ବର   ୩       ୦        ୦         ୩
ମୋଟ     ୭୪      ୨୪         ୧         ୪୯
(୨୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା ରିପୋର୍ଟ)   

ଯାଜପୁର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା ୫ ପୁରୁଷ ଆକ୍ରାନ୍ତଙ୍କ ମଧ୍ୟରୁ କୋରେଇରୁ ଜଣେ, ଯାଜପୁରରୁ ୩ ଓ ଦଶରଥପୁରରୁ ଜଣେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୨୮, ୩୨, ୫୦, ୫୮ ଏବଂ ୬୪ବର୍ଷ। ସମସ୍ତେ କଲକାତା ବଡ଼ବଜାର ଅଞ୍ଚଳରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ସେମାନେ ସମସ୍ତେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ତେବେ ସେମାନଙ୍କ ‘ଟ୍ରାଭେଲ୍‌ ହିଷ୍ଟ୍ରି’ ସରକାରଙ୍କ ପକ୍ଷରୁ ଦର୍ଶାଯାଇ ନାହିଁ। ଅନ୍ୟପକ୍ଷରେ ଚିହ୍ନଟ ହୋଇଥିବା ୫କରୋନା ଆକ୍ରାନ୍ତଙ୍କ ପଞ୍ଚାୟତଗୁଡ଼ିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି।
ସେହିପରି ବାଲେଶ୍ବରରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୩୨ବର୍ଷୀୟ ଯୁବକ ଜଣକ ବାଲେଶ୍ୱର ରେଳ ସୁରକ୍ଷା ବଳ(ଆରପିଏଫ)ରେ କାର୍ଯ୍ୟ କରୁଥିବା ଜଣେ କନଷ୍ଟେବଳ। ତାଙ୍କର ଘର ବିହାର ରାଜ୍ୟରେ। ସେ ମାର୍ଚ୍ଚ ୧୮ ତାରିଖରେ ଦିଲ୍ଲୀ ଯାଇ ଗତ ୧୫ ତାରିଖରେ ଅସ୍ତ୍ରଶସ୍ତ୍ର ଆଣିଥିବା ରେଳ କଣ୍ଟେନର୍‌ରେ ବାଲେଶ୍ବର ଷ୍ଟେସନକୁ ଫେରିଥିଲେ। ବାଲେଶ୍ୱର ପହଞ୍ଚିବା ପରେ ନିଜେ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ନାମ ପଞ୍ଜୀକରଣ କରିଥିଲେ। ସିଡିଏମ୍‌ଓଙ୍କ ପରାମର୍ଶ ପରେ ପ୍ଲାଟଫର୍ମ ନିକଟ ପଶ୍ଚିମପଟ ବାରାକ୍‌ରେ ଥିବା ଗୋଟିକିଆ କୋଠରିରେ ସଙ୍ଗରୋଧରେ ରହିଥିଲେ। ତେଣୁ ତାଙ୍କଦ୍ବାରା ସଂକ୍ରମଣ କମ୍‍ ହୋଇଥିବା ଆଶା କରାଯାଇ ସଂପୃକ୍ତ ବାରାକ୍‌କୁ ସିଲ୍‌ କରାଯାଇନାହିଁ। ସେହିଭଳି କରୋନା ଆକ୍ରାନ୍ତ ହୋଇଥିବା ୨ବର୍ଷର ଶିଶୁ କନ୍ୟାର ଘର ନୀଳଗିରି ବ୍ଲକ୍‌ ବରହମ୍‌ପୁର ଥାନା ଅଞ୍ଚଳରେ। ତାଙ୍କୁ ଜ୍ବର ହେବାରୁ ଗତ ୭ ତାରିଖରେ ବରହମ୍‌ପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ଅସୁସ୍ଥ ହେବାରୁ ୧୬ ତାରିଖରେ ତାଙ୍କ ସହ ଜ୍ବରରେ ପୀଡ଼ିତ ଥିବା ଅନ୍ୟ ୧୫ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଥିଲା। ଅନ୍ୟମାନଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ କେବଳ ଏହି ଶିଶୁଟିର ରିପୋର୍ଟ ପଜିଟିଭ୍‌ ଆସିଛି। ସେ କିମ୍ବା ତାଙ୍କ ପିତାମାତାଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ମିଳି ନାହିଁ। ତେଣୁ ସେ କେବେ ଓ ଅନ୍ୟ କାହା ଦ୍ବାରା ସଂକ୍ରମିତ ହେଲେ ତାକୁ ନେଇ ପ୍ରଶାସନ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଶିଶୁ କନ୍ୟା ଓ ତାଙ୍କ ମାଆଙ୍କୁ କଟକ ଅଶ୍ବିନୀ କୋଭିଡ୍‌ ହସ୍‌ପିଟାଲକୁ ପଠାଇ ଦିଆଯାଇଥିବାବେଳେ ତାଙ୍କ ପଡ଼ୋଶୀ ଏବଂ ଅନ୍ୟ ପରିବାରର ୨୧ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି।
ଅନ୍ୟପକ୍ଷରେ ଭଦ୍ରକ ଜିଲାରୁ ଆଜି ଚିହ୍ନଟ ହୋଇଥିବା ୫ଜଣ ଯାକ କରୋନା ଆକ୍ରାନ୍ତ ପୁରୁଷ ବର୍ଗର। ତିନି ଜଣ ବାସୁଦେବପୁର ବ୍ଲକର ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଭଣ୍ଡାରିପୋଖରୀ ବ୍ଲକ୍‌ର। ସେମାନଙ୍କ ବୟସ ଯଥାକ୍ରମେ ୪୮, ୫୫, ୫୭, ୫୮ ଏବଂ ୬୬ବର୍ଷ। ଏବେ ସମସ୍ତଙ୍କୁ କୋଭିଡ-୧୯ ସ୍ବତନ୍ତ୍ର ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି। ଏମାନେ ଯାଜପୁର ଜିଲାର ପୂର୍ବ ଆକ୍ରାନ୍ତଙ୍କ ସହ କଲକାତାରୁ ଏକ ଭ୍ୟାନ୍ ଯୋଗେ ଆସିଥିଲେ। ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଦେଢ଼ଶହରୁ ଊର୍ଦ୍ଧ୍ବ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କରୋନା ଚିହ୍ନଟ ପରେ ଏହି ଦୁଇ ବ୍ଲକ୍‌ର ପାଖାପାଖି ପଞ୍ଚାୟତକୁ ସିଲ୍‌ କରିଦିଆଯିବା ସହ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

Comments are closed.