www.samajalive.in
Sunday, December 14, 2025
19.1 C
Bhubaneswar

ବାଗ୍‌ଚି ଦମ୍ପତ୍ତିଙ୍କ ନିସ୍ୱାର୍ଥପର ତ୍ୟାଗ ଓ ଆଦର୍ଶ ସମସ୍ତଙ୍କ ପାଇଁ ଶିକ୍ଷଣୀୟ – ପିସିସି ସଭାପତି ନିରଞ୍ଜନ

ବାଗ୍‌ଚି ଦମ୍ପତ୍ତିଙ୍କ ନିସ୍ୱାର୍ଥପର ତ୍ୟାଗ ଓ ଆଦର୍ଶ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ବୋଲି ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ଯେ କିଛି ଧନୀ ଲୋକ ଧନ ସଂଗ୍ରହ କରି ନିଜର ଓ ନିଜ ପିଲା-ପରିବାର ପାଇଁ ସାଇତି ରଖିଥାନ୍ତି ଏବଂ ଆଉ କେତେଜଣ ନିଜ ଅର୍ଜିତ ଧନକୁ ଅନ୍ୟର ସେବାରେ ବିନିଯୋଗ କରିଥାନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଓଡ଼ିଶାରେ ବହୁ ଧନୀଲୋକ ଅଛନ୍ତି କିନ୍ତୁ ନିଜ ଅର୍ଜିତ ଧନକୁ ସାଧାରଣ ଲୋକଙ୍କ ସେବାରେ ବିନିଯୋଗ କରିବା ଭଳି ହୃଦୟବାନ ଧନୀଲୋକଙ୍କ ସଂଖ୍ୟା କମ୍ ।

- Advertisement -

ସୁବ୍ରତ ବାଗ୍‌ଚି ଓ ତାଙ୍କ ସହଧର୍ମୀଣୀ ତଥା ବିଶିଷ୍ଟ ଲେଖିକା ସୁସ୍ମିତା ବାଗ୍‌ଚି ନିଜ ନିସ୍ୱାର୍ଥପର ତ୍ୟାଗର ଯେଉଁ ଉଚ୍ଚ ଆଦର୍ଶ ଦେଖାଇଛନ୍ତି ତାହା ସମସ୍ତଙ୍କ ପାଇଁ ଶିକ୍ଷଣୀୟ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏକ ପ୍ରେସ ବାର୍ତ୍ତାରେ କହିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଅତୀତରେ ଯେଉଁ ମହାନ ସହୃଦୟ ବ୍ୟକ୍ତିମାନେ ଜନସେବା ପାଇଁ ତ୍ୟାଗ କରିଛନ୍ତି, ବାଗ୍‌ଚି ଦମ୍ପତ୍ତି ଓଡ଼ିଶାରେ କ୍ୟାନସର ହସ୍‌ପିଟାଲ ପ୍ରତିଷ୍ଠା ପାଇଁ ୩୪୦ କୋଟି ଟଙ୍କା ପ୍ରଦାନ କରି ସେହି ମହାନ ତ୍ୟାଗୀମାନଙ୍କ ମେଳରେ ସାମିଲ ହୋଇଗଲେ।

