bjd gruha runa

୧୨ ଡକାୟତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ, ୨୦ ହଜାର ଜୋରିମାନା

BJD Bijuli 480×75 Mob

ଭବାନୀପାଟଣା:  ବିଭିନ୍ନ ଡକାୟତି ଘଟଣା ରେ ସମ୍ପୃକ୍ତ ୧୨ ଜଣ ଅଭିଯୁକ୍ତ ଙ୍କୁ ଦୋଷୀ ସାବ୍ୟସ୍ତ କରି ଧର୍ମଗଡ ସହାୟକ ଦୌରା ଜଜ , ସମସ୍ତଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହିତ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ପୁଣି ୬ ମାସ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ୨୦୨୨ ମସିହାରେ ଧର୍ମଗଡ଼ ଥାନା ଅନ୍ତର୍ଗତ ଖଇରପଦର ଗାଁର ପଦ୍ମଲୋଚନ ଆଚାର୍ଯ୍ୟଙ୍କ ଘରେ ଡକାୟତମାନେ  ୧ ଲକ୍ଷ ୪୪ ହଜାର ନଗଦ ଟଙ୍କା ଏବଂ ତିନି ତୋଳା ସୁନା ଅଳଙ୍କାର ନେଇ ଯାଇଥିଲେ। ଏନେଇ ଧର୍ମଗଡ଼ ଥାନାରେ ଗତ ୨୦୨୨ ମଇ ୨ ତାରିଖ ଦିନ ପୀଡ଼ିତଙ୍କ ଅଭିଯୋଗ କ୍ରମେ ଧର୍ମଗଡ଼ ପୁଲିସ ବିଭିନ୍ନ ଦଫାରେ ୧୦୪ ନମ୍ୱର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଧର୍ମଗଡ଼ ଉପଖଣ୍ଡର ଜୟପାଟଣା, ଗୋଲାମୁଣ୍ଡା, କୋକସରା, ଆମପାଣି ଏବଂ ଧର୍ମଗଡ଼ ଥାନା ଅଞ୍ଚଳରେ ସଶସ୍ତ୍ର ଆକ୍ରମଣ କରି ଏକାଧିକ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଡକାୟତି ହେଇଥିଲା।

ସେତେବେଳେ ଏହି ଘଟଣା ଗୁଡ଼ିକ ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଥିଲା। ବିଭିନ୍ନ ଗାଁରେ ଲୋକେ ଡକାୟତ ଙ୍କୁ ଜଗିବା କୁ ରାତିରେ ରାସ୍ତାଘାଟ ରେ ପହରା ଦେଉଥିଲେ। ତେବେ ଧର୍ମଗଡ଼ ପୋଷ୍ଟ ଅଫିସରେ ଡକାୟତି ଉଦ୍ୟମ ବିଫଳ ହେବାପରେ ସେଠାରୁ ପୁଲିସ କୁ ଅନେକ ସୁରାକ ହସ୍ତଗତ ହୋଇଥିବା କୁହାଯାଉଛି। କଳାହାଣ୍ଡି ଏସପି ଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ଅଳଙ୍କାର ଦୋକାନ ଉପରେ ନଜର ରଖାଗଲା। ସେହି ସମୟରେ ଜୟପାଟଣା ର ଏକ ଅଳଙ୍କାର ଦୋକାନକୁ ଆସୁଥିବା କିଛି ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କ ଉପରେ ଚଢ଼ାଉ କରି ପୋଲିସ ଶେଷରେ ସଫଳତା ପାଇ ଦୁଇଜଣ କୁ ଗହଣା ଦୋକାନ ରୁ ହିଁ ଗିରଫ କରିଥିଲା। ପରେ ଉଭୟ ଅଭିଯୁକ୍ତ ଙ୍କ ବୟାନ ରୁ ଟୁନା ହରିଜନ ନେତୃତ୍ୱ ରେ ଏକ ଡକାୟତ ଦଳ ଗଠନ କରାଯାଇ ସମଗ୍ର ଅଞ୍ଚଳରେ ଡକାୟତି କରୁଥିବା ପୋଲିସ ଜାଣିବାକୁ ପାଇଥିଲା।

ଖଇରପଦର ଡକାୟତି ଘଟଣାରେ ସେହି ଗ୍ରାମର ଡାକ କର୍ମଚାରୀ ପରମେଶ୍ୱର ବାଗର ସୂଚନା ଏବଂ ମୁଖ୍ୟ କାର୍ପଟଦାର ଟୁନା ହରିଜନ ଦ୍ୱାରା ପ୍ରସ୍ତୁତ ନକ୍ସା ଅନୁସାରେ ସେମାନେ ଦଳଗତ ଭାବେ ଏହି ଡକାୟତି ଭିଆଇ ଥିବା ସ୍ୱୀକାର କରିଥିଲେ। ଗିରଫ ଅଭିଯୁକ୍ତ ମାନଙ୍କ ବୟାନକୁ ଭିତ୍ତି କରି ଧର୍ମଗଡ଼ ଥାନା ଅଧିକାରୀ ଦୀପାଞ୍ଜଳି ପ୍ରଧାନ ଏହି ଡକାୟତି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। କୋର୍ଟରେ ପ୍ରାୟ ଦୁଇ ବର୍ଷ ଧରି ଏହି ମାମଲା ର ସାକ୍ଷ୍ୟ ଗ୍ରହଣ ଚାଲିଥିଲା।

ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ, ସାକ୍ଷୀ ମାନଙ୍କ ବୟାନ, ଉପଲବ୍ଧ ପ୍ରମାଣ ଏବଂ  ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ବିଶ୍ବବିସୃତ କର ଆଜି ସିଟି କେଶ ନମ୍ବର ୦୨।୦୨। ୨୦୨୩ ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ଡକାୟତ ଦଳ ର ୧୨ ଜଣ ଙ୍କୁ ଦୋଷୀ ସାବ୍ୟସ୍ତ କରି ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ଙ୍କ ମଧ୍ୟରେ ଜଗନ୍ନାଥ ହରିଜନ, ଲାଲଧର ହରିଜନ, ସୋମେଶ୍ୱର ନାଏକ, ରୋହିତେଶ୍ୱର ନିଆଲ, ଗୋବିନ୍ଦ ହରିଜନ, କୁମାର ହରିଜନ, ସଲମାନ ହରିଜନ, ଦଳପତି ହରିଜନ, ଦୀନେଶ ବୈଠାରୁ, ମୋହନ ପୁଝାରୀ, ପରମେଶ୍ବର ବାଗ ଓ ଟୁନା ଓରଫ୍ ସିମନ୍ ନାଗ ଥିବା ଜଣା ପଡିଛି। ସେମାନଙ୍କୁ ଆଇପିସିର ଧାରା
୩୯୫ ବଳରେ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅତିରିକ୍ତ ଛଅ ମାସ ଜେଲ ଦଣ୍ଡଆଦେଶ ଦେଇଛନ୍ତି।

ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରୁଥିଲେ। ଏକ ଚହଳ ସୃଷ୍ଟିକାରୀ ଡକାୟତ ଦଳ କୁ ଦଣ୍ଡ ମିଳିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଶ୍ୱସ୍ତି ପ୍ରକାଶ ପାଇଛି।

Comments are closed.