www.samajalive.in
Sunday, December 14, 2025
23.1 C
Bhubaneswar

ଛାନିଆ ହୁଅନି, ଗୃହ ସଙ୍ଗରୋଧରେ ରୁହ

ଭୁବନେଶ୍ବର: କରୋନା ସଂକ୍ରମିତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ନ ଥିଲେ ଡାକ୍ତରଖାନା ନ ଆସି ସେମାନେ ଗୃହ ସଙ୍ଗରୋଧରେ ରୁହନ୍ତୁ। ଲୋକେ ଅଯଥାରେ ଛାନିଆ ହେବା ଯୋଗୁଁ ଗୃହ ସଙ୍ଗରୋଧ ଅପେକ୍ଷା ସରକାରୀ ଚିକିତ୍ସାକୁ ଗୁରୁତ୍ବ ଦେଉଛନ୍ତି। ମାତ୍ର ବାସ୍ତବରେ ଗୃହ ସଙ୍ଗରୋଧ ହିଁ ଓଡ଼ିଶା ପରିପ୍ରେକ୍ଷୀରେ ସର୍ବୋତ୍କୃଷ୍ଟ ମାଧ୍ୟମ। ଭାରତ ଅପେକ୍ଷା ଓଡ଼ିଶାରେ ସ୍ଥିତି ଭଲ ଅଛି। ଦେଶରେ ଦୈନିକ ସଂକ୍ରମଣ ଯେଉଁ ସାଢ଼େ ୩ ଲକ୍ଷ ରହୁଛି ସେଥିରୁ ରାଜ୍ୟର ଭାଗ ମାତ୍ର ୧.୮ ପ୍ରତିଶତ। ସେହିପରି ରାଜ୍ୟରେ ଏବେ ଯେତିକି ସକ୍ରିୟ ଆକ୍ରାନ୍ତ ରହିଛନ୍ତି ତା’ର ୮୯ ପ୍ରତିଶତ ଗୃହ ସଙ୍ଗରୋଧରେ ଅଛନ୍ତି। କିନ୍ତୁ ଏହି ହାର ୯୭ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରିବ ବୋଲି ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ, ରାଜ୍ୟରେ ଏବେ ୮୪୬୩ ସାଧାରଣ ଶଯ୍ୟା ରହିଥିବାବେଳେ ସେଥିରୁ ୪୪ ପ୍ରତିଶତ ରୋଗୀଙ୍କ ପାଇଁ ବ୍ୟବହୃତ ହେଉଛି। ସେହିପରି ୨୦୬୩ ସ୍ବତନ୍ତ୍ର ଯତ୍ନ କୋଠରି ମଧ୍ୟରୁ ୧୪୨୬ ଅର୍ଥାତ ୬୯ ପ୍ରତିଶତ ବ୍ୟବହୃତ ହେଉଥିବାବେଳେ

- Advertisement -

୭୦୧ ଜୀବନ ରକ୍ଷାକାରୀ ଯନ୍ତ୍ର(ଭେଣ୍ଟିଲେଟର) ମଧ୍ୟରୁ ୨୩୮ଜଣ ରୋଗୀଙ୍କ ପାଇଁ ବ୍ୟବହୃତ ହେଉଛି। ଏହାବାଦ୍ ରାଜ୍ୟରେ ଏବେ ୨୦ହଜାରରୁ ଊର୍ଦ୍ଧ୍ବ କରୋନା ଯତ୍ନ କେନ୍ଦ୍ର(ସିସିସି) ବିଭିନ୍ନ ଜିଲାସ୍ତରରେ ପ୍ରସ୍ତୁତ ହୋଇଛି। ଯେଉଁଥିରେ ଅମ୍ଳଜାନ ସଂଯୋଗ ରହିଛି। ଆଗାମୀ ଦିନରେ ଏହି ସଂଖ୍ୟାକୁ ୪୦ହଜାର ପର୍ଯ୍ୟନ୍ତ ବଢ଼ାଯିବା ପାଇଁ ସବୁପ୍ରକାର ବ୍ୟବସ୍ଥା ହୋଇଛି। ଶଯ୍ୟା ଅଭାବର କୌଣସି ପ୍ରଶ୍ନ ଉଠୁନାହିଁ। ତେବେ ସବୁ ଲୋକ କରୋନା ଚିହ୍ନଟ ହେବା କ୍ଷଣି ସରକାରୀ ଶଯ୍ୟା ପଛରେ ନ ଧାଇଁ ନିଜ ଘରେ ସଙ୍ଗରୋଧରେ ରୁହନ୍ତୁ। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଔଷଧପତ୍ର ବ୍ୟବହାର କରନ୍ତୁ, ଯେଉଁମାନେ ମଧୁମେହ ଭଳି ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବେ ସେମାନେ କେବଳ ଡାକ୍ତରଖାନା ଆସିବା ଦରକାର ବୋଲି ସେ କହିଛନ୍ତି।

ଶ୍ରୀ ମହାପାତ୍ର କହିଥିଲେ ଯେ ରାଜ୍ୟରେ ଏବେ ୧୨ଶହ ରେମଡେସିଭିର ଟିକା ରୋଗୀଙ୍କ ପାଇଁ ଦରକାର ହେଉଛି। ଔଷଧ ନିଗମ ପାଖରେ ଏବେ ୪୩ ହଜାର ରେମ୍ଡେସିଭିର ଗଚ୍ଛିତ ଅଛି। ଆସନ୍ତାକାଲି ଆଉ ୨୧ ହଜାର ରେମ୍ଡେସିଭିର ଟିକା ଓଡ଼ିଶାକୁ ଆସିବ। ଏହାବାଦ୍ ୩ ଲକ୍ଷ ଟିକାପାଇଁ ପ୍ରକ୍ରିୟା ଜାରି ରହିଛି। ତେଣୁ ରେମିଡିସଭିର ଟିକାକୁ ନେଇ ଗଣମାଧ୍ୟମରେ ଯେଉଁ ବିଭ୍ରାନ୍ତ କରାଯାଉଛି ତାକୁ ବିଶ୍ବାସ ନକରି ସରକାରଙ୍କ କଥା ମାନନ୍ତୁ। ସେହିପରି ଏବେ ସାଢ଼େ ୬ ଲକ୍ଷ ଫାବିପିରାଭିର ବଟିକା ରହିଛି। ତେଣୁ ଟିକା ଓ ଔଷଧ ପାଇଁ ବ୍ୟତିବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। ଏହାବାଦ୍ ରାଜ୍ୟରେ ସବୁ ଡାକ୍ତରଖାନାରେ ଖାଲି ଅମ୍ଲଜାନ ଟାଙ୍କି ନ ରଖିବାକୁ ସ୍ବାସ୍ଥ୍ୟ ଅଧିକାରୀ ଓ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ଯେତେବେଳେ ଟାଙ୍କି ଖାଲି ହେବ, ତୁରନ୍ତ ପୂରଣ କରିବାକୁ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ରାଜ୍ୟରେ ନମୁନା ପରୀକ୍ଷାକୁ ଏବେ ବଢ଼ାଯିବାକୁ ଲକ୍ଷ୍ୟ ରହିଛି। ଦୈନିକ ଏବେ ୧୮ ହଜାର ପର୍ଯ୍ୟନ୍ତ ଆରଟିପିସିଆର ନମୁନା ପରୀକ୍ଷା ହେଉଥିବା ବେଳେ ଆଗକୁ ଏହାକୁ ୨୫ହଜାର ପର୍ଯ୍ୟନ୍ତ ଏବଂ ଆଣ୍ଟିଜେନ୍ ମାତ୍ରା ୫୦ ହଜାର ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରହିଛି। ସରକାର ସବୁ ଆକ୍ରାନ୍ତଙ୍କ ୩୦ ଜଣ ସମ୍ପର୍କୀୟଙ୍କ ନମୁନା ପରୀକ୍ଷା କରାଉଛନ୍ତି। ତେଣୁ ଭୟଭୀତ ନ ହୋଇ ସରକାରଙ୍କ କରୋନା ମାର୍ଗଦର୍ଶିକା ପାଳନ କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି।