ସୁବ୍ରତଙ୍କ ପରିବାର ସହ ଶ୍ରୀ ପଟ୍ଟନାୟକଙ୍କର ଅନେକ ବର୍ଷର ସମ୍ପର୍କ। ସୁବ୍ରତ ବା ସନ୍ତୁଙ୍କୁ ନିରଞ୍ଜନ ସାତ-ଆଠ ବର୍ଷ ବୟସରୁ ଜାଣିଥିବା କହିଛନ୍ତି। ପିଲାଟି ବେଳୁ ଆଭାସ ମିଳୁଥିଲା ଯେ ଶ୍ରୀ ବାଗ୍‌ଚୀ ଦିନେ ସଫଳତାର ଶୀର୍ଷକୁ ଛୁଇଁବେ। ପିଲାଦିନରୁ ଶାନ୍ତ, ସରଳ ଓ ବିଚାରବନ୍ତ ଥିବା ଶ୍ରଦ୍ଧେୟ ସନ୍ତୁ ଜୀବନରେ ଅନେକ ପ୍ରତିଷ୍ଠା ପାଇବା ସହ ପରୋପକାରୀ ହେବେ ବୋଲି ଯେଉଁ ଆଭାସ ମିଳୁଥିଲା, ତାହା ଆଜି ସତରେ ପରିଣତ ହୋଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ମାଉସୀ (ସନ୍ତୁଙ୍କ ମା’) ଯଥାର୍ଥରେ ଥିଲେ ରତ୍ନଗର୍ଭା। ମାଉଷୀଙ୍କ ଆଖିକୁ ଭଲକି ଦେଖାଯାଉନଥିଲେ ମଧ୍ୟ ସେ ପରିବା କାଟି, ରୋଷେଇ କରି ଏପରି ସୁସ୍ୱାଦ ଖାଦ୍ୟ ଶ୍ରଦ୍ଧାରେ ପରସି ଦିଅନ୍ତି ତାହା ଆମ ମାନଙ୍କ ପାଇଁ ଅଭୁଲା ସ୍ମୃତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ତାଙ୍କର ବଡ଼ ପୁଅ ଦେବୀ ପ୍ରସାଦ ରାଜ୍ୟର ମୁଖ୍ୟ ଶାସନ ସଚ୍ଚିବ ଥିଲେ। ଅମିତାଭ ଉଚ୍ଚକୋଟୀର ଆଇନଜୀବି ଓ ଯୁବନେତାର ସମ୍ମାନ ପାଇବା ପରେ ସନ୍ୟାସ ଗ୍ରହଣ କରିଥିଲେ। ଅନ୍ୟ ସନ୍ତାନମାନେ ଯେଝା ସ୍ଥାନରେ ସୁପ୍ରତିଷ୍ଠିତ। ସବୁ ସେଇ ରତ୍ନଗର୍ଭା ମା’ଙ୍କ ଆଶୀର୍ବାଦର ଫଳ।

ଆଜି ଓଡ଼ିଶାରେ ଯେତେବେଳେ କର୍କଟ ବ୍ୟାଧି ଖୁବ ମାରାତ୍ମକ ଭାବେ କାୟା ବିସ୍ତାର କରୁଛି ଏବଂ ଟାଟା କମ୍ପାନୀ ପରି ବୃହତ ଶିଳ୍ପସଂସ୍ଥା କ୍ୟାନସର ହସ୍‌ପିଟାଲ କରିବା ପାଇଁ ପଚ୍ଛଘୁଂଚା ଦେଉଛି, ସେତେବେଳେ ଓଡ଼ିଶାରେ ହସ୍‌ପିଟାଲ ନିର୍ମାଣ ପାଇଁ ସୁବ୍ରତ ଓ ସୁସ୍ମିତା ୩୪୦ କୋଟି ଟଙ୍କା ଦାନ କରିବା ନିଶ୍ଚୟ ଓଡ଼ିଶା ପାଇଁ ଏକ ବଡ଼ ବରଦାନ। ଏଭଳି ଏକ ତ୍ୟାଗୀ ଦମ୍ପତିଙ୍କ ପାଇଁ ଜଣେ ଓଡ଼ିଆ ଭାବେ ଗର୍ବ ଅନୁଭୁବ କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ତାଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି। ବାଗ୍‌ଚୀ ଦମ୍ପତି ଆସନ୍ତାକାଲିର ନୂଆ ପୀଡ଼ି ପାଇଁ ପ୍ରେରଣାଦାତା ଓ ପଥପ୍ରଦର୍ଶକ ହୋଇଛନ୍ତି। ଈଶ୍ୱର ସେମାନଙ୍କର ମଙ୍ଗଳ କରନ୍ତୁ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କାମନା କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories