ଡେସ୍କ: ନୂତନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ୪୭ ଜଣିଆ କାର୍ଯ୍ୟକାରିଣୀ କମିଟି ଗଠନ କରିଛନ୍ତି ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଅଛନ୍ତି। ତାଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ କଂଗ୍ରେସ ୱାର୍କିଂ କମିଟି ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଭାବେ କାର୍ଯ୍ୟ କରିବ। ଖଡ଼ଗେଙ୍କ ନିର୍ବାଚନ ଅନୁମୋଦନ ହେବା ପରେ ଏକ ନୂତନ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଗଠନ ହେବ।
କଂଗ୍ରେସ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ଘଣ୍ଟା ପରେ ଖଡ଼ଗେ ଘୋଷଣା କରିଥିବା ନୂତନ ପରିଚାଳନା କମିଟିରେ ଶଶି ଥରୁର ନାହାଁନ୍ତି। ସେ ଏହା ପୂର୍ବରୁ ଦଳର ପ୍ରଫେସନାଲ କଂଗ୍ରେସ ୱିଙ୍ଗର ମୁଖ୍ୟ ଥିଲେ କିନ୍ତୁ ଦଳର ସଭାପତି ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଥିଲେ। ଏଥିରେ ଏ. କେ. ଆଣ୍ଟୋନି, ଡଃ ଅଭିଷେକ ମନୁ ସିଂହଭି, ଅଜୟ ମାକେନ, ଅମ୍ବିକା ସୋନି, ଆନନ୍ଦ ଶର୍ମା, ଅବିନାଶ ପାଣ୍ଡେ, ଗାଈଖଙ୍ଗମ, ହରିଶ ରାୱତ, ଜୟରାମ ରମେଶ, ଜିତେନ୍ଦ୍ର ସିଂହ, କୁମାରୀ ଶୈଳଜା ଓ କେ ସି ବେଣୁଗୋପାଳ ପ୍ରମୁଖ ସଦସ୍ୟ ଅଛନ୍ତି। ଓଡିଶାରୁ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ ସଦସ୍ୟ ଭାବେ ନୂଆ କାର୍ଯ୍ୟକାରିଣୀ ବୈଠକରେ ସ୍ଥାନ ପାଇଛନ୍ତି।



