ଆଖିଧରା ଓ ଏହାର ପ୍ରତିକାର

ଆଖିକୁ ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ।
ଅତ୍ୟାବଶ୍ୟକ ସ୍ଥଳେ ଆଖିକୁ ସ୍ପର୍ଶ କଲେ ହାତକୁ ସାବୁନରେ ଭଲ ଭାବରେ ଧୁଅନ୍ତୁ।
ନିଜର ନିତ୍ୟ ବ୍ୟବହୃତ ସାମଗ୍ରୀ ଅନ୍ୟମାନଙ୍କ ଠାରୁ ଅଲଗା କରନ୍ତୁ।
କାଶିବା ଓ ଛିଙ୍କିବା ସମୟରେ ନାକ ଓ ମୁହଁକୁ ଆବୃତ ରଖନ୍ତୁ।
ମାତ୍ରାଧିକ ରୋଗରେ ପୀଡ଼ିତ ବ୍ୟକ୍ତି କାର୍ଯ୍ୟାଳୟକୁ ନ ଯାଇ ବିଶ୍ରାମ ନେବା ଉଚିତ୍‌।

ବର୍ଷାଋତୁ ଗ୍ରୀଷ୍ମର ନିଦାଘ ଶେଷ କରିବା ସହିତ କିଛି ଅବାଞ୍ଛିତ ସ୍ବାସ୍ଥ୍ୟ ସମସ୍ୟା ଆଣିଥାଏ। ତନ୍ମଧ୍ୟରୁ ଆଖିଧରା ଅନ୍ୟତମ। ବର୍ଷା ଋତୁରେ ଏଠି ସେଠି ପାଣି ଜମା ହେବା ଓ ପରିବେଶ ଆର୍ଦ୍ର ରହିବା ଯୋଗୁଁ ଥଣ୍ଡା ଜ୍ବର ହେବା ସହିତ ଆଖିଧରା ଭଳି ଭୂତାଣୁ ଜନିତ ରୋଗ ବ୍ୟାପି ଥାଏ। ଆଡେନୋ ଭାଇରସ ନାମକ ଏକ ଭୂତାଣୁ ଏହି ରୋଗର କାରଣ । ଏହିରୋଗ ଲୁହ ବା ତା ସଂସ୍ପର୍ଶରେ ଆସିଥିବା ଆଙ୍ଗୁଠି, ରୁମାଲ, ସାବୁନ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ମାଧ୍ୟମରେ ସଂକ୍ରମିତ ହୋଇଥାଏ। ଜନଗହଳିପୂର୍ଣ୍ଣ ସ୍ଥାନ ଯଥା, ବିଦ୍ୟାଳୟ, ଡାକ୍ତରଖାନା, ବଜାରହାଟ ଆଦି ସ୍ଥାନରେ ଏହା ବ୍ୟାପିବାର ସମ୍ଭାବନା ଅଧିକ। ଏହା ବ୍ୟତୀତ ଏହି ରୋଗର ଭୂତାଣୁ କଫ ବା ଛିଙ୍କରେ ନିର୍ଗତ ବାୟୁ ମାଧ୍ୟମରେ ବ୍ୟାପିଥାଏ। ଜଣେ ବ୍ୟକ୍ତି ଆଖି ଧରାରେ ପୀଡ଼ିତ ହେଲେ ଏହା ଏକ ସପ୍ତାହରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲାଗିରହେ। ଆ​‌େ​‌ଡନୋ ଭାଇରସ୍‌ ଛଡ଼ା ଅନ୍ୟ ଭୂତାଣୁ ଓ କିଛି ଜୀବାଣୁ ଦ୍ବାରା ମଧ୍ୟ କଞ୍ଜକ୍ଟି ଭାଇଟିସ (ଆଖିଧରା) ହୋଇଥାଏ।
ଆଖି ଲାଲ ପଢ଼ିବା, କୁଣ୍ଡେଇ ହେବା, ଖୁଞ୍ଚି ଖୁଞ୍ଚି ହେବା, ଆଖିପତା ଫୁଲିଯିବା, ଅନାଇ ନ ପାରିବା ଓ ଅତ୍ୟଧିକ ଲୁହ ବୋହିବା ସହିତ କେତେକ କ୍ଷେତ୍ରରେ ​‌େ​‌ଲଞ୍ଜେରା ଜମିବା, ଆଖିପତା ଲାଗିଯିବା ଓ ଆଖିରେ ଯନ୍ତ୍ରଣା ଅନୁଭୂତ ହେବା ଏହି ରୋଗର ଲକ୍ଷଣ। ବେଳେବେଳେ ଏହା ସହିତ ଜ୍ବର ହେବା ଓ ମୁଣ୍ଡ ବିନ୍ଧିବା ମଧ୍ୟ ଦେଖାଯାଇପାରେ। ମହିଳା ଓ ଶିଶୁମାନଙ୍କ କ୍ଷେତ୍ରରେ ଏହି ରୋଗ ସାଧାରଣତଃ ଅଧିକମାତ୍ରାରେ ଦେଖାଯାଏ।
