ଭୁବନେଶ୍ବର: ରାଜ୍ୟରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜେଡ଼ି ସମର୍ଥନ କରିସାରିଛି। ଆଜି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ସମର୍ଥନ ଦେବନାହିଁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରକାଶ କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁ ଜଣେ ଭଲ ମଣିଷ। ଭଲ ବିଧାୟକା। ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ମଧ୍ୟ ଜାଣେ। ଆମର ସମ୍ପର୍କ ମଧ୍ୟ ଭଲ। କିନ୍ତୁ ସେ ବିଜେପି ନୀତି ଓ ଆଦର୍ଶରେ ବିଶ୍ବାସ କରୁଥିବାରୁ ତାଙ୍କୁ ସମର୍ଥନ ଦେବୁ ନାହିଁ। ତାଙ୍କ ପ୍ରାର୍ଥିତ୍ବ ଘୋଷଣା ପୂର୍ବରୁ ବିରୋଧୀ ଦଳ ପ୍ରାର୍ଥୀ ଘୋଷଣା କରିଛି। ଜଣକୁ ଠିଆ କରି ଅନ୍ୟଜଣଙ୍କୁ ସମର୍ଥନ କରିବା ବେଇମାନୀ ହେବ। ସମର୍ଥନ ପାଇଁ ସବୁ ବିଧାୟକଙ୍କୁ ବିଜେଡ଼ିର ଆମନ୍ତ୍ରଣକୁ ନରସିଂହ ମିଶ୍ର କଟାକ୍ଷ କରି କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଓଡ଼ିଆ ପ୍ରୀତି ଅଛି ବୋଲି କହୁଛନ୍ତି ତାହେଲେ ଜଣେ ଅଣଓଡ଼ିଆଙ୍କୁ ରାଜ୍ୟ ସଭା ପଠାଇଲେ କାହିଁକି? ରାଜ୍ୟରେ କ’ଣ ଓଡ଼ିଆ ପ୍ରାର୍ଥୀ ନ ଥିଲେ କି ବୋଲି ପ୍ରଶ୍ନ ଉଠାଇଛନ୍ତି ନରସିଂହ ମିଶ୍ର।



