୧ ଟଙ୍କା ଓ ୨ ଟଙ୍କା କଏନ୍‍ରେ ଜମା ହେଲା ୨୪,୬୦୦ ଟଙ୍କାର ପୋଷଣ ଭତ୍ତା

0

ଚଣ୍ଡିଗଡ଼: ଛାଡ଼ପତ୍ର ମାମଲାର ବିଚାର କରି ପୂର୍ବତନ ପତ୍ନୀଙ୍କୁ ପୋଷଣ ଭତ୍ତା ବାବଦରେ ମାସିକ ୨୪,୬୦୦ ଟଙ୍କା ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଅଦାଲତ ନିର୍ଦେଶ ଦେଇଥିଲେ। ନିର୍ଦେଶ ମୁତାବକ ବ୍ୟକ୍ତିଜଣକ ପୂର୍ବତନ ପତ୍ନୀଙ୍କୁ ପୋଷଣ ଭତ୍ତା ଦେଲେ; କିନ୍ତୁ ତାହା ଗ୍ରହଣୀୟ ହେଲା ନାହିଁ। ବ୍ୟକ୍ତିଜଣକ ଉକ୍ତ ଭତ୍ତା ରାଶିର ଅଧା ଟଙ୍କିକିଆ ଓ ଦୁଇ ଟଙ୍କିଆ କଏନ୍‍ ଆକାରରେ ଅଦାଲତରେ ଜମା କରିଥିଲେ। ଏତେ ସଂଖ୍ୟକ କଏନ୍‍ ଗଣିବାରେ ଅସୁବିଧା ହେବାରୁ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଘଟଣା ଘଟିଛି ପଞ୍ଜାବର ଏକ ସେସନ୍‍ କୋର୍ଟରେ।
ପଞ୍ଜାବ ଓ ଚଣ୍ଡିଗଡ଼ର ଜଣେ ଓକିଲ ୨୦୧୫ରେ ବିବାହ କରିଥିଲେ। କିଛି ଦିନ ପରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ର ପରେ ମହିଳାଙ୍କୁ ମାସିକ ୨୫ ହଜାର ଲେଖାଏଁ ପୋଷଣ ଭତ୍ତା ଦେବାକୁ ଅଦାଲତ ସମ୍ପୃକ୍ତ ଓକିଲଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ଓକିଲ ଏଥିରେ ଅବହେଳା କରିବାରୁ ମହିଳା ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଖୁବ୍‍ଶୀଘ୍ର ପୋଷଣ ଭତ୍ତା ଦେବା ପାଇଁ ହାଇକୋର୍ଟ ଓକିଲଙ୍କୁ ନିର୍ଦେଶ ଦେବା ପରେ ଓକିଲ ଜଣକ ଦୁଇ ମାସର ଭତ୍ତା ଆକାରରେ ୫୦ ହଜାର ଟଙ୍କା ପଞ୍ଜାବର ଏକ ସେସନ୍‍ କୋର୍ଟରେ ଜମା କରିଥିଲେ। ୪୦୦ ଟଙ୍କାର ୧୦୦ ଟଙ୍କିଆ ନୋଟ୍‍, ୨୫ ହଜାର ଟଙ୍କାର ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‍ ଜମା କରିଥିବା ବେଳେ ବାକି ୨୪,୬୦୦ ଟଙ୍କା ୧ ଟଙ୍କା ଓ ୨ ଟଙ୍କା କଏନ୍‍ ଆକାରରେ ଜମା କରିଥିଲେ।

Leave A Reply