ମନ୍ତ୍ରୀ ପଦ ଆବଣ୍ଟନକୁ ନେଇ ଅଡୁଆରେ କଂଗ୍ରେସ-ଜେଡିଏସ୍‍ ମେଣ୍ଟ

0

ବେଙ୍ଗାଲୁରୁ : ବିଏସ ୟେଦୁରପ୍ପାଙ୍କ ଇସ୍ତଫା ପରେ କଂଗ୍ରେସ ଓ ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ୍‍) ମେଣ୍ଟ କର୍ଣ୍ଣାଟକରେ ସରକାର ଗଢିବାକୁ ଯାଉଛି। ଜେଡିଏସ୍‍ ନେତା ଏଚଡି କୁମାରସ୍ୱାମୀ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟ ନିର୍ବାଚନରେ ୭୮ ଆସନ ପାଇ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ୩୭ ଆସନ ପାଇଥିବା ଜେଡିଏସ୍‍କୁ ମୁଖ୍ୟମନ୍ତ୍ରୀ ପଦ ଛାଡି ଦେଇଛି। ଜେଡିଏସକୁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ମନ୍ତ୍ରୀ ପଦକୁ ନେଇ ମେଣ୍ଟରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁ ଦଳ ପାଖରେ କେଉଁ ମନ୍ତ୍ରୀ ପଦ ରହିବ ତାର ହିସାବ ଏବେ ଠାରୁ ଆରମ୍ଭ ହୋଇଛି। ଦୁଇ ଦଳ ମଧ୍ୟରେ କିପରି ଉତ୍ତମ ସମନ୍ୱୟ ରକ୍ଷା କରାଯିବ ତାର ଗୁରୁଦାୟିତ୍ୱ ଭାବୀ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ତୁଲାଇବାକୁ ପଡିବ। ରିପୋର୍ଟ ଅନୁଯାୟୀ କଂଗ୍ରେସ ନେତା ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ହେବେ। ଏହା ସହିତ କଂଗ୍ରେସରୁ ୧୩ ଓ ଜେଡିଏସ୍‍ରୁ ୨୦ଜଣ ମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ କହିବା ଅନୁଯାୟୀ ନେବା ଓ ଦେବା (ଗିଭ୍‍ ଆଣ୍ଡ ଟେକ୍‍)ର ନିୟମ ଆଧାରରେ ମେଣ୍ଟ ସରକାର ତିଷ୍ଠି ରହିବ। ଏସବୁ ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ କୁମାରସ୍ୱାମୀ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ଦିଲ୍ଲୀ ଯାଉଛନ୍ତି। କଂଗ୍ରେସ ଓ ଜେଡିଏସ୍‍ ମେଣ୍ଟ ସରକାରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମନୋନୟନ କରାଯାଇଥିବାରୁ କୁମାରସ୍ୱାମୀ ଉଭୟଙ୍କୁ ଧନ୍ୟବାଦ ଜଣାଇବେ। ଏହା ସହିତ ମେଣ୍ଟ ସରକାରରେ କିପରି ମନ୍ତ୍ରୀ ପଦ ଆବଣ୍ଟନ କରାଯିବ ତା’ଉପରେ ଆଲୋଚନା କରିବେ।
ଅନ୍ୟପଟେ କଂଗ୍ରେସ ଓ ଜେଡିଏସ୍‍ ୫ବର୍ଷର ଶାସନ କ୍ଷମତାକୁ ୩୦ମାସ ଲେଖାଏଁ ବଣ୍ଟନ କରିବା ନେଇ ଚର୍ଚ୍ଚା ହେଉଛି। ଏପରି ଚର୍ଚ୍ଚାକୁ କୁମାରସ୍ୱାମୀ ଖଣ୍ଡନ କରଛନ୍ତି। ସେ କହିଛନ୍ତି ଯେ କ୍ଷମତା ଆବଣ୍ଟନ କିମ୍ବା ମନ୍ତ୍ରୀ ପଦ ଆବଣ୍ଟନ ନେଇ କଂଗ୍ରେସ ସହିତ କୌଣସି ଆଲୋଚନା ହୋଇ ନାହିଁ। ସୋନିଆ ଓ ରାହୁଲଙ୍କ ସହ ଆଲୋଚନା ପରେ କେଉଁ ଦଳରୁ କେତେ ମନ୍ତ୍ରୀ ରହିବେ ତାହା ସ୍ଥିର ହେବ। ଏ ବାବଦରେ କୌଣସି ପ୍ରକାର ବିଭ୍ରାନ୍ତକର ରିପୋର୍ଟ ପ୍ରକାଶ ନ କରିବାକୁ ସେ ଗଣମାଧ୍ୟମକୁ ନିବେଦନ କରିଛନ୍ତି।
ୟେଦୁରପ୍ପାଙ୍କ ଇସ୍ତଫା ପରେ ରାଜ୍ୟପାଳ ବାଜୁଭାଇ ବାଲା କଂଗ୍ରେସ-ଜେଡିଏସ୍‍ ମେଣ୍ଟକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ରାଜ୍ୟପାଳଙ୍କ ଆମନ୍ତ୍ରଣ କ୍ରମେ ମେ ୨୧ରେ ମେଣ୍ଟ ନେତା କୁମାରସ୍ୱାମୀ ଶପଥ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ୨୧ ତାରିଖ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ ହୋଇଥିବାରୁ ଶପଥ ଗ୍ରହଣ ଉତ୍ସବକୁ ମେ ୨୩ ତାରିଖକୁ ଧାର୍ଯ୍ୟ କରାଯାଇଛି।
କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଦଳଗୁଡିକ ଶକ୍ତି ପ୍ରଦର୍ଶନ କରିବାକୁ ଉଚିତ ସ୍ଥାନ ବାଛିଛନ୍ତି। କୁମାରସ୍ୱାମୀ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଟିଆରଏସ୍‍ ମୁଖ୍ୟ ତଥା ତେଲଙ୍ଗନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏଚ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ ଓ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହା ସହିତ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କୁ ନିମନ୍ତ୍ରଣ କରିବେ। ତେଣୁ ଏହି ଶପଥ ଗ୍ରହଣ ଉତ୍ସବରେ ଆଞ୍ଚଳିକ ଦଳଗୁଡିକ ଏକାଠି ହୋଇ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ତୃତୀୟ ସାମ୍ମୁଖ୍ୟ ଗଠନର ପରିକଳ୍ପନାକୁ ମଜଭୁତ୍‍ କରିବେ। ଶନିବାର କୁମାରସ୍ୱାମୀଙ୍କୁ ସରକାର ଗଠନ ପାଇଁ କର୍ଣ୍ଣାଟକ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ ମମତା ତାଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଥିଲେ। କୁମାରସ୍ୱାମୀଙ୍କ ନିମନ୍ତ୍ରଣ କ୍ରମେ ମମତା ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାର ସମ୍ଭାବନା ରହିଛି। ମମତାଙ୍କ କର୍ଣ୍ଣାଟକ ଗସ୍ତ ପାଇଁ ରାଜ୍ୟ ସଚିବାଳୟ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି।

Leave A Reply