ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରକୁ ବଞ୍ଚାଇବା ଲାଗି କଂଗ୍ରେସ ଶକ୍ତ ପଦକ୍ଷେପ ନେଇଛି। ଇସ୍ତଫା ଦେଇଥିବା ୧୫ ବିଧାୟକଙ୍କ ମଧ୍ୟରୁ କଂଗ୍ରେସର ୯, ଜେଡିଏସର ୩ ଏବଂ ୨ ସ୍ବାଧୀନ ବିଧାୟକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨ ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେବାକୁ ଘୋଷଣା କରିସାରିଛନ୍ତି। ଅନ୍ୟପଟେ ଅସନ୍ତୁଷ୍ଟ ବିଧାୟକମାନେ ମୁମ୍ବାଇ କିମ୍ବା ଗୋଆର କୌଣସି ଅଜଣା ସ୍ଥାନରେ ରହି ମଉଜ କରୁଛନ୍ତି। ତେବେ କଂଗ୍ରେସ ଏହାର ବିଧାୟକମାନଙ୍କୁ ଫେରିଆସିବାକୁ କହିଛି। ନଚେତ ସେମାନଙ୍କୁ ଗୃହରେ ଅଯୋଗ୍ୟ ଘୋଷଣା କରିବାକୁ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛି। ମଙ୍ଗଳବାର କଂଗ୍ରେସର ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମେୟା କହିଛନ୍ତି, ବିଗତ ୧ ବର୍ଷ ଧରି ମେଣ୍ଟ ସରକାର ଚାଲିଆସିଛି। ଆରମ୍ଭରୁ ବିଜେପିକୁ ପ୍ରଥମେ ସରକାର ଚଳାଇବା ଲାଗି ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ସୁଯୋଗ ଦିଆଯାଇଥିଲା। ମାତ୍ର ଦଳ ବିଫଳ ହେବା ପରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର କ୍ଷମତାସୀନ ହୋଇଥିଲା। କିନ୍ତୁ ଏହାପରଠାରୁ ବିଜେପି ବାରମ୍ବାର ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରିଆସୁଛି।
ଏହା ସହ ସେ ଆହୁରି କହିଛନ୍ତି, ଅସନ୍ତୁଷ୍ଟ ବିଧାୟକମାନେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି। ସେମାନେ ବିଜେପି ସହ ମିଶି ଚକ୍ରାନ୍ତ କରୁଛନ୍ତି। ସେମାନେ ଚିହ୍ନଟ ହୋଇଯାଇଛନ୍ତି। ଏହା ସତ୍ବେ ସେମାନଙ୍କୁ ମୁଁ ଫେରିଆସିବାକୁ ନିବେଦନ କରୁଛି। ସେମାନେ ଫେରିଆସି ନିଜ ଇସ୍ତଫାପତ୍ର ପ୍ରତ୍ୟାହାର କରିନିଅନ୍ତୁ। ନଚେତ ଦଳ ସେମାନଙ୍କୁ ଗୃହରେ ଅଯୋଗ୍ୟ ଘୋଷଣା କରିବା ଲାଗି ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେଇଛି।
ମଙ୍ଗଳବାର ପୂର୍ବାହ୍ନରେ ବାଚସ୍ପତି କେ.ଆର. ରମେଶ କୁମାର କହିଥିଲେ ଯେ, ସେ ସମ୍ବିଧାନ ଅନୁସାରେ କାର୍ଯ୍ୟ କରିବେ। ଏହାକୁ ଦୃଷ୍ଟିରେ ରଖି ସିଦ୍ଧରମେୟା କହିଛନ୍ତି, ବିଧାୟକମାନଙ୍କ ଇସ୍ତଫା ସ୍ବତ୍ତଃପ୍ରବୃତ ନୁହେଁ। ବାଚସ୍ପତି ଏଥିରେ ସନ୍ତୁଷ୍ଟ ହେବା ଉଚିତ। ୧୦ମ ସିଡ୍ୟୁଲ ଅନୁସାରେ ବାଚସ୍ପତି ହେଉଛନ୍ତି ସର୍ବେସର୍ବା।
ଫଳରେ ଏବେ ବାଚସ୍ପତିଙ୍କ ଉପରେ ସବୁକିଛି ନିର୍ଭର କରୁଛି। ସେ ଅସନ୍ତୁଷ୍ଟ ବିଧାୟକଙ୍କ ଇସ୍ତଫା ଉପରେ ବିଚାର କରିବେ। ଯଦି ବିଧାୟକମାନଙ୍କ ଇସ୍ତଫା ଗ୍ରହଣ କରିନିଆଯାଏ, ଗୃହର ସଦସ୍ୟ ସଂଖ୍ୟା ୨୨୪ରୁ ୨୧୧କୁ ଖସିଆସିବ। ଫଳରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ଲାଗି ୧୦୬ ବିଧାୟକଙ୍କ ଜରୁରୀ ପଡ଼ିବ। ବର୍ତ୍ତମାନ ବିଜେପି ନିକଟରେ ୧୦୫ ବିଧାୟକ ଥିବାବେଳେ ୨ ସ୍ବାଧୀନ ବିଧାୟକଙ୍କ ସମର୍ଥନ ବଳରେ ବିଜେପିର ସଂଖ୍ୟା ୧୦୭ ରହିଛି। କିନ୍ତୁ କଂଗ୍ରେସ ଏବଂ ଜେଡିଏସ ପାଖରେ ୧୦୩ ବିଧାୟକ ରହିଛନ୍ତି।