ଛାତ୍ରଛାତ୍ରୀ ଏହି ରୋଗରେ ପୀଡ଼ିତ ହେଲେ ସେମାନଙ୍କ ସ୍କୁଲ ଯିବା ବନ୍ଦ କରିବା ନିହାତି ଦରକାର। କାରଣ ଏହାଦ୍ବାରା ଏହି ରୋଗ ସମାଜରେ କ୍ଷିପ୍ର ଗତିରେ ବ୍ୟାପିବାର ସମ୍ଭାବନା ଅଧିକ ଥାଏ। ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହୋଇ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କଲାପରେ ବିଦ୍ୟାଳୟକୁ ଯିବା ଉଚିତ। ବୟସ୍କ ବ୍ୟକ୍ତିମାନେ ନିମ୍ନଲିଖିତ ନିୟମଗୁଡ଼ିକ ଅନୁସରଣ କରି କାର୍ଯ୍ୟ କ୍ଷେତ୍ରକୁ ଯାଇ ପାରନ୍ତି।
ଆଖିଧରା ଏକ ଡିଆଁରୋଗ। ସାଧାରଣତଃ ଦୁଇ ସପ୍ତାହ ମଧ୍ୟରେ ଏହା ଭଲ ହୋଇଯାଏ; କିନ୍ତୁ ଏହି ରୋଗର ଲକ୍ଷଣ ଜନିତ ଅସ୍ବାଭାବିକ ପରିସ୍ଥିତି ହେତୁ ଓ ମାତ୍ରାଧିକ ସଂକ୍ରମଣ ହେବାର ସମସ୍ୟାକୁ କମେଇବା ପାଇଁ ଏହାର ଚିକିତ୍ସା ଆବଶ୍ୟକ। ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଦରକାର ଅନୁଯାୟୀ ଆଣ୍ଟିବାୟୋଟିକ ବା ଆଣ୍ଟିଭାଇରାଲ ଡ୍ରପ ବା ଅଏଣ୍ଟମେଣ୍ଟ ସହିତ କୃତ୍ରିମ ଲୋତକ ପ୍ରଦାନକାରୀ ଔଷଧ ବ୍ୟବହାର କଲେ ରୋଗୀ ଶୀଘ୍ର ଉପଶମ ଲାଭ କରିପାରିବ। ଜ୍ବର ଓ ମୁଣ୍ଡ ବିନ୍ଧା ପାଇଁ ପାରାସିଟାମୋଲ ବ୍ୟବହାର କରାଯାଇପାରେ। ବାହାରକୁ ଯିବା ସମୟରେ କଳା ଚଷମା ବ୍ୟବହାର କରିବା ନିହାତି ଦରକାର। ଆଖିରେ ପାଣି ଛାଟିବା ଏବଂ ମୁଣ୍ଡ ନ ଧୋଇବା ସହିତ ଉପରୋକ୍ତ ନିୟମାବଳୀ ପାଳନକଲେ ଶୀଘ୍ର ଉପଶମ ଲାଭ କରାଯାଇପାରେ। ଯଥାଶୀଘ୍ର ଚିକିତ୍ସା ଆରମ୍ଭ ନହେଲେ ରୋଗ କଳା ଡୋଳା ବା ଆଖି ଭିତରକୁ ବ୍ୟାପିବାର ସମ୍ଭାବନା ଥାଏ। ଏହି ​‌େ​‌କ୍ଷତ୍ରରେ ଏହା ଭଲ ହେବାପାଇଁ ଅଧିକ ସମୟ ଲାଗେ ଓ କିଛି କ୍ଷେତ୍ରରେ ଦୃଷ୍ଟିଶକ୍ତି ହ୍ରାସ ପାଇବାର ପରିସ୍ଥିତି ସୃଷ୍ଟିହୁଏ।
ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଆଖିଧରା ରୋଗୀଙ୍କଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ରୁମାଲ୍‌, ସାବୁନ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବ୍ୟବହାର କରିବା ଅନୁଚିତ। ଏଥି ସହିତ ଜଣେ ରୋଗୀ ବ୍ୟବହାର କରିଥିବା ଡ୍ରପ୍‌ ବ୍ୟବହାର କରନ୍ତୁ ନାହିଁ। ଗର୍ଭବତୀ ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଅଧିକ ସତର୍କତା ଅବଲମ୍ବନ କରିବା ଶ୍ରେୟସ୍କର।

prayash

ଡାକ୍ତର ସନ୍ତୋଷ କୁମାର ମହାପାତ୍ର

ମୁଖ୍ୟ ଚିକିତ୍ସା ଅଧିକାରୀ
ଜେପିଏମ, ରୋଟାରୀ ଚକ୍ଷୁ ଚିକିତ୍ସାଳୟ, ସିଡିଏ, କଟକ

Comments are closed.