www.samajalive.in
Friday, December 12, 2025
16.1 C
Bhubaneswar

ଭୂମିହୀନ କୃଷକ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

କାଳିଆ କିସ୍ତି ସହ ଅତିରିକ୍ତ ହଜାରେ

ଭୁବନେଶ୍ୱର: କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାରକୁ ବୁଧବାର ୩୮୬ କୋଟି ଟଙ୍କାର କରୋନା ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ୱାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକୃତ ହେବେ। ପ୍ରତ୍ୟେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ବାବଦରେ ଅତିରିକ୍ତ ୧ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ଅର୍ଥ ସିଧାସଳଖ ପ୍ରଦାନ କରାଯାଇଛି।

- Advertisement -

ଆଭାସି ଜରିଆରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀ, ଶ୍ରମିକ ଓ ଦିନ ମଜୁରିଆଙ୍କ ପରି ଖଟିଖିଆ ବର୍ଗ ହେଉଛନ୍ତି ଅର୍ଥନୀତିର ନାଭିକେନ୍ଦ୍ର। ଏମାନେ ଆମ ଅର୍ଥନୀତିକୁ ସମୃଦ୍ଧ କରିଥାନ୍ତି। କୃଷି କ୍ଷେତ୍ରରେ ସଫଳତା ପଛରେ ଭୂମିହୀନ ଚାଷୀଙ୍କ ତ୍ୟାଗ ଓ ପରିଶ୍ରମ ରହିଛି। ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ସ୍ୱାମୀନାଥନ୍‌ ସମିତିର ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ସେ ସବୁବେଳେ ଦାବି କରି ଆସିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ସବୁବେଳେ ପ୍ରାଥମିକତା ହୋଇ ରହିଛି। କାଳିଆ ଯୋଜନା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ପରିବାର ମୁହଁରେ ହସ ଓ ମନରେ ଭରସା ଆଣିଛି, ଯେଉଁଥିପାଇଁ ଏହା ମୋର ସବୁଠାରୁ ପ୍ରିୟ ଯୋଜନା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଛି। ପ୍ରଥମ ଲହରରେ କୃଷି ହିଁ ଆମ ଅର୍ଥନୀତିକୁ ବଞ୍ଚାଇଥିଲା। ଦ୍ୱିତୀୟ ଲହରରେ ତାଲାବନ୍ଦ ଯୋଗୁଁ ଲୋକଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପଡ଼ିଛି। ଯେଉଁଥିପାଇଁ ସରକାର ଚାଷୀ, ଶ୍ରମିକ, ଉଠା ଦୋକାନୀ ଓ ଦୁଗ୍ଧ ଚାଷୀ ଆଦି ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା କରିଛନ୍ତି। କୋଭିଡ ବିରୋଧରେ ଲଢ଼େଇ ସମସ୍ତଙ୍କର। ଏଥିରେ ଜିତିବା ପାଇଁ ଚାଷୀ ଭାଇ ସମସ୍ତେ ଟିକା ନେବା ଓ କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ କାଳିଆ ଯୋଜନା ଓ ଭୂମିହୀନ ଚାଷୀଙ୍କ ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ୩ ଭୂମିହୀନ ଚାଷୀଙ୍କ ସହ ଯୋଜନାର ସୁଫଳ ବିଷୟରେ ଆଲୋଚନା କରିଥିଲେ। ସଫଳତା ସମ୍ପର୍କରେ ମାଳତି ମେଲେକା କହିଥିଲେ ଏହି ଯୋଜନାରେ ସେ ପାଇଥିବା ସହାୟତା ଅର୍ଥକୁ ଛତୁ ଚାଷରେ ବିନିଯୋଗ କରି ଲାଭବାନ ହୋଇଛନ୍ତି। ସୁନ୍ଦରଗଡ଼ର ସୁରଥ ମାଝି ଜାଲ କିଣି ମାଛ ଧରିବା ସହ ଚାଷ କରି ଉପକୃତ ହୋଇଛନ୍ତି। ଭଦ୍ରକର ଗଣେଶ ଦାସ ମାଛ ଓ ଶୁଖୁଆ ବ୍ୟବସାୟ କରି ଭଲରେ ପରିବାର ଚଳାଉଥିବା କହିଥିଲେ। ଏକ ହଜାର ଟଙ୍କା ଲେଖାଏଁ କୋଭିଡ୍‌ ସହାୟତା ଚାଷୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି। କାଳିଆ ଯୋଜନାରେ ଚାଷୀମାନେ ତିନିଟି କିସ୍ତିରେ ୧୨ହଜାର ୫୦୦ଟଙ୍କା ପାଇଥାଆନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଳରାମ ଯୋଜନାରେ ମଧ୍ୟ ଭୂମିହୀନ ଚାଷୀଙ୍କୁ ବିଭିନ୍ନପ୍ରକାର ଆନୁସଙ୍ଗିକ କାର୍ଯ୍ୟ ପାଇଁ କୃଷିଋଣ ସହାୟତା ଯୋଗାଇ ଦିଆଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ, କୃଷି ବିଭାଗ ସଚିବ ଏସ.କେ ବଶିଷ୍ଠ ସ୍ୱାଗତ ଭାଷଣ ଓ କୃଷି ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିସନର ଏବଂ ୩୦ ଜିଲାର ଭୂମିହୀନ ଚାଷୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories