ଆସନ୍ତୁ ଅଯୋଧ୍ୟା, ଖର୍ଚ୍ଚ ବହନ କରିବେ ଜନ ପ୍ରତିନିଧି: ଯୋଗୀ ଆଦିତ୍ୟନାଥ

ବରେଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଭକ୍ତମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ବରେଲୀରେ ପହଞ୍ଚି ଲୋକଙ୍କୁ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି ଯେ, ଜାନୁଆରୀ ୨୨ ପରେ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଆସନ୍ତୁ। ବିଧାୟକ ଏବଂ ସାଂସଦଙ୍କ ମାଧ୍ୟମରେ ଅଯୋଧ୍ୟା ଆସନ୍ତୁ। ଜନ ପ୍ରତିନିଧିମାନେ ସମସ୍ତ ଖର୍ଚ୍ଚ ବହନ କରିବେ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଏପରି ଏକ ସମୟ ଥିଲା, ଯେତେବେଳେ ଅଯୋଧ୍ୟା ନାଁ ଶୁଣି କିଛି ଲୋକ ଚମକି ପଡ଼ୁଥିଲେ। ଲୋକେ ଅଯୋଧ୍ୟା ନାଁ ନେବାକୁ ମଧ୍ୟ ଡରୁଥିଲେ, କିନ୍ତୁ ଆଜି ସମଗ୍ର ବିଶ୍ୱ ଅଯୋଧ୍ୟା ଆସିବାକୁ ଚାହୁଁଛି। ସେ କହିଛନ୍ତି ଯେ, ଆକାଶପଥ ଯୋଗାଯୋଗ ବୃଦ୍ଧି କରାଯାଇଛି, ଯଦ୍ବାରା ଲୋକମାନେ ସମ୍ମାନର ସହ ଆସିପାରିବେ ଏବଂ ରାମଲାଲାଙ୍କ ଦର୍ଶନ କରିପାରିବେ।

ମୁଖ୍ୟମନ୍ତ୍ରୀ ଯୋଗୀ ବୁଧବାର ଦିନ ୧ଟାରେ ବରେଲୀ କ୍ଲବ ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ସେ ଅନେକ ଉନ୍ନୟନମୂଳକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିଥିଲେ। ଏହାପରେ ସେ ସାଧାରଣ ସଭାକୁ ସମ୍ବୋଧିତ କରି ଲୋକଙ୍କୁ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆପଣ ସମସ୍ତଙ୍କୁ ଅଯୋଧ୍ୟାକୁ ଆସିବାକୁ ପଡିବ, ଜାନୁଆରୀ ୨୨ ପରେ ଦର୍ଶନ ପାଇଁ ଆସନ୍ତୁ। ବିଧାୟକ ଏବଂ ସାଂସଦଙ୍କ ମାଧ୍ୟମରେ ଅଯୋଧ୍ୟାକୁ ଆସନ୍ତୁ। ସମସ୍ତ ଖର୍ଚ୍ଚ ଜନ ପ୍ରତିନିଧି ବହନ କରିବେ।

 

Comments are closed.