ସରକାରଙ୍କ ପାଖରେ ବାସହରାଙ୍କ ତଥ୍ୟ ନାହିଁ: କଂଗ୍ରେସ

ଭୁବନେଶ୍ୱର: ବାସହରା ଓ ନିରାଶ୍ରୟମାନଙ୍କ ସମ୍ପର୍କରେ ରାଜ୍ୟରେ ତଥ୍ୟ ନାହିଁ। ରାଜ୍ୟର ନିରାଶ୍ରୟ, ବାସହରା ଲୋକେ ଶୀତୁଆ ରାତିରେ ‘ଫୁଟପାଥ, ଓଭରବ୍ରିଜ ତଳେ, ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରେ ଆଶ୍ରୟ ନେଉଛନ୍ତି। ସେ ସମ୍ପର୍କରେ ସାମାନ୍ୟତମ ଧାରଣା ରାଜ୍ୟ ସରକାରଙ୍କ ପାଖରେ ନାହିଁ ବୋଲି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ରାଜ୍ୟରେ ଦେଖାଦେଇଥିବା ପ୍ରବଳ ଶୀତପ୍ରବାହକୁ ମୁକାବିଲା କରିବାପାଇଁ ରାଜ୍ୟ ସରକାରଙ୍କ ସ୍ପେଶାଲ ରିଲିଫ କମିଶନର ହଠାତ ଗତ ୨୭ ରିଖରେ ସମସ୍ତ ଜିଲାପାଳଙ୍କୁ ଶୀତ ଲହରୀର ମୁକାବିଲା ପାଇଁ ଏକ ଜରୁରୀକାଳୀନ ବାର୍ତ୍ତା ଦେଇଛନ୍ତି। ପ୍ରବଳ ଶୀତରାତିରେ ବାସହରା ଓ ନିରାଶ୍ରୟ ମାନଙ୍କୁ ସରକାରୀ ସ୍କୁଲରେ ରାତ୍ରିଯାପନ କରିବାପାଇଁ ସ୍କୁଲ ଘର ଖୋଲା ରଖିବା ଲାଗି ନିର୍ଦେଶ ଦେଇଛନ୍ତି।

prayash

ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ୨୦୧୨ମସିହାରେ ସତ୍ୟପାଠ ଦାଖଲ କରି କହିଥିଲେ ରାଜ୍ୟରେ ମାତ୍ର ୧୫ଟି ସ୍ଥାୟୀ ରାତ୍ରି ଆଶ୍ରୟ ସ୍ଥଳର ଆବଶ୍ୟକତା ରହିଛି। ପରବର୍ତ୍ତୀ ସମୟରେ ୨୦୧୫ ମସିହାରେ ରାଜ୍ୟ ସରକାର ରାଜ୍ୟର ପ୍ରମୁଖ ସଦର ମହକୁମାରେ ରାତ୍ରି ଆଶ୍ରୟସ୍ଥଳ ସଂପର୍କରେ ଯେଉଁ ତଥ୍ୟ ପ୍ରଦାନ କରିଥିଲେ ତାହା ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ ଦ୍ୱାରା ଦାଖଲ କରାଯାଇଥିବା ତଥ୍ୟ ଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା। ଯାହାକୁ ନେଇ ରାଜ୍ୟ ମାନବାଧିକାର କମିଶନ ଅସନ୍ତୋଷ ପ୍ରକାଶ କରିବା ସହିତ ଏହାକୁ ଅଗ୍ରାହ୍ୟ କରି ସାନି ତଥ୍ୟ ତଲବ କରିଥିଲେ। ନିର୍ବାଚନ ସମୟରେ ସରକାର ୨୨ଲକ୍ଷ ବାସହୀନଙ୍କୁ ପକ୍କାଘର ଯୋଗାଇଦେବା ନେଇ ଯେଉଁ ଦାବି କରିଥିଲେ ତାହା ମିଥ୍ୟା ଏବଂ ବିଭ୍ରାନ୍ତିକର। ଯଦି ୨୨ଲକ୍ଷ ବାସହୀନଙ୍କୁ ସତରେ ଘର ଯୋଗାଇ ଦେଇଥାନ୍ତେ ତାହାହେଲେ ବର୍ତ୍ତର୍ମାନ ଥଣ୍ଡାରୁ ରକ୍ଷାପାଇବା ପାଇଁ ସ୍କୁଲ ଘର ଖୋଲିବାର ଆବଶ୍ୟକତା ପଡ଼ୁନଥାନ୍ତା ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ପ୍ରଶାନ୍ତ ଶତପଥୀ, ଜିନେଶ ଦାସ ଓ ନରେଶ ମହାନ୍ତି ଉପସ୍ଥିତ ଥିଲେ।

kalyan agarbati

Comments are closed.