www.samajalive.in
Saturday, December 6, 2025
23.1 C
Bhubaneswar

୧୨ରୁ ଫେରିବ ଶୀତ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ସପ୍ତାହେ ବ୍ୟାପି ସାରା ରାଜ୍ୟରେ ଥଣ୍ଡା କମିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଦାରିଙ୍ଗବାଡିରେ ୧୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। କୋରାପୁଟରେ ୧୧.୨ ଏବଂ ଫୁଲବାଣୀରେ ୧୧.୫ ଡିଗ୍ରୀ ରହିଛି। ଅନ୍ୟାନ୍ୟ ସ୍ଥାନରେ ପାରଦ ୧୩ ଡିଗ୍ରୀ ଉପରେ ରହିଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାତ୍ରିର ସର୍ବନିମ୍ନ ତାପମାତ୍ରା ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ; କିନ୍ତୁ ଏହି ସମୟରେ ଆଭ୍ୟନ୍ତରୀଣ ଜିଲାଗୁଡିକର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ। ଉପକୂଳବର୍ତ୍ତି ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇବ। ଉପକୂଳବର୍ତ୍ତି ଜିଲାଗୁଡିକରେ ମଧ୍ୟ ୨ରୁ ୩ ଡିଗ୍ରୀ ପାରଦ ତଳକୁ ଖସି ଆସିବ। ୧୨ ତାରିଖରୁ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାରେ ଧୀରେ ଧୀରେ ତାପମାତ୍ରା କମିବ। ଫଳରେ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତି ଜିଲାଗୁଡିକରେ ଶୀତ ଅନୁଭୂତ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଅନୁଭୂତ ହେବ। ୧୦ ତାରିଖ ସକାଳେ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ମୟୂରଭଞ୍ଜ ଜିଲାରେ ଘନ କୁହୁଡି ଅନୁଭୂତ ହେବାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ଉପରୋକ୍ତ ଜିଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଯାଜପୁର, ବୌଦ୍ଧ, କନ୍ଧମାଳ, ନୟାଗଡ ଓ ଖୋର୍ଦ୍ଧା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ। ଜିଲାପାଳମାନେ ସତର୍କ ରହିବା ପାଇଁ ଏସ୍‌ଆରସି ପରାମର୍ଶ ଦେଇଛନ୍ତି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ବେଗକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ଏସ୍‌ଆରସି ନିର୍ଦେଶ ଦେଇଛନ୍ତି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି, ଗୁରୁଚାପ ବଳୟ ଉତ୍ତରପ୍ରଦେଶରେ ଥିବାରୁ ରାଜ୍ୟକୁ ଉତ୍ତର ଭାରତରୁ ପବନ ଆସିପାରୁ ନଥିଲା। ଆସନ୍ତାକାଲିଠାରୁ ଉତ୍ତର ଭାରତରେ ଥଣ୍ଡା ବଢ଼ିବ। ଗୁରୁଚାପ ବଳୟ କ୍ରମଶଃ ସ୍ଥାନ ପରିବର୍ତ୍ତନ କରି ୧୧ ତାରିଖରେ ମହାରାଷ୍ଟ୍ର ଉପରେ ରହିବ। ରାଜ୍ୟରେ ବାୟୁର ଦିଗ ପରିବର୍ତ୍ତନ ହେବ। ଏଭଳି ଅବସ୍ଥା ପ୍ରାୟତଃ ୧୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ଆକଳନ କରାଯାଉଛି ଯେ, ଆଭ୍ୟନ୍ତରୀଣ, ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ଆସନ୍ତା ୧୨ରୁ ୧୪ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୫ ଡିଗ୍ରୀରୁ ଅଧିକ ହ୍ରାସ ପାଇବ। ଏହାପରେ ୧୬ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। ୧୨ ତାରିଖ ରାତ୍ରିରୁ ତାପମାତ୍ରା କମିବା ଦ୍ବାରା ଶୀତ ଫେରିବ। ସେହିପରି ଦିନର ସର୍ବାଧିକ ତାପମାତ୍ରା ମଧ୍ୟ ୧୨ ତାରିଖରୁ ହ୍ରାସ ପାଇବା ଆରମ୍ଭ କରିବ ବୋଲି ସେ ଆକଳନ କରିଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories