ବଲାଙ୍ଗିର: ଦିନକ ତଳେ ପୂର୍ବତନ ପୁଲିସ ଡ଼ିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ଯାହା କହିଥିଲେ ତାହାକୁ ପ୍ରକାରାନ୍ତରେ ସମର୍ଥନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପରୀ ହତ୍ୟାକାଣ୍ଡ ତଦନ୍ତ କ୍ଷମତା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କର ନାହିଁ ବୋଲି ପ୍ରକାଶ କହିଥିଲେ । ଏବେ ନରସିଂହ ମିଶ୍ର ତାହାକୁ ନିଜ ଭାଷାରେ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ଗଠନ କରିଥିବା ଏସ୍ଆଇଟିର ମୁଖ୍ୟ ଆଇଜି ଅରୁଣ ବୋଥ୍ରା ରହିଛନ୍ତି। ଶ୍ରୀ ବୋଥ୍ରା ବର୍ତ୍ତମାନ ରାଜ୍ୟ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ରହିଛନ୍ତି। ସିଆର୍ପିସିର ଧାରା ୩୬ ଅନୁସାରେ ଜଣେ ପୁଲିସ ଅଧିକାରୀ ଯେଉଁ କ୍ଷମତା ରହିବା ଦରକାର ତାହା ତାଙ୍କର(ଶ୍ରୀ ବୋଥ୍ରା) ନାହିଁ। ତେଣୁ ସରକାରଙ୍କ ଦ୍ୱାରା ଗଠିତ ଏସ୍ଆଇଟିରେ ଏପରି ଅଧିକାରୀ ରହିବା ଦରକାର ଯାହାଙ୍କର ସିଆର୍ପିସି ୩୬ ଧାରା ଅନୁସାରେ ତଦନ୍ତ କ୍ଷମତା ରହିଥିବ ।
ବଲାଙ୍ଗିର ସର୍କିଟ ହାଉସ୍ରେ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ସଦର ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ ବିଧି ଅନୁସାରେ ଏସ୍ଆଇଟିକୁ ସଂପୂର୍ଣ୍ଣ ନିରପେକ୍ଷ ଭାବେ ହାଇକୋର୍ଟଙ୍କ ତଦାରଖରେ କାମ କରିବେ । ସେହିପରି ପରୀ ମାମଲାରେ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ଭର୍ସନା କରିଛନ୍ତି। ତେଣୁ ସେ ଇସ୍ତଫା ଦେବା ଆବଶ୍ୟକ। ସେହିପରି ଏସ୍ଆଇଟି ଆସନ୍ତା ୧୬ ତାରିଖ ମଧ୍ୟରେ ଦୋଷୀଙ୍କୁ ଧରିବା ସହ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି।
ଏହି ମର୍ମରେ ଶ୍ରୀ ମିଶ୍ର ଆଉ ଏକ ପ୍ରସଙ୍ଗ ଯୋଡିଛନ୍ତି। କହିଛନ୍ତି ଯେ, ସିବିଆଇ ଓ ପୁଲିସ ଉପରେ ବିଶ୍ୱାସ ନାହିଁ। ବଲାଙ୍ଗିର ଖପ୍ରାଖୋଲରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ଭାର ଦିଆଯାଇଥିଲା। ୫ ବର୍ଷ ବିତିଯାଇଥିଲେ ବି କାରଣ କି ହତ୍ୟାକାରୀଙ୍କୁ ଧରାଯାଇ ନାହିଁ। ସେହିପରି ୧୯୯୭ରେ ଟିଟିଲାଗଡ ବିକାଶ ଲାଠ ହତ୍ୟା ମାମଲାରେ ବି ସିବିଆଇ ଠୋସ୍ କିଛି ତଥ୍ୟ ପାଇ ନାହିଁ। ଚିଟଫଣ୍ଡ, ଖଣି ଦୁର୍ନୀତି ଭଳି ଅନେକ ମାମଲା ହାତକୁ ନେଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଓଲଟି ସିବିଆଇ କେନ୍ଦ୍ର ସରକାରଙ୍କ ହାତର ଖେଳନା ପାଲଟିଛି ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରା ଓ ମହିଳା ନେତ୍ରୀ ମିଲାନି ସାହୁ ଉପସ୍ଥିତ ଥିଲେ।
ସମ୍ବିତ ପାତ୍ରଙ୍କୁ ପଠାଇଲେ ଓକିଲ ନୋଟିସ୍
ପରୀ ପ୍ରସଙ୍ଗରେ ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନରେ ତୁମ୍ବିତୋଫାନ ହୋଇଥିଲା। ଏହି ସମୟରେ ବିଜେପି ଦଳର ମୁଖପାତ୍ର ସମ୍ବିତ ପାତ୍ର ଗଣମାଧ୍ୟମକୁ କଂଗ୍ରେସ ବିରୋଧରେ ବୟାନ ଦେଇଥିଲେ। ରାଜ୍ୟ କଂଗ୍ରେସର ୯ଜଣ ବିଧାୟକ ଅର୍ଥ କାରବାର କରି ଚୁପ୍ ରହିଯାଇଥିବା କହିବା ସହ ସମାଲୋଚନା ଜରିଆରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ ଶ୍ରୀ ପାତ୍ର। କଂଗ୍ରେସ ଏହାକୁ ନିନ୍ଦା କରିବା ସହ ଶ୍ରୀ ପାତ୍ର ଭୁଲ ମାଗନ୍ତୁ କହିଥିଲା। କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସମୟ ମଧ୍ୟରେ ଶ୍ରୀ ପାତ୍ର କିଛି ବୟାନ କି ଭୁଲ ମାଗି ନ ଥିବାରୁ ଓକିଲଙ୍କ ଜରିଆରେ ଶ୍ରୀ ପାତ୍ରଙ୍କୁ ନୋଟିସ୍ ପଠାଇଥିବା ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର। ଏହାପରେ ମାନହାନୀ ମକୋଦ୍ଦମା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।



