-ମାର୍ଚ୍ଚ ୧୬ରେ ଚିହ୍ନଟ ହୋଇଥିଲେ ପ୍ରଥମ ରୋଗୀ, -ସଂକ୍ରମଣ ହାରରେ ଓଡ଼ିଶା ୭ମ, ପରୀକ୍ଷାରେ ୪ର୍ଥ
ଭୁବନେଶ୍ୱର : ରବିବାର ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ପାର୍ କରିଛି। ମାର୍ଚ୍ଚ ୧୬ ତାରିଖରେ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବାର ୧୬୭ରେ ମୋଟ ଆକ୍ରାନ୍ତାଙ୍କ ସଂଖ୍ୟା ଏକ ଲକ୍ଷ ଅଙ୍କ ଅତିକ୍ରମ କରିଛି। ସଂକ୍ରମଣ ହାର (ପିଜିଟିଭିଟି ରେଟ୍)ରେ ଓଡ଼ିଶା ଦେଶର ୭ମ ସ୍ଥାନରେ ଥିବାବେଳେ ନମୁନା ପରୀକ୍ଷାରେ ୪ର୍ଥ ସ୍ଥାନରେ ରହିଛି। ଜୁଲାଇ ଓ ଅଗଷ୍ଟରେ ଅଧିକ ସଂଖ୍ୟକ ଟେଷ୍ଟିଂ କାରଣରୁ ଅଧିକ ସଂଖ୍ୟକ ପଜିଟିଭ୍ ବାହାରୁଛନ୍ତି। ଓଡ଼ିଶା ସରକାରଙ୍କ ତଥ୍ୟ ଅନୁଯାୟୀ ସଂକ୍ରମଣ ହାର ୫.୮୩ ପ୍ରତିଶତ ରହିଛି। ରାଜ୍ୟରେ ଏବେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୯୦୫ ନମୁନା ପରୀକ୍ଷା କରାଯାଉଛି। ସପ୍ତାହେ ପୂର୍ବେ ଟେଷ୍ଟିଂ ତାଲିକାରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ଥିବାବେଳେ ବର୍ତ୍ତମାନ ଏହା ୪ର୍ଥ ସ୍ଥାନକୁ ଖସିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୦,୬୪୬ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୫୨,୮୪୩ ଆଣ୍ଟିଜେନ୍, ୭୬୭୩ ଆରଟି-ପିସିଆର ଏବଂ ୧୩୦ଟି ନମୁନା ଟ୍ରୁନାଟ୍ ପଦ୍ଧତ୍ତିରେ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି। ଆଜି ୩୦୧୪ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ ପଜିଟିଭ୍ ମାମଲା ସଂଖ୍ୟା ୧,୦୦,୯୩୪ରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ କୋଭିଡ୍-୧୯ରେ ମୋଟ ୪୮୨ ଜଣଙ୍କ ଜୀବନ ଯାଇଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ନମୁନା ପରୀକ୍ଷଣରେ ଦିଲ୍ଲୀ ପଛକୁ ଓଡ଼ିଶା ୪ର୍ଥ ସ୍ଥାନରେ ରହିଛି। ପ୍ରତି ୧୦ ଲକ୍ଷ ଜନଂସଖ୍ୟାରେ ସର୍ବାଧିକ ୧୫୮୪ ନମୁନା ପରୀକ୍ଷା ସହ ଗୋଆ ପ୍ରଥମ ସ୍ଥାନରେ ଥିବା ବେଳେ ୧୩୯୧ ସହିତ ଆନ୍ଧ୍ର ପ୍ରଦେଶ ଦ୍ବିତୀୟ ସ୍ଥାନରେ ଅଛି। ସେହିପରି ଦିଲ୍ଲୀରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୯୫୦ ଟେଷ୍ଟିଂ ହେଉଛି। ଜାତୀୟ ସ୍ତରରେ ନମୁନା ପରୀକ୍ଷା ହାର ୫୪୫ ରହିଛି। ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୧୦.୫ ଲକ୍ଷ ନମୁନା ପରୀକ୍ଷା ହେବା ଏକ ରେକର୍ଡ ସୃଷ୍ଟି କରିଛି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ନିୟମ ଅନୁସାରେ ପ୍ରତି ନିୟୁତ ଜନସଂଖ୍ୟାରେ ଦୈନିକ ୧୪୦ ନମୁନା ପରୀକ୍ଷା ହେବା ଉଚିତ। ପଜିଟିଭିଟି ତାଲିକାରେ ଓଡ଼ିଶାର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ବହୁତ ଭଲ ରହିଛି। ତାମିଲନାଡ଼ୁରେ ସଂକ୍ରମଣ ହାର ୮.୧୦ ଥିବା ବେଳେ ଗୋଆରେ ୮.୦୫ ଓ ଝାଡ଼ଖଣ୍ଡରେ ୬.୧୯ ପ୍ରତିଶତ ଅଛି। ଅଗଷ୍ଟ ୨୭ରେ ଓଡ଼ିଶାରେ ସର୍ବାଧିକ ୩୬୮୨ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଓଡ଼ିଶାରେ ମାର୍ଚ୍ଚ ୧୬ ତାରିଖରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବାର ୧୧୪ ଦିନରେ ଅର୍ଥାତ୍ ଜୁଲାଇ ୭ ତାରିଖରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଥିଲା। ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଡେଇଁବା ପାଇଁ ମାତ୍ର ୧୬ ଦିନ ସମୟ ଲାଗିଥିବା ବେଳେ ୪୦ ହଜାର ଛୁଇଁବା ପାଇଁ ଆଉ ୧୪ ଦିନ ଲାଗିଥିଲା। ତେବେ ଏହା ପରଠାରୁ ସଂକ୍ରମଣ ହାର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଅଗଷ୍ଟ ୧୨ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଥବା ବେଳେ ୧୬ ତାରିଖରେ ୬୦ ହଜାର, ୨୦ ତାରିଖରେ ୭୦ ହଜାର, ୨୪ ତାରିଖରେ ୮୦ ହଜାର ଏବଂ ଏହାର ତିନିଦିନରେ ସଂକ୍ରମିତଙ୍କ ତାଲିକା ୯୦ ହଜାରରେ ପହଞ୍ଚିଥିଲା। ଆଉ ୩ ଦିନରେ ଅର୍ଥାତ୍ ଅଗଷ୍ଟ ୩୦ ତାରିଖରେ ୧ ଲକ୍ଷ ପାର୍ କରିଛି। ଯଦି ଅନ୍ୟ ରାଜ୍ୟ କଥା ଦେଖାଯାଏ ତେବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିବା ପାଇଁ ମହାରାଷ୍ଟ୍ରରେ ୯୫ ଦିନ, ତାମିଲନାଡ଼ୁରେ ୧୧୮, ଦିଲ୍ଲୀରେ ୧୨୬, ଆନ୍ଧ୍ରପ୍ରଦେଶରେ ୧୩୬, କର୍ଣ୍ଣାଟକରେ ୧୩୯, ବିହାରରେ ୧୪୬ ଦିନ, ପଶ୍ଚିମବଙ୍ଗରେ ୧୪୭, ଆସାମରେ ୧୫୦, ଉତ୍ତର ପ୍ରଦେଶରେ ୧୫୨ ଓ ତେଲେଙ୍ଗାନାରେ ୧୭୩ ଦିନ ସମୟ ଲାଗିଥିଲା।