ସେ କହିଥିଲେ ଯେ ରାଜ୍ୟରେ ଟିକା ନଷ୍ଟର ପ୍ରଶ୍ନ ଉଠୁନାହିଁ ବରଂ ଟିକା ବଞ୍ଚାଯାଉଛି। ଜାତୀୟସ୍ତରରେ ବର୍ଜ୍ୟ ଟିକା ଅଧିକ ପରିମାଣରେ ବାହାରୁଥିବା ବେଳେ ଓଡ଼ିଶାରେ ବିଯୁକ୍ତ ୨.୭ପ୍ରତିଶତ ବର୍ଜ୍ୟ ବାହାରୁଛି। କାରଣ ପ୍ରତ୍ୟେକ ପ୍ୟାକେଟରେ ୧୦ଟି ପାନ ବଦଳରେ ଯେଉଁ ୧୧ଟି ରହୁଛି ତାକୁ ମଧ୍ୟ ରାଜ୍ୟରେ ବ୍ୟବହାର କରାଯାଉଛି, ଯେଉଁଥିପାଇଁ ଟିକା ବଞ୍ଚି ଯାଉଛି। ଅନ୍ୟପକ୍ଷରେ ରାଜ୍ୟରେ ଟିକାର ଅଭାବ ଯୋଗୁଁ ଟିକାକରଣ ଏବେ ଆଗେଇ ପାରୁନାହିଁ। ୬ଲକ୍ଷ ୩୦ହଜାର ହିତାଧିକାରୀ ଦ୍ବିତୀୟ ପାନ ଟିକା ନେବାପାଇଁ ଅପେକ୍ଷାରେ ରହିଛନ୍ତି। ଅନ୍ୟପକ୍ଷରେ ୧୮ରୁ ୪୪ବର୍ଷ ବୟସ୍କଙ୍କୁ କେବେ ଟିକା ଦିଆଯିବ ତାହା କହିହେବନାହିଁ। ଟିକା ଉତ୍ପାଦନକାରୀ ସଂସ୍ଥା ‘ସେରମ୍’ ଓ ‘ଭାରତ ବାୟୋଟେକ୍’ ସହିତ ବାର୍ତ୍ତାଳାପ ଚାଲିଛି। କର୍ତ୍ତୃପକ୍ଷ ରାଜି ହୋଇଛନ୍ତି ଟିକା ଦେବା ପାଇଁ, ହେଲେ ଯେପର୍ଯ୍ୟନ୍ତ ଟିକା ମିଳିନାହିଁ ସେପର୍ଯ୍ୟନ୍ତ କିଛି କହିହେବନାହିଁ। ଆସନ୍ତାକାଲି ଠାରୁ ସପ୍ତାହନ୍ତା ବନ୍ଦ ହେବ, ତେଣୁ ଶନିବାର ଓ ରବିବାର ରାଜ୍ୟରେ ଟିକାଦାନ ବନ୍ଦ ରହିବ। ଛତିଶଗଡ଼ ସୀମାର ୫ଟି ଜିଲା ସହିତ କଟକ ଓ ଭୁବନେଶ୍ବର ସ୍ଥିତି ଦୟନୀୟ ରହିଛି। ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ହେଲେ ଆମ ସମସ୍ତଙ୍କୁ ତୁଣ୍ଡି(ମାସ୍କ) ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ, ତାହାଲେ ଯାଇ ସ୍ଥିତିରେ ସୁଧାର ଆସିପାରିବ ଏବଂ ସରକାରଙ୍କ ମୁଣ୍ଡରୁ ବୋଝ କମିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories